ମୋଦୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି, ପିଏମଓର ନକଲି ପରିଚୟପତ୍ର ଓ ବନ୍ଧୁକ ଜବତ, ୨ସନ୍ଦିଗ୍ଧ ଗିରଫ

ମୁମ୍ବାଇ : ମୁମ୍ବାଇରେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC)ସ୍ଥିତ ନୀତା ଅମ୍ବାନୀ କଲ୍ଚରାଲ୍ ସେଣ୍ଟରରୁ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ଥିବା ବେଳେ ସେଠାରୁ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ସହ ଥିବା ବଡିଗାର୍ଡଙ୍କ ନିକଟରୁ ଏକ ବନ୍ଧୁକ ମିଳିଥିବା ସୂଚନା ମିଳିଛି ।
ଖବର ମୁତାବକ, ଅଟକ ହୋଇଥିବା ୨୪ ବର୍ଷୀୟ ଯୁବକଙ୍କ ନାମ ରୋହନ ପାରେଖ ବୋଲି ସୂଚନା ମିଳିଛି । ସେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ର ଜଣେ ଅଧିକାରୀ ବୋଲି ପରିଚୟ ଦେଇଥିବା କୁହାଯାଉଛି । ପିଏମ୍ କାର୍ଯ୍ୟାଳୟର ନକଲି ପରିଚୟ ପତ୍ର ତିଆରି କରି ସୁରକ୍ଷାକର୍ମୀମାନେ ଯାଞ୍ଚ କରିବା ସମୟରେ ବର୍ତ୍ତି ଯାଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟ୍ ସମୟରେ ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ (GFF) ୨୦୨୬ର ସପ୍ତମ ସଂସ୍କରଣର ଉଦଘାଟନ କରିବେ । GFFକୁ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷେତ୍ରର ଏକ ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀ ଭାବେ ବିବେଚନା କରାଯାଏ । ଏଠାରେ ନୀତି ନିର୍ମାତା, ନିୟାମକ, କେନ୍ଦ୍ରୀୟ ବ୍ୟାଙ୍କ, ଆର୍ଥିକ ସଂସ୍ଥା, ଫିନଟେକ୍ ଓ ଟେକ୍ନୋଲୋଜି କମ୍ପାନୀ, ନିବେଶକ ଏବଂ ଶିକ୍ଷାବିତ୍ମାନେ ଯୋଗଦେଇ ଆର୍ଥିକ କ୍ଷେତ୍ରର ଭବିଷ୍ୟତ ନେଇ ଆଲୋଚନା କରି ବେ।
GFF ୨୦୨୬ର ମୁଖ୍ୟ ଲକ୍ଷ୍ୟ ହେଉଛି ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସମାବେଶ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକାକୁ ଆହୁରି ମଜବୁତ କରିବା । ସମ୍ମିଳନୀରେ ଏଜେଣ୍ଟିକ୍ AI, ପ୍ରୋଗ୍ରାମେବଲ୍ ଫାଇନାନ୍ସିଆଲ୍ ଇନଷ୍ଟ୍ରୁମେଣ୍ଟ, କ୍ୱାଣ୍ଟମ୍ ଟେକ୍ନୋଲୋଜି ସମେତ ବିଭିନ୍ନ ଉଦୀୟମାନ ପ୍ରଯୁକ୍ତି ଉପରେ ଆଲୋଚନା ହେବ ।
ମୁମ୍ବାଇ ଗସ୍ତ ପୂର୍ବରୁ ପିଏମ୍ ମୋଦି ବଦୋଦରାରେ ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍ (WDFC)ର ୩ଟି ଗୁରୁତ୍ୱପୂର୍ଣ୍ଣ ଖଣ୍ଡକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ତିନୋଟି ଖଣ୍ଡର ମୋଟ ଲମ୍ବ ପ୍ରାୟ ୩୨୬ କିଲୋମିଟର ଏବଂ ଏଗୁଡ଼ିକର ବିକାଶ ପାଇଁ ୨୦,୭୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି ।
