ପାରାର ପିଛା କରିକରି ପିଓକେରୁ ଆସି ଭାରତରେ ପହଞ୍ଚିଗଲା ନାବାଳକ

add-all

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିବା ଜଣେ ନାବାଳକ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ପାର୍ କରି ଭାରତ ସୀମାରେ ପ୍ରବେଶ କରିଛି । ୧୪ ବର୍ଷୀୟ ନାବାଳକର ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ପୁଅକୁ ଛାଡି ଦିଆଯାଉ।
ମିଡିଆରେ ପ୍ରକାଶିତ ଖବର ଅନୁସାରେ, ଏହି ନାବାଳକର ନାମ ଅବ୍ଦୁଲ୍ ସମାଦ। ଗତ ବର୍ଷ ନଭେମ୍ବର ମାସରେ ଭାରତ-ପାକିସ୍ତାନ ସୀମାରୁ ଏହି ବାଳକକୁ ଧରାଯାଇଥିଲା। ଲାହୋରରେ ଥିବା ନାବାଳକର ଜଣେ ସମ୍ପର୍କୀୟ ଏକ ଟେଲିଭିଜନ ଜରିଆରେ କହିଛନ୍ତି, ତାଙ୍କ ଭଣଜା ଗୃହପାଳିତ ପାରାମାନଙ୍କୁ ଅତ୍ୟନ୍ତ ଭଲପାଏ। ୨୫ ନଭେମ୍ବରରେ ସେ ଏହି ପକ୍ଷୀର ପିଛା କରି ଭାରତ ସୀମାରେ ପ୍ରବେଶ କରିଥିଲା। ସମାଦର ମାମୁ କହିଛନ୍ତି, ସମାଦର ଘର ଏଲଓସିରୁ କିଛି ଦୂରରେ ଥିବା ଏକ ଗାଁରେ। ନାବାଳକର ପରିବାର ଏବେ ଆଶଙ୍କାରେ ରହିଛନ୍ତି ଓ ସେମାନେ ତାକୁ ଛାଡି ଦେବା ପାଇଁ ଭାରତକୁ ଅନୁରୋଧ କରୁଛନ୍ତି।
ସମାଦର ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ସମାଦ ପଶୁପକ୍ଷୀ ପାଳିବାକୁ ଭଲ ପାଏ। ତା ପାଖରେ ଗୋଟିଏ କକୁର ବି ଅଛି। ସେଦିନ ସେ ନିଜ ପାରାମାନଙ୍କୁ ଛାଡି ଦେଇଥିଲା ଓ ତାଙ୍କର ପଛେପଛେ ଭୁଲରେ ଭାରତ ସୀମାରେ ପ୍ରବେଶ କରିଯାଇଥିଲା। ସେ ଛୋଟ ବାଳକ, ସେ ନ ଜାଣି ଭାରତ ସୀମାକୁ ଚାଲିଯାଇଛି।
କିଛି ଗଣମାଧ୍ୟମ ସରକାରୀ ସୂତ୍ର ଅନୁସାରେ ସୂଚନା ଦେଉଛନ୍ତି ଯେ ସରକାର ଏହି ନାବାଳକ ବିଷୟରେ ଜାଣିଛନ୍ତି। କିନ୍ତୁ ସମାଦ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ସରକାରଙ୍କ ତରଫରୁ କୌଣସି ଯୋଗାଯୋଗ କରାଯାଇ ନାହିଁ। ସମାଦକୁ ପୁଞ୍ଚର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡଙ୍କ ସାମନାରେ ହାଜର କରାଯାଇଥିଲା ଓ ଏହାପରେ ବାଳ ସୁଧାର ଗୃହରେ ରଖାଯାଇଛି। ତେବେ ତାଙ୍କୁ ଏବିଷୟରେ କୌଣସି ଖବର ଜଣା ନାହିଁ ବୋଲି ଦିଲ୍ଲୀରେ ଥିବା ପାକିସ୍ତାନ ବୈଦେଶିକ ବିଭାଗର ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.