ନେପାଳରେ ସୁରକ୍ଷିତ ଅଛନ୍ତି ୬ ଓଡ଼ିଆ ଫୁଟବଲ ଖେଳାଳି, ଫେରାଇ ଆଣିବାକୁ ସରକାରଙ୍କ ପ୍ରୟାସ

Independence

ଭୁବନେଶ୍ବର ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ଏବେ ବି ନିଖୋଜ ଅଛନ୍ତି । ୮୫ରୁ ଅଧିକ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆଜି ୨୧ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।
ତେବେ ଏହି ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ୱରରୁ ୬ ଜଣ ଫୁଟବଲ ଖେଳିବାକୁ ନେପାଳ ପୋଖରା ଯାଇଥିଲେ । ତେବେ ସେମାନେ ସୁରକ୍ଷିତ ଥିବା ନୋଡାଲ ଅଫିସର ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି । ଓଡ଼ିଶାର ୬ ଜଣ ଫୁଟବଲ୍ ଖେଳାଳି, କୋଚ୍ ହଲିମ୍‌ଙ୍କ ସହ ନେପାଳର ପୋଖରା ଠାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲେ । କୋଚ୍‌ଙ୍କ ସୂଚନା ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି ।
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ନେପାଳରେ ଭୂସ୍ଖଳନ ଓ ଫ୍ଲାସ୍ ଫ୍ଲଡ୍ ହୋଇଛି । ହେଲେ ସେଠାକୁ ଯାଇଥିବା ଓଡ଼ିଆ ଖେଳାଳି ସୁରକ୍ଷିତ ଅଛନ୍ତି । ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ସେମାନଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗୃହ ବିଭାଗକୁ ଅବଗତ କରାଯାଇଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଫେରାଇ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିଭଳି ପୁରୀ ଜମି ଖୁଣ୍ଟିଆ ଜାଗା ଅଞ୍ଚଳର ରାକେଶ ରଞ୍ଜନ ପଣ୍ଡା ଏବଂ ତାଙ୍କର ଦୁଇ ଜଣ ସାଥୀ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରଳୟଙ୍କରୀ ବନ୍ୟା ଆସିବା ସମୟରେ ରାକେଶ ଏବଂ ତାଙ୍କର ଦୁଇ ଜଣ ସାଥୀ ପାହାଡ ଉପରେ ରହିଯାଇଥିବାରୁ ନିଜ ଜୀବନ ବଞ୍ଚାଇ ପାରିଛନ୍ତି । ପରବର୍ତ୍ତୀ ସମୟରେ ହେଲିକପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ପରେ ସେମାନେ ଭାରତରେ ଆସି ପହଞ୍ଚିଛନ୍ତି । ଏହି ଘଟଣାକୁ ନେଇ ରାକେଶଙ୍କ ପରିବାର ଲୋକେ ଚିନ୍ତାରେ ରହିଥିଲେ । ତାଙ୍କ ବାପା ପ୍ରଭାତ ପଣ୍ଡା କହିଛନ୍ତି, ମୋ ପୁଅକୁ ବଞ୍ଚେଇ ଦେଲେ ମା’ ଖମ୍ବେଶ୍ଵରୀ । ମୋ ପୁଅ ସହିତ ତା’ର ଦୁଇ ଜଣ ସାଙ୍ଗଙ୍କୁ ମଧ୍ୟ ବଞ୍ଚେଇ ଦେଇଛନ୍ତି ମା’ ଖମ୍ବେଶ୍ଵରୀ ।
ସେହିଭଳି ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆ ସନ୍ଦୀପ ମହାପାତ୍ର ଓ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ ମଧ୍ୟ ନିଖୋଜ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ । ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ୨୨ ଅଗଷ୍ଟ ୨୦୨୬ରେ ନେପାଳରେ ପହଞ୍ଚିଥିଲେ । ସେମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା । କିନ୍ତୁ ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଛନ୍ତି । ବର୍ତ୍ତମାନ ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି । ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ତାଙ୍କ ଭଉଣୀଙ୍କ ଠାରୁ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ପ୍ରଦାନ କରାଯାଇଛି । ସେମାନେ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡିଛି ।
ଏହି ସଙ୍କଟଜନକ ପରିସ୍ଥିତିରେ ବିପଦରେ ଥିବା ଓଡ଼ିଶାର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଯେକୌଣସି ବ୍ୟକ୍ତି ସହାୟତା ପାଇଁ ଦିଆଯାଇଥିବା ନମ୍ବରଗୁଡ଼ିକରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଓଡ଼ିଶା ନିବାସ କଣ୍ଟ୍ରୋଲ ରୁମ୍ ନମ୍ବର ହେଲା 7428135044 ଏବଂ 8527580245। ସେହିପରି ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 011-23012807। ଏହା ବ୍ୟତୀତ, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ହେଲା +977 9851316807 ଏବଂ +977 9709107500।

ad-week
Leave A Reply

Your email address will not be published.