ଧାନଚୋରି ଘଟଣାରେ ୪ ନାବାଳକଙ୍କ ସମେତ ୫ ଗିରଫ…


୪୬ କ୍ୱିଣ୍ଟାଲ ଧାନ ଜବତ, ଅଟୋ ଓ ବାଇକ୍ ଜବତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଘଟିଥିବା ଧାନ ଚୋରି ଘଟଣାରେ ଉମରକୋଟ ପୋଲିସ ତ୍ୱରିତ ପଦକ୍ଷେପ ନେଇ ୪ ଜଣ ନାବାଳକଙ୍କ ସମେତ ମୋଟ ୫ ଜଣଙ୍କୁ ଧରିଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୪୬ କ୍ୱିଣ୍ଟାଲ ଧାନ ଜବତ ହୋଇଥିବା ବେଳେ ଚୋରିରେ ବ୍ୟବହୃତ ଏକ ଅଟୋ ଓ ଏକ ବାଇକ୍ ମଧ୍ୟ ପୋଲିସ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଉମରକୋଟ ସହରର ମିଲର ଗଣେଶ ପାଢ଼ୀଙ୍କ ହାଟପଦାସ୍ଥିତ ଆରଏମସି ଗୋଦାମରେ ଧାନ ମହଜୁଦ ଥିଲା। ଗତ ୮ ତାରିଖ ରାତିରେ ଦୁର୍ବୃତ୍ତମାନେ ଗୋଦାମର ଭେଣ୍ଟିଲେଟର ଭାଙ୍ଗି ପ୍ରାୟ ୪୦୪ ବସ୍ତା ଧାନ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ଚୋରି ହୋଇଥିବା ଧାନର ଓଜନ ପ୍ରାୟ ୧୮୬ କ୍ୱିଣ୍ଟାଲ ଏବଂ ଆନୁମାନିକ ମୂଲ୍ୟ ୪ ଲକ୍ଷ ୪୦ ହଜାର ୬୩୪ ଟଙ୍କା ବୋଲି ମିଲର ଗଣେଶ ପାଢ଼ୀ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଉମରକୋଟ ଥାନା ଆଇଆଇସି ଯୁଗଳ ଶବର ଘଟଣାର ତଦନ୍ତ ଦାୟିତ୍ୱ ପୋଲିସ ସବ୍-ଇନ୍ସପେକ୍ଟର ସଞ୍ଜୟ ମଣ୍ଡଳଙ୍କୁ ପ୍ରଦାନ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଉମରକୋଟ କେନାଲ ସାହିର ୧୯ ବର୍ଷୀୟ ଗୋଲୁ ହରିଜନଙ୍କୁ ଧରିଥିଲା। ତାଙ୍କୁ ପଚରାଉଚରା ପରେ ଚୋରି ଘଟଣା ସମ୍ପର୍କରେ ଅନ୍ୟ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଇଛି। ପରବର୍ତ୍ତୀ ତଦନ୍ତରେ ଚୋରି ଘଟଣାରେ ୪ ଜଣ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବା ପରେ ସେମାନଙ୍କୁ ମଧ୍ୟ ଧରାଯାଇଛି। ଏହି ଘଟଣାରେ ପୋଲିସ ଉମରକୋଟ ସହର ଢେପଗୁଡା ଗ୍ରାମର ମଙ୍ଗୁଳି ସାହୁ ଓ ଦାମଧର ସାହୁଙ୍କ ଘରେ ଚଢ଼ାଉ କରି ୧୦୦ ବସ୍ତା ଧାନ ଜବତ କରିଛି। ଜବତ ଧାନର ଓଜନ ପ୍ରାୟ ୪୬ କ୍ୱିଣ୍ଟାଲ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମଙ୍ଗୁଳି ସାହୁ ଓ ଦାମଧର ସାହୁଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବା ପରେ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯାଇଥିବା ଆଇଆଇସି ଯୁଗଳ ଶବର ସୂଚନା ଦେଇଛନ୍ତି।

ଚୋରି ଘଟଣାରେ ବ୍ୟବହୃତ ଏକ ବାଜାଜ୍ ଅଟୋ, ଯାହାର ପଞ୍ଜୀକରଣ ନମ୍ବର OD 30B 4296, ଏବଂ ଏକ ବାଇକ୍, ଯାହାର ପଞ୍ଜୀକରଣ ନମ୍ବର CG 05 H 8609, ପୋଲିସ ଜବତ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋଲୁ ହରିଜନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୪ ନାବାଳକଙ୍କୁ ନବରଙ୍ଗପୁରସ୍ଥିତ ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍ ଜୁଭେନାଇଲ୍ କୋର୍ଟରେ ଉପସ୍ଥାପନ କରାଯାଇଛି।

ତେବେ ଚୋରି ହୋଇଥିବା ସମ୍ପୂର୍ଣ୍ଣ ଧାନ ଏପର୍ଯ୍ୟନ୍ତ ଜବତ ହୋଇନଥିବାରୁ ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଫେରାର ଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଧରିବା ସହ ବଳକା ଚୋରି ଧାନ ଜବତ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଆଇଆଇସି ଯୁଗଳ ଶବର ସୂଚନା ଦେଇଛନ୍ତି। ଜବତ ହୋଇଥିବା ଧାନକୁ ମିଲ୍ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.