‘ହିଜାବ’ର ଜରୁରୀ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା, କହିଲେ – ଜାତୀୟ ପ୍ରସଙ୍ଗ କରନି

add-all

ନୂଆଦିଲ୍ଲୀ: ‘ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍‌ ସମୟରେ ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ।’ ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।
ହିଜାବ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ଧର୍ମୀୟ ଭାବନା ସହ ଜଡ଼ିତ କୌଣସି ପୋଷାକ ପରିଧାନ ନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଜଣେ ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। କିନ୍ତୁ ଜରୁରୀ ଶୁଣାଣି ପାଇଁ ସିଧାସଳଖ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି ରମଣା କହିଛନ୍ତି, ଏହି ପ୍ରସଙ୍ଗକୁ ବଡ଼ କରନ୍ତୁ ନାହିଁ। କ’ଣ ଘଟୁଛି ଆମେ ଜାଣିଛୁ। ଥରେ ଭାବନ୍ତୁ, ଏଭଳି ପ୍ରସଙ୍ଗକୁ ଦିଲ୍ଲୀ ଆଣିବେ କ’ଣ ଠିକ୍ ହୋଇଛି? ଏହା କ’ଣ ଜାତୀୟ ପ୍ରସଙ୍ଗ? ଯଦି କିଛି ଭୁଲ୍ ହୋଇଛି, ତା’ହେଲେ ଆମେ ସୁରକ୍ଷା ଦେବୁ।
କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ଗତକାଲି ଏହି ମାମଲାର ଶୁଣାଣି କରାଯାଇ ଶିକ୍ଷାନୁଷ୍ଠାନ ଖୋଲିବାକୁ କୁହାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ୟୁନିଫର୍ମ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ସୋମବାର ଏହାର ଶୁଣାଣି ହେବ ବୋଲି କହିଛନ୍ତି।
ଏହାକୁ ବିରୋଧ କରି ଜଣେ ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହିଜାବ ପରିଧାନ କରିବା ସେମାନଙ୍କ ସାମ୍ବିଧାନିକ ଅଧିକାର ବୋଲି ଯୁକ୍ତି ବାଢ଼ିଛନ୍ତି। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ସେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ, ସମଗ୍ର କର୍ଣ୍ଣାଟକରେ ହିଜାବ ବିବାଦ ତେଜିବାରେ ଲାଗିବାରୁ କର୍ଣ୍ଣାଟକ ସରକାର ଗତ ୮ ତାରିଖରୁ ୩ ଦିନ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ ଓ କଲେଜକୁ ବନ୍ଦ କରି ଦେଇଥିଲେ।

ad-week
Leave A Reply

Your email address will not be published.