ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ରାଚାକୋନା ଗାଁର ୫୦୦ରୁ ୭୦୦ ଲୋକ: ପ୍ରଶାସନ ନିରବ

Independence

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ମାଝାପାରା ପଞ୍ଚାୟତ ଅନ୍ତର୍ଗତ ରାଚାକୋନା ଗ୍ରାମରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଗାଁର ପ୍ରାୟ ୫୦୦ ରୁ ୭୦୦ ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି।

ଗାଁକୁ ଯିବା ପାଇଁ ଥିବା ଏକମାତ୍ର ମୋରମ (ମାଟି) ରାସ୍ତାଟି ଗତକାଲିର ବର୍ଷା ଓ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଧୋଇଯାଇଛି। ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାରୁ ବାହ୍ୟ ଜଗତ ସହ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ ସ୍ୱାସ୍ଥ୍ୟସେବା ଗାଁରେ ପହଞ୍ଚିପାରୁନାହିଁ। ସଠିକ୍ ସମୟରେ ଚିକିତ୍ସା ନପାଇ ଅନେକ ସମୟରେ ରୋଗୀମାନଙ୍କର ପ୍ରାଣହାନି ମଧ୍ୟ ଘଟୁଛି।

ଅନ୍ୟପକ୍ଷରେ, ବନ୍ୟା ପାଣି ଗାଁରେ ପଶିବା ଫଳରେ ୪ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବ୍ୟାପକ ଧାନ ଫସଲ ଉଜୁଡ଼ି ଯାଇଛି, ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଏପରିକି ଗାଈ, ଛେଳି ଆଦି ଅନେକ ଗୃହପାଳିତ ପଶୁ ନଦୀ ଜଳରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଗାଁରେ ପକ୍କା ରାସ୍ତା ଓ ପୋଲ ନଥିବାରୁ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ସେମାନେ ବାଧ୍ୟ ହୋଇ ଗାଁ ବାହାରେ ଥିବା ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।

ଦେଶ ସ୍ୱାଧୀନ ହେବାର ୮ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ଗାଁର ଦୁଃଖ ଶୁଣିବାକୁ କେହି ନାହାନ୍ତି। ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଅଭିଯୋଗ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ପ୍ରଚୁର ଅର୍ଥ ଗଚ୍ଛିତ ଥିବା ସତ୍ତ୍ୱେ ରାଜ୍ୟ ସରକାର ଏହି ଜିଲ୍ଲାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରୁନାହାଁନ୍ତି। ଏହି ଜିଲ୍ଲାର ପାଣ୍ଠିକୁ ଅନ୍ୟ ଜିଲ୍ଲାରେ ଖର୍ଚ୍ଚ କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ନିରୀହ ତଥା ଅସହାୟ ଆଦିବାସୀ ଲୋକଙ୍କ ଗୁହାରି ରାଜ୍ୟ ସରକାର କେବେ ଶୁଣିବେ ଏବଂ କେବେ ଏହି ଗାଁରେ ବିକାଶ ପହଞ୍ଚିବ, ତାହା ଏବେ ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.