
ଶେରଗଡ଼ : ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ ନିର୍ଯାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ ଏବଂ ଅନଲାଇନ୍ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସାଇବର ସେଲ୍ର ସହକାରୀ ଆରକ୍ଷୀ ଉପନିରୀକ୍ଷକ କିରଣ କୁମାର ପାତ୍ର ଡିଜିଟାଲ ନିର୍ଯାତନା, ସାଇବର ଅପରାଧ ଓ ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ଅଜଣା ଆପ୍ ଫାଇଲ୍ ଡାଉନଲୋଡ୍ ନକରିବା, ସାମାଜିକ ପ୍ରତାରଣା, ମିଥ୍ୟା ଜରୁରୀକାଳୀନ ଫୋନ୍, ଫୋନ୍ କଲ୍ ସ୍ଥାନାନ୍ତରଣ ଠକେଇ ଏବଂ ମୋବାଇଲ୍ରେ ଡିଜିଟାଲ ସ୍ୱଚ୍ଛତା ବଜାୟ ରଖିବା ଉପରେ ସେ ବିସ୍ତୃତ ଭାବେ ବୁଝାଇଥିଲେ।
ଆସ୍କା ଡାକ ବିଭାଗର ଅଧୀକ୍ଷକ ଦିଲୀପ କୁମାର ବେହେରା ସଞ୍ଚୟ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଆର୍ଥିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ସୁକନ୍ୟା ସମୃଦ୍ଧି ଯୋଜନା ସମେତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ନେବାକୁ ସଚେତନ କରିଥିଲେ।
ଡାକ ଜୀବନ ବୀମାର ବିକାଶ ଅଧିକାରୀ ଦୀପକ ରଞ୍ଜନ ପାଣିଗ୍ରାହୀ ଡାକ ଜୀବନ ବୀମା ଓ ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
କର୍ମଶାଳାରେ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର, ଅନଲାଇନ୍ ଆର୍ଥିକ କାରବାରରେ ସତର୍କତା, ଚାକିରି ଠକେଇ, ଋଣ ଆପ୍ ଠକେଇ, ବିବାହ ସମ୍ପର୍କିତ ଠକେଇ, ଅଜଣା ଫୋନ୍ କଲ୍, ଏବଂ ଅନଲାଇନ୍ କ୍ରୟବିକ୍ରୟ ଠକେଇ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।
ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମମତାଞ୍ଜଳି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଡି. ନାଗରତ୍ନମ୍ କର୍ମଶାଳାର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଇଥିଲେ।
କର୍ମଶାଳାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଗୀତାଞ୍ଜଳି ମହାରଣା, ସଂଯୋଜକ ଦେବବ୍ରତ ମହାନ୍ତ, ଆର୍ଥିକ ସାକ୍ଷରତା ଲିଙ୍ଗ ବିଶେଷଜ୍ଞ ବାପୁଜୀ କନ୍ୟାରୀ, ଟୁନି ବିଷୋୟୀଙ୍କ ସମେତ ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ।
