
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବ କ୍ରିକେଟର ଇମ୍ରାନ୍ ଖାନ୍ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ରାୱଲପିଣ୍ଡିର ଆଦିଆଲା କାରାଗାରରୁ ଇମ୍ରାନଙ୍କୁ ସିଫା ଇଂଟରନ୍ୟାସନାଲ ହସ୍ପିଟାଲକୁ ୨ ଦିନ ମଧ୍ୟରେ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଖାନଙ୍କ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଦେଖା କରିପାରିବେ । ବିଦେଶରେ ରହୁଥିବା ନିଜ ପୁଅ ମଧ୍ୟ ଖାନ୍ଙ୍କ ସହ କଥା ହେବାକୁ କୋର୍ଟ ଅନୁମତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିରୋଧୀ ଦଳ ତେହରିକ୍–ଇ-ଇନସାଫ୍ର ପ୍ରତିଷ୍ଠାତା ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଗତ ୨୦୨୩ ଅଗଷ୍ଟରୁ ଗିରଫ କରାଯାଇ ଆଦିଆଲା କାରାଗାରରେ ବନ୍ଦୀ କରି ରଖାଯାଇଛି । ଜେଲ୍ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାକୁ ନେଇ ଗତ କିଛିମାସ ତଳେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କ ଦଳ ତେହରିକ୍–ଇ-ଇନସାଫ ପକ୍ଷରୁ ଏ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ଦାୟାର କରାଯାଇ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ୍ ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଇମ୍ରାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରିବାର ସହ ଯୋଗାଯୋଗ ରହୁ ନ ଥିବାରୁ ଇମ୍ରାନଙ୍କ ମାନସିକ ଉଦ୍ବିଗ୍ନତା ବଢିବା ସହ ରକ୍ତଚାପରେ ମଧ୍ୟ ଅନିୟମିତ ଦେଖା ଦେଇଥିବା ମେଡିକାର୍ଲ ବୋର୍ଡ ରିପୋର୍ଟ ଦେଇଥିଲେ । ଉକ୍ତ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ମଙ୍ଗଳବାର ପାକିସ୍ତାନ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେବା ସହ ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ସେତେଦିନ ଯାଏ ଇମ୍ରାନଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯିବ ବୋଲି କୋର୍ଟ ପାକିସ୍ତାନର ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
