ତିନି ବର୍ଷ ହେଲା ଅଧାପନ୍ତରିଆ ହଷ୍ଟେଲ କୋଠା…

ସରକାରୀ ଅର୍ଥ ହରଲୁଟ.. ଯନ୍ତ୍ରୀ ଓ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ କେବେ…??

ଉମରକୋଟ/ଝରିଗାଁ : ଦୁର୍ଗମ ଅଞ୍ଚଳର ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଯୋଗାଇ ଶିକ୍ଷାର ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ହଷ୍ଟେଲ ନିର୍ମାଣ କରାଯାଉଛି। କିନ୍ତୁ ନିର୍ମାଣ କାମ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ରହିଲେ ସରକାରଙ୍କ ଏହି ଉଦ୍ଦେଶ୍ୟ କେତେଦୂର ସାର୍ଥକ ହେଉଛି, ତାହା ନେଇ ଏବେ ପ୍ରଶ୍ନ ଉଠିଛି।

ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଛାତ୍ରମାନଙ୍କ ରହିବା ପାଇଁ ପ୍ରାୟ ତିନି ବର୍ଷ ତଳେ ଦୁଇ ମହଲା ବିଶିଷ୍ଟ ହଷ୍ଟେଲ କୋଠା ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ନୂତନ ହଷ୍ଟେଲ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହାର ସୁବିଧା ଛାତ୍ରମାନେ ପାଇପାରୁନାହାନ୍ତି।

ବର୍ତ୍ତମାନ ବିଦ୍ୟାଳୟରେ ପ୍ରାୟ ୪୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସୂଚନା ମିଳିଛି। ସେଥିମଧ୍ୟରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଏଥିରେ ୨୧୦ ଜଣ ଛାତ୍ରୀ ଓ ୧୪୦ ଜଣ ଛାତ୍ର ରହିଛନ୍ତି। ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧା ଥିବାବେଳେ ଛାତ୍ରମାନଙ୍କ ପାଇଁ ନିର୍ମାଣାଧୀନ ନୂତନ ହଷ୍ଟେଲ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ। ତେଣୁ ୧୪୦ ଜଣ ଛାତ୍ରଙ୍କୁ ପୁରୁଣା ଅତିରିକ୍ତ ଶ୍ରେଣୀଗୃହରେ ରହିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।

ହଷ୍ଟେଲ ନିର୍ମାଣ ପାଇଁ ସରକାରୀ ଅର୍ଥ ବ୍ୟୟ ହେଉଥିବା ସତ୍ତ୍ୱେ ପ୍ରାୟ ତିନି ବର୍ଷ ଧରି କାମ ଶେଷ ହୋଇନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କାମ ଶେଷ କରିବା ପାଇଁ ଯଦି ନିର୍ଦ୍ଧାରିତ ସମୟସୀମା ଥିଲା, ତେବେ ସେହି ସମୟସୀମା ମଧ୍ୟରେ କାମ କାହିଁକି ସମ୍ପୂର୍ଣ୍ଣ ହେଲା ନାହିଁ? ବିଳମ୍ବ ପାଇଁ କିଏ ଦାୟୀ? ଏହାର ସ୍ପଷ୍ଟ ଉତ୍ତର ବିଭାଗ ଦେବା ଆବଶ୍ୟକ ବୋଲି ଦାବି ହେଉଛି।

ନିର୍ମାଣ କାମ ଦୀର୍ଘ ସମୟ ଧରି ଅସମ୍ପୂର୍ଣ୍ଣ ରହିଥିବାରୁ ସମ୍ପୃକ୍ତ ଠିକାଦାରଙ୍କ କାର୍ଯ୍ୟଗତି ଓ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ସମୟରେ କାମ ଶେଷ କରାଯାଇଛି କି ନାହିଁ, ବିଳମ୍ବ ହୋଇଥିଲେ ବିଭାଗ ପକ୍ଷରୁ ଠିକାଦାରଙ୍କୁ କୌଣସି ନୋଟିସ୍ ଦିଆଯାଇଛି କି ନାହିଁ ଏବଂ ନିୟମ ଅନୁଯାୟୀ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ—ଏସବୁ ବିଷୟରେ ସ୍ପଷ୍ଟତା ଦାବି ହୋଇଛି।

ନିର୍ମାଣ କାମର ତଦାରଖ ଓ ଗୁଣବତ୍ତା ଯାଞ୍ଚ ପାଇଁ ଦାୟିତ୍ୱରେ ଥିବା JE ନିୟମିତ ଭାବେ କାମ ପରିଦର୍ଶନ କରୁଥିଲେ କି? ଯଦି ତଦାରଖ ହେଉଥିଲା, ତେବେ ଏତେ ଦିନ ଧରି କାମ ଅସମ୍ପୂର୍ଣ୍ଣ ରହିବାର କାରଣ କଣ? ନିର୍ମାଣର ଗୁଣବତ୍ତା, ମାପ ଓ କାମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଭାବେ କେମିତି ଯାଞ୍ଚ କରାଯାଇଛି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି।

ହଷ୍ଟେଲ ନିର୍ମାଣରେ କେତେ ଟଙ୍କା ମଞ୍ଜୁର ହୋଇଥିଲା, କାମର ସମୟସୀମା କେତେ ଥିଲା, ଏପର୍ଯ୍ୟନ୍ତ କେତେ ଟଙ୍କା ବ୍ୟୟ ହୋଇଛି, କେତେ ପ୍ରତିଶତ କାମ ଶେଷ ହୋଇଛି ଏବଂ ବିଳମ୍ବର ପ୍ରକୃତ କାରଣ କଣ—ଏସବୁ ତଥ୍ୟ ବିଭାଗ ପକ୍ଷରୁ ସାର୍ବଜନୀନ କରାଯିବା ଆବଶ୍ୟକ।

ଏଥିସହ ନିର୍ମାଣ କାମରେ ନିୟମ ଉଲ୍ଲଂଘନ, ଗୁଣବତ୍ତା ସମ୍ପର୍କିତ ତ୍ରୁଟି କିମ୍ବା ଅନ୍ୟ କୌଣସି ଅନିୟମିତତା ହୋଇଛି କି ନାହିଁ, ସେନେଇ ନିରପେକ୍ଷ ବିଭାଗୀୟ ଯାଞ୍ଚ କରାଯିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଦୀର୍ଘ ସମୟ ଧରି ଛାତ୍ରମାନେ ଅସ୍ଥାୟୀ ବ୍ୟବସ୍ଥାରେ ରହୁଥିବାରୁ ସେମାନଙ୍କ ପାଠପଢ଼ା ଓ ରହଣୀ ଉପରେ ପଡ଼ୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଆଉ ବିଳମ୍ବ ନକରି ହଷ୍ଟେଲ ନିର୍ମାଣ କାମ ସମ୍ପୂର୍ଣ୍ଣ କରି ଛାତ୍ରମାନଙ୍କୁ ତୁରନ୍ତ ଆବାସିକ ସୁବିଧା ଯୋଗାଇବାକୁ ପାଳିଆ ସହ ଝୋରୀଗାଁ ଓ ବାହାରରୁ ଆସିଥିବା ଅଭିଭାବଙ୍କୁ ଦାବି ଜୋରଦାର ହୋଇଛି।

ad-week
Leave A Reply

Your email address will not be published.