୫୪୭କୁ ବୃଦ୍ଧି ପାଇଲା ନେପାଳ ମୃତ୍ୟୁ ସଂଖ୍ୟା, ୩୨୦ ଭାରତୀୟଙ୍କ ମିଳୁନି ପତ୍ତା

Independence

ନେପାଳ : ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ନେପାଳରେ ୯୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେହିଭଳି ତିବ୍ବତର ଗିରୋଙ୍ଗ କାଉଣ୍ଟିରେ ୫୫୦ରୁ ଅଧିକ ନିଖୋଜ । ଜୀବନ ସନ୍ଧାନରେ ସମୟ ବିପକ୍ଷରେ ଦୌଡ଼ୁଛନ୍ତି ଉଦ୍ଧାରକାରୀ ।

ନେପାଳ-ତିବ୍ବତରେ ବିଶାଳ ସର୍ଚ୍ଚ ଅପରେସନ୍ । ସେନା ହେଲିକପ୍ଟର ପ୍ରଭାବିତ ପାହାଡ଼ିଆ ଅଞ୍ଚଳରେ ଚକ୍କର କାଟୁଛି । ଡ୍ରୋନ୍ ଯୋଗେ ଦୁର୍ଗମ ସ୍ଥାନ ଯାଞ୍ଚ କରାଯାଉଛି । ସେନା ଓ ସୁରକ୍ଷାକର୍ମୀମାନେ ସ୍ନିଫର୍ ଡଗ୍ ସହ କାଦୁଅ ଓ ଧ୍ୱଂସାବଶେଷ ଭିତରେ ତଲାସୀ କରୁଛନ୍ତି । ନେପାଳରେ ହେଲିକପ୍ଟର ଯୋଗେ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ରେସକ୍ୟୁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ନେପାଳରେ ପ୍ରାୟ ୪୦ କିଲୋମିଟର ରାସ୍ତା ସହ ୧୯ଟି ପୋଲ ନଷ୍ଟ ହୋଇଯାଇଛି ।

ନେପାଳ ଜଳପ୍ରଳୟରେ ୩୨୦ରୁ ଅଧିକ ଭାରତୀୟ ନିଖୋଜ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତକାଲି ଉଦ୍ଧାର ହୋଇଥିବା ୨୧ ଭାରତୀୟ ଆଜି ଭାରତ ପହଞ୍ଚିଛନ୍ତି । ତେବେ ଚୀନ ପାର୍ଶ୍ବରେ ଥିବା ୪୦୦ ଭାରତୀୟ ସୁରକ୍ଷିତ ଅଛନ୍ତି । ୮୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଘଟଣାର ୩ୟ ଦିନରେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏଥିପାଇଁ ୭୪୫୧ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ଏଥିରେ ନେପାଳ ସେନାର ୨,୩୯୧ ଯବାନ ସାମିଲ ରହିଛନ୍ତି ।

ତେବେ ସ୍ଥିତି ଏଭଳି ହେଲାଣି ଯେ, ମୃତଦେହଗୁଡ଼ିକୁ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ମୃତଦେହଗୁଡ଼ିକୁ ନୁୱାକୋଟ, ଚିତୱାନ, ତାନାହୁନ ଓ ନବଲପରାସି ସମେତ କେନ୍ଦ୍ରୀୟ ନେପାଳର ବିସ୍ତୃତ ଅଞ୍ଚଳରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ସ୍ଥାନ ସରିଯିବା ପରେ ଅନେକ ଜିଲ୍ଲାର କର୍ତ୍ତୃପକ୍ଷ ମୃତଦେହଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ମୃତଦେହ ଉଦ୍ଧାର ହେଲେ ଏସବୁର ସଂରକ୍ଷଣ ପାଇଁ ଅସ୍ଥାୟୀ ସୁବିଧା ପ୍ରସ୍ତୁତ କରାଯାଉଛି ।

ad-week
Leave A Reply

Your email address will not be published.