
ଭୁବନେଶ୍ୱର : ଏନ୍ ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ସେ ଅନୁରୋଧ କରିଛନ୍ତି । ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦଧର୍ମେନ୍ଦ୍ର ପ୍ରଧାନ । ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲଢିପ ସମସ୍ୟାର ସମାଧାନ ପାଇଁ ସେ କେନ୍ଦ୍ର ସଡ଼କପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ସେ ଅନୁରୋଧ କରିଛନ୍ତି ।
ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ମୁଖ୍ୟ ଜୀବନରେଖା । ମାତ୍ର ଲଗାଣ ବର୍ଷା ଓ ଅତ୍ୟଧିକ ଗାଡ଼ିର ଯାତାୟତ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ କିଛି ଜାଗାରେ ରାସ୍ତା ନଷ୍ଟ ହୋଇଯାଇଛି । ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ଓ ନିୟମିତ ଯାତାୟାତ କରୁଥିବା ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।
