ଶରଣକୁଳ ମହାବିଦ୍ୟାଳୟରେ ‘ଓସ୍ନେଲିଆ’ର ଅନୁଦାନ ପକ୍ଷ ପାଳିତ: ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୨ରୁ ମହାଆନ୍ଦୋଳନ ଚେତାବନୀ

Independence

ନୟାଗଡ଼ (ନିସର୍ତ୍ତ): ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ (ଓସ୍ନେଲିଆ) ପକ୍ଷରୁ ଶରଣକୁଳ ମହାବିଦ୍ୟାଳୟ ପରିସରରେ ‘ଅନୁଦାନ ପକ୍ଷ’ ପାଳିତ ହୋଇଯାଇଛି l ୧/୬/୨୦୦୮ ରୁ ୧/୬/୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ ଏହି ଅଭିଯାନ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ l

ଗତ ବର୍ଷ ବିଧାନସଭାର ମୌସୁମୀ ଅଧିବେଶନ ବେଳେ ସଂଘ ପକ୍ଷରୁ ଚାଲିଥିବା ଆମରଣ ଅନଶନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ସ୍ଥଗିତ ରଖାଯାଇଥିଲା l ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଓ ନିର୍ଦ୍ଦେଶକ କାଳିପ୍ରସନ୍ନ ମହାପାତ୍ରଙ୍କ ସହ ସଂଘ ଦୀର୍ଘ ଏକ ବର୍ଷ ଧରି ଆଲୋଚନା କରିଆସୁଛି l ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାରିଥିଲେ ମଧ୍ୟ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ l ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରତିବାଦ ସ୍ୱରୂପ ଆସନ୍ତା ଗୁରୁ ଦିବସକୁ ‘କଳା ଦିବସ’ ଦିବସ ଭାବେ ରାଜ୍ୟବ୍ୟାପୀ ପାଳନ କରାଯିବ l ଏହା ସହ ସେପ୍ଟେମ୍ବର ୨୨ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ l
ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ସଂଘ ବାଧ୍ୟ ହୋଇ ବୃହତ ଆନ୍ଦୋଳନକୁ ଓହ୍ଲାଉଛି ବୋଲି ନୟାଗଡ଼ ଜିଲ୍ଲା ସଂଯୋଜକ ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସଂଘ ପବିତ୍ର ଗୁରୁ ଦିବସକୁ ‘କଳା ଦିବସ’ ଭାବେ ପାଳନ କରିବ l ଏହାସହ ଆସନ୍ତା ସେପ୍ଟେମ୍ବର ୨୨ରୁ ସମସ୍ତ ମହାବିଦ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହିତ ପୁରୀ ଶ୍ରୀମନ୍ଦିରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବିରାଟ ପଦଯାତ୍ରା କରି ଦାବିପତ୍ର ପ୍ରଦାନ କରାଯିବ l
ଆନ୍ଦୋଳନ ଉଗ୍ରରୂପ ଧାରଣ କରିବା ପୂର୍ବରୁ ସରକାର ୨୦୦୮-୧୮ ଅବଧିର ଅନୁଦାନ ତୁରନ୍ତ ଘୋଷଣା କରନ୍ତୁ,ଅନ୍ୟଥା ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ତ ଅପ୍ରୀତିକର ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l

ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସସ୍ମିତା ଦାଶ, ମୋନାଲିସା ମିଶ୍ର, ଅମିତା ଦେଇ, ରାଜ ସୁନୀତା, ମୋନାଲିସା ସାମଲ,ସୁଜାତା ପ୍ରିୟଦର୍ଶିନୀ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.