
ନୟାଗଡ଼ (ନିସର୍ତ୍ତ): ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୂରାତନ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜସୁନାଖଳା ଓ ଆଖ ପାଖ ଅଞ୍ଚଳରେ ଗହ୍ମା ଡିଆଁ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନୃସିଂହପୁର ଟାଙ୍ଗୀସାହିରେ ଗୁରୁବାର ଦିନ ଅପରାହ୍ନ ସମୟରେ ବିନାୟକ ଯୁବ କମିଟି ପକ୍ଷରୁ ଧୁମ ଧାମରେ ଅନୁଷ୍ଠିତ ହୋଇ ଯାଇଛି ।
ବିନାୟକ କମିଟିର ସଭାପତି ବିଶ୍ଵନାଥ ବାରଡଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ , ସମିତି ସଭ୍ୟ ତପନ କୁମାର ପ୍ରଧାନ , ବିନାୟକ ଯୁବକ ସଂଘର ଉପଦେଷ୍ଠା ଲକ୍ଷ୍ମଣ ରଣା, ଅନନ୍ତ ଦାସ ଓ ବଳ ରାମ ମାଲିକ , ସମ୍ପାଦକ ପ୍ରଭାତ କୁମାର ପ୍ରଧାନ , ସକ୍ରିୟ ସଭ୍ୟ ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ଗହ୍ମା ଡିଆଁ ପ୍ରତିଯୋଗିତାରେ ସ୍ଥାନୀୟ ଓ ଆଖ ପାଖ ଅଞ୍ଚଳର ଯୁବକମାନେ ଅଂଶ ଗ୍ରହଣ କରିଥିଲେ। ଖୁଣ୍ଟ ଓ ଦଉଡ଼ି ସାହାଯ୍ୟରେ ମୂଲ୍ୟବାନ ଜିନିଷ ପତ୍ର ବନ୍ଧା ହୋଇ ଥିଲା । ଯୁବକ ମାନେ ଦୌଡ଼ି ଲମ୍ବା ଡିଆଁ ମାରି ଜିନିଷ ପତ୍ରକୁ ହାତ ବଜାଇ ନେଇ ଥିଲେ । ଏହି ପ୍ରତିଯୋଗିତା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଶତାଧିକ ଗ୍ରାମ ବାସୀ ମାନେ ଉପସ୍ଥିତ ରହି ଥିଲେ । ଏହି କାର୍ଯ୍ୟକ୍ରମରେ ବିନାୟକ ଯୁବ କମିଟିର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।
