ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚୁଥିବା ବେଳେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ନେଇ ଆସିଛି ବଡ଼ ଖବର। ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ୬ ବର୍ଷ ପରେ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ରୁଟ୍ରେ ପୁଣିଥରେ ନିୟମିତ ଯାତ୍ରୀବାହୀ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଏୟାରଲାଇନ୍ସର ସୂଚନା ଅନୁସାରେ, ଆସନ୍ତା ୨୧ ସେପ୍ଟେମ୍ବରରୁ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ସିଧାସଳଖ ବିମାନ ଚଳାଚଳ ପୁଣି ଆରମ୍ଭ ହେବ। ସେବା ଆରମ୍ଭ ହେବା ପରେ ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ଦକ୍ଷିଣ ଏସିଆରେ ନିଜର ୮ଟି ଦ୍ୱିମୁଖୀ ରୁଟ୍ରେ ପ୍ରତି ସପ୍ତାହରେ ୧୦୦ରୁ ଅଧିକ ବିମାନ ଚଳାଇବ।
କରୋନା ମହାମାରୀ ସହିତ ଡୋକଲାମ ଏବଂ ଗଲୱାନ ଘଟଣା ପରେ ଭାରତ-ଚୀନ୍ ସମ୍ପର୍କରେ ଦେଖାଦେଇଥିବା ତୀବ୍ର ଉତ୍ତେଜନାର ପ୍ରଭାବ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗ ଉପରେ ମଧ୍ୟ ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଧରି ସିଧାସଳଖ ବିମାନ ସେବା ବନ୍ଦ ରହିଥିଲା। ତେବେ ୨୦୨୬ରେ ଦୁଇ ଦେଶ ଧୀରେ ଧୀରେ ବିମାନ ଯୋଗାଯୋଗ ପୁଣି ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ପ୍ରାୟ ୬ ବର୍ଷ ପରେ ଫେବ୍ରୁଆରୀ ୨୦୨୬ରୁ ଏୟାର ଇଣ୍ଡିଆ ନୂଆଦିଲ୍ଲୀରୁ ଚୀନ୍କୁ ବିମାନ ସେବା ପୁଣି ଆରମ୍ଭ କରିଥିଲା। ଏହା ପରେ ଏପ୍ରିଲରେ ଏୟାର ଚାଇନା ନିଜର ବେଜିଂ-ଦିଲ୍ଲୀ ସେବା ପୁଣି ଆରମ୍ଭ କରିଥିଲା। ସେହିପରି ଏପ୍ରିଲ ୧୮ରୁ ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ କୁନମିଙ୍ଗ-କୋଲକାତା ସିଧାସଳଖ ବିମାନ ସେବା ପୁଣି ଚାଲୁ କରିଥିଲା। ମାର୍ଚ୍ଚ ୩୦ରୁ ଇଣ୍ଡିଗୋ ମଧ୍ୟ କୋଲକାତା-ସାଂଘାଇ ମଧ୍ୟରେ ପ୍ରଥମ ଦୈନିକ ନନ୍ଷ୍ଟପ୍ ବିମାନ ଚଳାଚଳ ଆରମ୍ଭ କରିଥିଲା।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରାୟ ୭ ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆଦିଲ୍ଲୀ ଆସୁଛନ୍ତି। ଶନିବାର ସନ୍ଧ୍ୟାରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। ୨୦୨୦ର ଗଲୱାନ ଘାଟି ସଂଘର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ। ଗଲୱାନ ଘଟଣା ପରେ ଦୁଇ ଦେଶର ସମ୍ପର୍କରେ ଦୀର୍ଘ ସମୟ ଧରି ତିକ୍ତତା ଲାଗି ରହିଥିଲା। ତେବେ ଏବେ ଉଭୟ ଦେଶ ସମ୍ପର୍କକୁ ଧୀରେ ଧୀରେ ସୁଧାରିବା ଦିଗରେ ଆଗକୁ ବଢ଼ୁଛନ୍ତି। ତଥାପି ଏବେ ଏଥିରେ ଧିରେ ଧିରେ ସୁଧାର ଆସୁଛି । ଏହା ପୂର୍ବରୁ କାଜାନ ଓ ତିଆଞ୍ଜିନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।
ଜିନପିଙ୍ଗଙ୍କ ସହ ଭାରତ ଆସୁଥିବା ପ୍ରତିନିଧିମଣ୍ଡଳରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ସିପିସି କେନ୍ଦ୍ରୀୟ କମିଟି ଜେନେରାଲ ଅଫିସର ନିର୍ଦ୍ଦେଶକ କାଇ ଚି ଏବଂ ସିପିସି କେନ୍ଦ୍ରୀୟ କମିଟି ପଲିଟିକାଲ ବ୍ୟୁରୋ ସଦସ୍ୟ ତଥା ଚୀନ୍ର ବିଦେଶମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ସାମିଲ ଅଛନ୍ତି। ତେବେ ମୋଦୀ-ଜିନପିଙ୍ଗ ବୈଠକ ପୂର୍ବରୁ ଗ୍ୱାଙ୍ଗଝୁ-ଦିଲ୍ଲୀ ସିଧା ବିମାନ ସେବା ପୁଣି ଆରମ୍ଭ ହେବାର ଘୋଷଣାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବାର ଆଉ ଏକ ସଙ୍କେତ ଭାବେ ଦେଖାଯାଉଛି।
