ପାଲଟା ଅଭିଯୋଗ ଆଣିଲେ ଶିଶୁ ବାଟିକା ଶିକ୍ଷୟିତ୍ରୀ, ଦୁଇଟି ଅଭିଯୋଗକୁ ନେଇ ପୁଲିସର ତଦନ୍ତ
ଉମରକୋଟ/ରାଇଘର : ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷା ସହ ଶୃଙ୍ଖଳାର ପାଠ ପଢ଼ାଯାଏ। ହେଲେ ଏହି ଶିକ୍ଷାନୁଷ୍ଠାନ ପରିସରରେ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ, ଏହାର କିଛି ସମୟ ପରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅସଦାଚରଣର ପାଲଟା ଅଭିଯୋଗ ଆସିଛି। ଦୁଇଟି ପୃଥକ ଅଭିଯୋଗକୁ ନେଇ ଘଟଣାଟି ଏବେ ଜଟିଳ ରୂପ ନେଇଥିବା ବେଳେ ରାଇଘର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶିଶୁ ବାଟିକା ଶିକ୍ଷୟିତ୍ରୀ ସବିତା ହରିଜନ ଓ ରୋଷେଇଆ ମିଚି ଜାନି ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିଥିବାରୁ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସ ସେମାନଙ୍କୁ ତାଗିଦ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା କୁହାଯାଉଛି।
ପରେ ମଧ୍ୟାହ୍ନ ଭୋଜନ ପରେ ସାଲେଭଟା ଗ୍ରାମର ଦେବୁ ହରିଜନ ଓ ଧନସିଂ ହରିଜନ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗ ହୋଇଛି। ସେଠାରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିବା ବେଳେ ନିକଟରେ ପଡ଼ିଥିବା କାଠ ଫାଳିଆରେ ତାଙ୍କ ମୁଣ୍ଡରେ ଆଘାତ କରାଯାଇଥିବା ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସ ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।
ଆହତ ଅବସ୍ଥାରେ ପ୍ରଧାନ ଶିକ୍ଷକ ନିଜ ପତ୍ନୀଙ୍କ ସହ ରାଇଘର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିବା ଜଣାପଡ଼ିଛି।
ତେବେ ଘଟଣା ଏଠାରେ ସୀମିତ ରହିନଥିଲା। କିଛି ସମୟ ପରେ ଶିଶୁ ବାଟିକା ଶିକ୍ଷୟିତ୍ରୀ ସବିତା ହରିଜନ ମଧ୍ୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ। ଦିନ ପ୍ରାୟ ୨ଟା ସମୟରେ ପ୍ରଧାନ ଶିକ୍ଷକ ତାଙ୍କୁ ରୋଷେଇ ଘରକୁ ଡାକି ନେଇ ଅସଦାଚରଣ କରିଥିବା ସେ ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଥିବା ଜଣାପଡ଼ିଛି।
ଗୋଟିଏ ପଟେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଏବଂ ଅନ୍ୟପଟେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ—ଏଭଳି ଦୁଇଟି ଗୁରୁତର ଅଭିଯୋଗକୁ ନେଇ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଘଟଣା ଚର୍ଚ୍ଚାରେ ରହିଛି।
ରାଇଘର ଥାନା ପୁଲିସ ଉଭୟ ପକ୍ଷର ଅଭିଯୋଗକୁ ପୃଥକ ଭାବେ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ, ଘଟଣାର ପ୍ରକୃତ କାରଣ ଏବଂ କିଏ କେଉଁ ଘଟଣାରେ ଦାୟୀ—ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବିଦ୍ୟାଳୟ ଭଳି ଏକ ଶିକ୍ଷାନୁଷ୍ଠାନରେ ଏଭଳି ବିବାଦ ଓ ପରସ୍ପର ବିରୋଧୀ ଅଭିଯୋଗ ଉଠିବାକୁ ନେଇ ଅଭିଭାବକ ଓ ସ୍ଥାନୀୟ ମହଳରେ ମଧ୍ୟ ଆଲୋଚ୍ୟର ବିଷୟ ସହ ଚିନ୍ତା ପ୍ରକାଶ ପାଇଛି।
