କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳିଯାଇଛି। ହାତୀ ଭୟରେ ଲୋକେ ନିଜ ଚାଷ ଜମିକୁ ଯିବାକୁ ସାହସ କରୁନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତର ପାଳଖମଣ, ଟିକରପଡା, ପାଦୁଲଗୁଡ଼ା ଏବଂ ଟିଡିମସ୍କା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏହି ୧୩ଟି ହାତୀ ଦଳ ଡେରା ବାନ୍ଧି ରହିଛନ୍ତି। ସନ୍ଧ୍ୟା ନଇଁଲେ ହାତୀପଲ ଜଙ୍ଗଲରୁ ବାହାରି ଆଖପାଖ ଚାଷ ଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି।
ଉପଦ୍ରବର ଏହି ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ବନାଞ୍ଚଳ ଅଧିକାରୀ, ପାରାଗାର୍ଡ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବନ କର୍ମଚାରୀମାନେ ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପକ୍ଷରେ, କ୍ଷତିଗ୍ରସ୍ତ ଚାଷୀମାନଙ୍କ ଫସଲ ହାନିର ତୁରନ୍ତ ଆକଳନ କରି ଉଚିତ କ୍ଷତିପୂରଣ ପ୍ରଦାନ କରିବା ଏବଂ ଏହି ହାତୀ ଆତଙ୍କର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।
