
ମହାରାଷ୍ଟ୍ର : ପାଲଘରର ବୋଇସର ଏମଆଇଡିସିରେ ଭଙ୍କର ବିସ୍ଫୋରଣ । ବୋଇସର ତାରାପୁର ଏମଆଇଡିସି ସ୍ଥିତ ବିରାଜ ପ୍ରୋଫାଇଲ କମ୍ପାନୀରେ ବିସ୍ଫୋରଣ ହୋଇଛି । ପ୍ରାଥମିକ ସୂଚନା ମୁତାବକ, ଉତ୍ପାଦନ ବନ୍ଦ ରହିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ପ୍ରଶାସନ ଏବଂ ସମ୍ବନ୍ଧୀୟ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଖବର ମୁତାବକ, ସୋମବାର ସକାଳ ୧୧ ଟା ସମୟରେ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ହେବା ପରେ ଘଟଣା ସ୍ଥଳରେ ଆତଙ୍କ ଦେଖାଦେଇଥିଲା । କମ୍ପାନୀ ଭିତରେ କାମ କରୁଥିବା ଶ୍ରମିକ ଭିତରେ ଫସିଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ ।
ବିସ୍ଫୋରଣ ପରେ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତ ଶ୍ରମିକଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ କମ୍ପାନୀ ଭିତରେ ଫସିଥିବା ଶ୍ରମିକଙ୍କୁ ଖୋଜି ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସ୍ଥାନୀୟ ଲୋକ ତାରାପୁର ଏମଆଇଡିସି କମ୍ପାନୀର ସୁରକ୍ଷାକୁ ନେଇ ଅଣଦେଖା କରିବାର ଅଭିଯୋଗ କରିଥିଲେ । ଏହି ସମୟରେ ନାଗରିକ କମ୍ପାନୀ ପ୍ରଶାସନ ଉପରେ ଗୁରୁତର ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଇନଥିଲା । ତେଣୁ ଏଭଳି ଅଘଟଣ ଘଟିଛି । ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ଉପସ୍ଥିତ ରହିଛି । ବିସ୍ଫୋରଣର କାରଣ ଖୋଜା ଚାଲିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।
