୧୫ ଅଗଷ୍ଟରେ ନେତାଜୀ ଆଜାଦ ହିନ୍ଦ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫୁଲବାଣୀ ଦଳ ଚାମ୍ପିୟନ

ଉମରକୋଟ/ଖୁଟୁଗୁଡ଼ା : ନେତାଜୀ ଆଜାଦ ହିନ୍ଦ ସ୍ପୋର୍ଟିଂ କ୍ଲବ, ୟୁ.ଭି. ୮ ନଂ ଖୁଟୁଗୁଡ଼ା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ଅବସରରେ ଏକଦିବସୀୟ ଅନ୍ତର୍ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଧୁମଧାମରେ ଆୟୋଜିତ ହୋଇ ସଫଳତାର ସହିତ ସମାପ୍ତ ହୋଇଛି। ଏହି କ୍ରୀଡ଼ା ମହୋତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମୋଟ ୮ଟି ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରିଥିଲେ।
ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ମଧ୍ୟରେ ୮ ନଂ ଖୁଟୁଗୁଡ଼ା, ମାଳିଗୁଡ଼ା ସୁନାବେଡ଼ା, କେରାଣ୍ଡୁଳ (ଛତିଶଗଡ଼), ସ୍ୱାଭିମାନ ମାଲକାନଗିରି, ଫୁଟବଲ ଏକାଡେମୀ ଜଗଦଲପୁର (ବସ୍ତର), ଦାମନଯୋଡ଼ି କୋରାପୁଟ, ହଷ୍ଟେଲ ଟିମ୍ ଫୁଲବାଣୀ ଏବଂ ୟୁ.ଏଫ.ସି. ନାଇଜେରିଆନ ଟିମ୍ ସାମିଲ ଥିଲେ।

ଦିନସାରା ଚାଲିଥିବା ଏହି ରୋମାଞ୍ଚକର ଫୁଟବଲ ପ୍ରତିଯୋଗିତାରେ ସମସ୍ତ ଦଳ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ଜୟ କରିଥିଲେ। ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା।
ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ସୁନାବେଡ଼ା ଟିମ୍ ଓ ଫୁଲବାଣୀ ଟିମ୍ ମୁହାଁମୁହିଁ ହୋଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାକୁ ଗୋଲ ଦେଇପାରିନଥିଲେ। ପରେ ପେନାଲ୍ଟି ସୁଟ୍ଆଉଟ୍ରେ ଫୁଲବାଣୀ ଦଳ ସୁନାବେଡ଼ାକୁ ପରାସ୍ତ କରି ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଥିଲା।
ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାନସଭା କ୍ଷେତ୍ରର ବିଧାୟକ ଶ୍ରୀ ନରସିଂ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉମରକୋଟ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହି ଖେଳ ସମୟରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ଘଟେ, ସେଥିପାଇଁ ସତର୍କ ନଜର ରଖିଥିଲେ।
ଅନୁଷ୍ଠାନର ସଭାପତି ସଞ୍ଜୟ ମିସ୍ତ୍ରୀ, ଉପସଭାପତି ସଞ୍ଜିତ ମଣ୍ଡଳ, ସମ୍ପାଦକ ବିଶ୍ୱଜିତ ହାଉଳାଦାର, କୋଷାଧ୍ୟକ୍ଷ ବିପ୍ଳବ ବିଶ୍ୱାସଙ୍କ ସହ ସଦସ୍ୟ ପ୍ରଭାକର ମଣ୍ଡଳ, ଗୁଲ୍ଲୁ ମଧୁ, ଅସୀମ ବାଛାଡ଼, ତନ୍ମୟ ସମାଦ୍ଦାର, ଗୋବିନ୍ଦ ମଣ୍ଡଳ ଓ ଉପଦେଷ୍ଟା ମଣ୍ଡଳୀର ଦୁର୍ଯୋୟ ମଣ୍ଡଳ, ଶଙ୍କର ଘରାମୀ, ନାରାୟଣ ବିଶ୍ୱାସ, ଶ୍ୟାମଳ ମଧୁ, ସଞ୍ଜିତ ହାଉଳାଦାର ପ୍ରମୁଖ ଏହି ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିଲେ।
ବିଜୟୀ ଫୁଲବାଣୀ ଦଳକୁ ନଗଦ ୨୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍ ସୁନାବେଡ଼ା ଦଳକୁ ନଗଦ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ପୁରସ୍କାର ବିତରଣୀ ଅବସରରେ ବିଧାୟକ ଶ୍ରୀ ନରସିଂ ଭତ୍ରା କହିଥିଲେ ଯେ, ଏଭଳି କ୍ରୀଡ଼ା ଆୟୋଜନ ଯୁବ ପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ଦେଇଥାଏ। ଖେଳାଳିମାନେ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ହାସଲ କରି ଭାରତର ନାମ ଉଜ୍ଜ୍ୱଳ କରନ୍ତୁ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଶେଷରେ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଥିଲା। ଏହି ଆୟୋଜନକୁ ନେଇ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା।
