ଘୋଷଣାରେ ସୀମିତ ୧୦୦ ଇ-ବସ୍‌, କେବେ ହେବ ଦ୍ବିତୀୟ ଟେଣ୍ଡର୍‌ ?

ବ୍ରହ୍ମପୁର: ଯୋଜନା ପରେ ଯୋଜନା, ଘୋଷଣା ପରେ ଘୋଷଣା। କିନ୍ତୁ ବାସ୍ତବ ଚିତ୍ର ବଦଳୁ ନାହିଁ। ବ୍ରହ୍ମପୁର ସହରରେ ‘ଆମ ବସ୍’ ଚଳାଚଳକୁ ବ୍ୟାପକ କରିବାକୁ ସରକାରୀସ୍ତରରେ ଯୋଜନା ହେଉଛି। ୧୦୦ ଇ-ବସ୍ ଚଳାଚଳ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାତ୍ରୀଙ୍କ ପାଇଁ ମୌଳିକ ଆବଶ୍ୟକତା ତଥା ନିର୍ଦିଷ୍ଟ ବସ୍‌ଷ୍ଟପ୍‌ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର୍‌ ମଧ୍ୟ ହୋଇଥିଲା। ଜଣେ ମାତ୍ର ଟେଣ୍ଡର୍‌ରେ ଅଂଶଗ୍ରହଣ କରିବା କାରଣରୁ ତାହାକୁ ବାତିଲ କରି ଦିଆଯାଇଥିଲା। ପରେ, ପାଣ୍ଠି ଅଭାବ ଦର୍ଶାଯାଇ ଆଉ ଦ୍ବିତୀୟବାର ଟେଣ୍ଡର୍‌ ହୋଇପାରୁନି।

ସହରରେ ଚଳାଚଳ କରୁଥିବା ‘ଆମ ବସ୍’ ଯାତ୍ରୀ ଛିଡା ହେବା ସ୍ଥଳରେ ଅଟକୁ ନାହିଁ । ନା’ ଅଛି ନିର୍ଦିଷ୍ଟ ବସ୍‌ଷ୍ଟପ୍, ନା ଅଛି ସୁସଂଗଠିତ ଯାତ୍ରୀ ଅପେକ୍ଷାସ୍ଥଳ। ରାସ୍ତାକଡ଼ରେ ବସ୍‌କୁ ଅଟକାଇ ଯାତ୍ରୀ ଉଠାଇବା ଓ ଓହ୍ଲାଇବାକୁ ପଡୁଛି। ଏହା ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ସହ ସହରର ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ସମାଧାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ଭେ କରାଯାଇଥିଲା। ସହରରେ ରହିଥିବା ଯାତ୍ରୀ ବିଶ୍ରାମାଗାରଗୁଡ଼ିକୁ ନୂଆ ବସ୍‌ଷ୍ଟପ୍‌ରେ ପରିଣତ କରିବା ସହ ୭ଟି ମଡେଲ୍ ବସ-କ୍ୟୁ ସେଲଟର ଏବଂ ୨୧ ସାଧାରଣ ବସ୍-କ୍ୟୁ ସେଲଟର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବସ୍‌ଷ୍ଟପ୍‌ଗୁଡ଼ିକରେ ସୌରଶକ୍ତି ବ୍ୟବହାର ସହ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ଯୋଗାଇବା ପ୍ରସ୍ତାବ ମଧ୍ୟ ରହିଥିଲା। ଷ୍ଟେଟ୍ ବ୍ୟାଙ୍କ ଛକ, ହରିଡ଼ାଖଣ୍ଡି ଛକ, ବିଜିପୁର ଏବଂ ରାଜାରାଣୀ କମ୍ପ୍ଲେକ୍ସ ସମ୍ମୁଖ ଭଳି ପ୍ରମୁଖ ସ୍ଥାନରେ ମଡେଲ୍ ବସ୍‌ଷ୍ଟପ ନିର୍ମାଣ ଯୋଜନା ହୋଇଥିଲା। ଏଠାରେ କଫି ସପ୍‌ଠାରୁ ଆରମ୍ଭ କରି ବାୟୋ-ଟଏଲେଟ୍ ପର୍ଯ୍ୟନ୍ତ ସୁବିଧା ଯାତ୍ରୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା ହୋଇଥିଲା। ଅବଶିଷ୍ଟ ସ୍ଥାନଗୁଡ଼ିକରେ ସାଧାରଣ ବସ୍‌ଷ୍ଟପ ନିର୍ମାଣ ଯୋଜନା ରହିଥିଲା। ମଡେଲ ବସ୍‌ଷ୍ଟପ୍ ନିର୍ମାଣରେ ପ୍ରାୟ ୧.୪୯ କୋଟି ଟଙ୍କା ଏବଂ ସାଧାରଣ ବସ୍‌ଷ୍ଟପ୍ ପାଇଁ ପ୍ରାୟ ୨.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ନିର୍ମାଣ ଖର୍ଚ୍ଚ କ୍ରୁଟ୍ ବହନ କରିବ ଏବଂ ବିଡିଏ ତଦାରଖରେ ନିର୍ମାଣ କାର୍ଯ୍ୟ ହେବ ବୋଲି ଟେଣ୍ଡରରେ ଉଲ୍ଲେଖ ରହିଥିଲା। ନିର୍ମାଣ କାମ ୪ ମାସ ମଧ୍ୟରେ ସାରିବାକୁ ସମୟସୀମା ଧାର୍ଯ୍ୟ ହୋଇଥିଲା। କିନ୍ତୁ, ୪ ମାସ ପରେ ମଧ୍ୟ ସ୍ଥିତି ଯେଉଁଠି ଥିଲା, ସେଇଠି। ନା ବସ୍‌ଷ୍ଟପ ନିର୍ମାଣ ଆରମ୍ଭ ହେଲା ନା’ ବସ୍-କ୍ୟୁ ସେଲଟର୍ ତିଆରି ହେଲା। ଯାତ୍ରୀଙ୍କୁ ସୁବିଧାଜନକ ଓ ଶୃଙ୍ଖଳିତ ପରିବହନ ସେବା ଯୋଗାଇଦେବା ପ୍ରତିଶ୍ରୁତିର କୌଣସି ଚିହ୍ନ ଦେଖିବାକୁ ମିଳିଲା ନାହିଁ।

ବିଡିଏର ଜଣେ ଅଧିକାରୀଙ୍କ କହିବାନୁସାରେ, ଟେଣ୍ଡର୍‌ରେ କେବଳ ଗୋଟିଏ ସଂସ୍ଥା ଅଂଶଗ୍ରହଣ କରିଥିବାରୁ ଟେଣ୍ଡର୍‌କୁ ବାତିଲ କରାଯାଇଥିଲା। ପରେ ବସଷ୍ଟପ୍‌ ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଆସି ନଥିବାରୁ ପୁନଃ ଟେଣ୍ଡର ହୋଇପାରି ନାହିଁ। ଟେଣ୍ଡର୍‌ ବାତିଲ ହେବା ପରେ ଯୋଜନାକୁ ଆଗକୁ ନେବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଯେପରି ଆବଶ୍ୟକ ଥିଲା, ସେଥିରେ ମଧ୍ୟ ତତ୍ପରତା ପ୍ରକାଶ ପାଇଲା ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବ୍ରହ୍ମପୁର ସହରରେ ୪୫ଟି ‘ଆମ ବସ୍’ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି। ବସ୍ ଚଳାଚଳ ପାଇଁ ରୁଟ୍ ପ୍ରସ୍ତୁତ ହୋଇଛି। ଜିଲା ପ୍ରଶାସନ ସହ ଆଲୋଚନା ପରେ ଅତିରିକ୍ତ ବସ୍ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ରୁଟ୍ ପ୍ରସ୍ତୁତ ସହ ଅଧିକ ୧୦୦ ବସ୍ ଚଳାଚଳର ଯୋଜନା ହୋଇପାରୁଛି, କିନ୍ତୁ ଯାତ୍ରୀଙ୍କ ପାଇଁ ବସ୍‌ଷ୍ଟପ ନିର୍ମାଣ କରିବାରେ ପ୍ରଶାସନ ବିଫଳ କାହିଁକି ? ଯଦି ପାଣ୍ଠି ନାହିଁ, ତେବେ ଏତେବଡ଼ ଯୋଜନା ପାଇଁ ଟେଣ୍ଡର ଆହ୍ୱାନ କରାଗଲା କାହିଁକି, ତାହା ବର୍ତ୍ତମାନର ପ୍ରଶ୍ନ।

ad-week
Leave A Reply

Your email address will not be published.