ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦୁବାଇ ଗସ୍ତ, ସୁଦୃଢ଼ ହେବ ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କ

Independence

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହାସହ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିବେଶ, ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି ଓ ଏମର୍ଜିଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଭାଗିଦାରୀ ଗଢ଼ି ତୋଳିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବିରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁଏଇରେ ଥିବା ଅଧିକାରୀ ଏବଂ ପ୍ରତିନିଧିମାନେ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ। ୟୁଏଇରେ ଥିବା ଭାରତୀୟ ଦୂତାବାସର ପ୍ରତିନିଧିମାନେ ମଧ୍ୟ ପ୍ରତିନିଧି ଦଳକୁ ସ୍ୱାଗତ ଜଣାଇଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆବୁଧାବି ଗସ୍ତ ସମୟରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଏବଂ ନିବେଶକ ଆଲୋଚନାର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ୟୁଏଇର ନିବେଶକ, ଅନୁଷ୍ଠାନ ଏବଂ ଶିଳ୍ପପତିମାନଙ୍କ ସହ ହେବାକୁ ଥିବା ବୈଠକଗୁଡ଼ିକ ଯେପରି ଫଳପ୍ରଦ ହେବ, ସେଥିପାଇଁ ସେ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ୟୁଏଇରେ  ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ଏବଂ ଜନସାଧାରଣଙ୍କ ସ୍ତରରେ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ଏବଂ କାର୍ଯ୍ୟରତ ଓଡ଼ିଆମାନଙ୍କୁ ଓଡ଼ିଶା  ଏବଂ ୟୁଏଇରେ  ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ସେତୁ ବୋଲି କହିଥିଲେ। ସେହି ଓଡ଼ିଆମାନଙ୍କ ପାଇଁ ନିରନ୍ତର ସହାୟତା, ସୁବିଧା ସୁଯୋଗ ଏବଂ ଇଜ୍ ଅଫ୍ ଲିଭିଂ ସୁନିଶ୍ଚିତ କରିବା ଉପରେ ସେ ବିଶେଷ ଗୁରୁତ୍ବ ଦେଇଥିଲେ।

ସେପ୍ଟେମ୍ବର ୯ର କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ( ଆଇଏଚସି ) ଏବଂ ଏହାର ବିଭିନ୍ନ ବ୍ୟବସାୟିକ ଶାଖା, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ ( ଆଇବିପିଜି),  ୟୁଏଇ ର ନିବେଶ ମନ୍ତ୍ରୀ ଓ ବରିଷ୍ଠ ନିବେଶକମାନଙ୍କ ସହ ଆଲୋଚନା ସାମିଲ ରହିଛି। ଏହାପରେ ପେଟ୍ରୋକେମିକାଲ୍ସ ଏବଂ କେମିକାଲ୍ସ କ୍ଷେତ୍ର ଉପରେ ଆଧାରିତ ଆଲୋଚନା ଅନୁଷ୍ଠିତ ହେବ। ଏହି ବୈଠକଗୁଡ଼ିକ ନିର୍ଦ୍ଦିଷ୍ଟ ନିବେଶ ସୁଯୋଗ, ଶିଳ୍ପ ଭାଗିଦାରୀ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଓଡ଼ିଶା-ୟୁଏଇ  ଆର୍ଥିକ ସମ୍ପର୍କକୁ ଅଧିକ ମଜବୁତ କରିବାର ମାର୍ଗ ସମ୍ପର୍କରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ।

ad-week
Leave A Reply

Your email address will not be published.