
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ୟାବରା ସହରର ଭୋପାଳ ବାଇପାସରେ ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବ୍ୟାବରା ସିଭିଲ୍ ହସ୍ପିଟାଲକୁ ପଠାଇଥିଲା । ଗୁରୁତର ଆହତଙ୍କୁ ପରେ ଭୋପାଳକୁ ରେଫର୍ କରାଯାଇଛି ।
ଖବର ମୁତାବକ, ସକାଳ ପ୍ରାୟ ୭ଟା ସମୟରେ ଭୋପାଳ ବାଇପାସ୍ ପୋଲ ଉପରେ ବସ୍ ଟି ଉତ୍ତରପ୍ରଦେଶର କାନପୁରରୁ ଇନ୍ଦୋର ଯାଉଥିଲା । ପୋଲ ଉପରେ ମୋଡ଼ ନେବା ସମୟରେ ବସଟି ନିୟନ୍ତ୍ରଣ ହରାଇ କଡ଼ରେ ଥିବା ବାଡ଼ରେ ଧକ୍କା ହୋଇଥିଲା । ଫଳରେ ପ୍ରାୟ ୩୦ ଫୁଟ୍ ଉଚ୍ଚ ପୋଲରୁ ପ୍ରାୟ ୪ ଜଣ ଯାତ୍ରୀ ତଳେ ଥିବା ସର୍ଭିସ୍ ରୋଡକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଇନ୍ସପେକ୍ଟର ରବି କେଭି, ବସ୍ ଚାଳକ ବିକାଶ ଶୁକ୍ଳା, ବେଲାଲ୍ ଅଲୀ ଏବଂ ଜ୍ୟୋତିରାଦିତ୍ୟ ସିଂହ ଗୋଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଘଟଣା ପରେ ଅତିରିକ୍ତ ଏସ୍ପି କେ.ଏଲ୍ ବଞ୍ଜାରେ କହିଛନ୍ତି, ବେଙ୍ଗାଲୁରୁରୁ ଗୋଟିଏ ସାଇବର ଟିମ୍ ଜଣେ ଅଭିଯୁକ୍ତକୁ ଖୋଜିବା ପାଇଁ ବସରେ ଇନ୍ଦୋର ଯାଉଥିବା ବେଳେ ଦୁର୍ଘଟଣାରେ ଇନ୍ସପେକ୍ଟର ରବି କେଭିଙ୍କ ମୃତ୍ୟୁ ହୋଇଛି । ସବ୍-ଇନ୍ସପେକ୍ଟର ରମେଶ ନାୟକ, ଏଏସ୍ଆଇ ଶ୍ରୀନିବାସ ଏବଂ ଟେକ୍ନିକାଲ୍ ଷ୍ଟାଫ୍ ବିଶ୍ୱନାଥ ଆହତ ହୋଇଛନ୍ତି । ଏଏସ୍ଆଇ ଶ୍ରୀନିବାସଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୋପାଳକୁ ରେଫର୍ କରାଯାଇଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି ।
