ନୟାଗଡ଼ (ନିସର୍ତ୍ତ): ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ରାଜସୁନାଖଳା କଲେଜ ପରିସରରେ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ରବିବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁବର୍ଣ୍ଣ ଜୟନ୍ତୀ ଆୟୋଜନ କରିବା ଉଦ୍ଦେଶ୍ୟରେ ପୂର୍ବତନ ବିଧାୟକ ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମିଶ୍ରଙ୍କ ସଭାପତିତ୍ବରେ କଲେଜ ଅଧ୍ୟକ୍ଷ ଡ. ବ୍ରଜ କିଶୋର ସାହୁ, ପୂର୍ବତନ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ନାଥ ମିଶ୍ର, ଅଧ୍ୟାପକ କୁବେର ବିଶ୍ଵାଳ, ଡ. ରାଜ କିଶୋର ସାହୁ, ରବୀନ୍ଦ୍ର ମହାପାତ୍ର ମଞ୍ଚାସିନ ହୋଇଥିଲେ । ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଦୀପ ଜାଳି ସଭା କାର୍ଯ୍ୟ ଉଦ୍ଘାଟନ କରିଥିଲେ । ଡ. ଗୋପାଳ କୁମାର ସାହୁ ବେଦ ପଠନ କରିଥିଲେ ।
ଏହି ଅବସରରେ କଲେଜର ଆଲୁମନି ସଭା କମିଟି ଗଠନ କରାଯାଇ ଥିଲା । ଅଧ୍ୟାପକ ଡ. ଅର୍ଧେନ୍ଦୁ କୁମାର ରଂଜିତସିଂ ଙ୍କ ସଂଯୋଜନା କ୍ରମେ ସମାହିତ ହୋଇଥିବା ଆଲୁମନି ସଭାରେ ଶ୍ରୀଯୁକ୍ତ ସର୍ବେଶ୍ୱର ସାହୁଙ୍କୁ ସଭାପତି ଓ ଶ୍ରୀଯୁକ୍ତ ସଚିକାନ୍ତ ଷଡ଼ଙ୍ଗୀ ସମ୍ପାଦକ ଓ ଅଧ୍ୟାପିକା ରିତା ପଟନାୟକ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏଥି ସହିତ ରାଜସୁନାଖଳା କଲେଜର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବକୁ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ିଙ୍କ ତତ୍ୱାବଧାନରେ ମହାସମାରୋହରେ ପାଳନ କରିବା ଉଦ୍ଦେଶ୍ୟରେ ସ୍ଥିରୀକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସ୍ଥାନୀୟ ଅଞ୍ଚଳର ବହୁ ଜ୍ଞାନୀ, ଗୁଣୀ ,ସମାଜସେବୀ ଓ ୨୦୦ରୁ ଉର୍ଦ୍ଧ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
