ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: ଆସନ୍ତା କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

Independence

ଯାଜପୁର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ତଥା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା ହୋଇଛି ।

ସୂଚନା ଅନୁଯାୟୀ, ଲଗାତାର ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ଓ ଗାଁରେ ବନ୍ୟା ଜଳ ପଶିଯାଇଛି। ଅନେକ ସ୍ଥାନରେ ରାସ୍ତାଘାଟ ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ପିଲାମାନେ ସ୍କୁଲ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ନିଷ୍ପତ୍ତି ନିଆଯାଇଛି।

ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଯଦି କୌଣସି ବେସରକାରୀ ସ୍କୁଲ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି। ସ୍କୁଲ ଛୁଟି ଥିଲେ ମଧ୍ୟ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ବନ୍ୟା ମୁକାବିଲା ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବେ ।

ଅନ୍ୟପଟେ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସ୍ଥିତି ସୁଧୁରିବା ପରେ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

ad-week
Leave A Reply

Your email address will not be published.