
କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଘାଟମପୁର ଥାନା ଅନ୍ତର୍ଗତ ହିରଣୀ ଗାଁରେ ରବିବାର ସକାଳେ ମାଟି ଘର ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ଦିନମଜୁରିଆ ମୁକେଶ ଓ ତାଙ୍କ ୩ ଝିଅ ଅଛନ୍ତି। ମୁକେଶଙ୍କ ଆଉ ଜଣେ ୧୯ ବର୍ଷୀୟ ଝିଅ କାଜଲ ଗୁରୁତର ଆହତ ହୋଇ କାନପୁରର ହାଲେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ ୩ ଭଉଣୀଙ୍କ ବୟସ ୧୬, ୧୨ ଓ ୭ ବର୍ଷ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୯ଟା ୩୦ରେ ମୁକେଶ ଓ ତାଙ୍କ ୪ ଝିଅ ଘର ଭିତରେ ଥିବା ବେଳେ ହଠାତ୍ ଘରଟି ଭୁଶୁଡ଼ି ପଡ଼ିଥିଲା। ଗତ କିଛି ଦିନ ଧରି ଲଗାତାର ବର୍ଷା ହେଉଥିବାରୁ ମାଟିଘରଟି ଦୁର୍ବଳ ହୋଇପଡ଼ିଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଘର ଭୁଶୁଡ଼ିବା ଶବ୍ଦ ଶୁଣି ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ମାଟି ତଳେ ଫସିଥିବା ପରିବାରର ସଦସ୍ୟମାନଙ୍କୁ ଉଦ୍ଧାର ଆରମ୍ଭ କରିଥିଲେ। ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ।
ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ୫ ଜଣଙ୍କୁ ମାଟି ତଳୁ ବାହାର କରାଯାଇ ପାଟାରା ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉଦ୍ଧାର କାର୍ଯ୍ୟରେ ପୁଲିସର ବିଳମ୍ବ ଏବଂ ଚିକିତ୍ସାରେ ଡାକ୍ତରଙ୍କ ବିଳମ୍ବକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଦାବି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ କାଜଲଙ୍କ ଉତ୍ତମ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
