ପୁରୀ: ପୁରୀ ବେଳାଭୂମିରେ ଗାଧୋଉଥିବା ସମୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ନାବାଳକ ପର୍ଯ୍ୟଟକ। ସମୁଦ୍ରର ପ୍ରଖର ସ୍ରୋତରେ ଭାସି ବୁଡ଼ିଯାଉଥିବା ବେଳେ ଲାଇଫ୍ଗାର୍ଡମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଉଭୟଙ୍କ ଜୀବନ ବଞ୍ଚାଇଛନ୍ତି।
ଉଦ୍ଧାର ହୋଇଥିବା ଦୁଇ ନାବାଳକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଆୟୁଷ ଗୁପ୍ତା (୧୭) ଏବଂ ଆୟନ ଗୁପ୍ତା (୧୪)।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଉଭୟ ସେକ୍ଟର-୪ ସ୍ଥିତ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ। ଏହି ସମୟରେ ସମୁଦ୍ରର ପ୍ରଖର ଓଟାରୁଣୀ ସ୍ରୋତ (‘ରିପ୍ କରେଣ୍ଟ’) ଯୋଗୁଁ ସେମାନେ ନିୟନ୍ତ୍ରଣ ହରାଇ ଗଭୀର ପାଣି ଭିତରକୁ ଟାଣି ହୋଇଯାଇଥିଲେ ଏବଂ ବୁଡ଼ିବାକୁ ଲାଗିଥିଲେ।
ସେମାନଙ୍କ ଚିତ୍କାର ଶୁଣି କୂଳରେ ମୁତୟନ ଥିବା ଲାଇଫ୍ଗାର୍ଡ କର୍ମଚାରୀମାନେ କାଳବିଳମ୍ବ ନକରି ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ। ଲାଇଫ୍ଗାର୍ଡମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଉଭୟଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା। ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ବେଳାଭୂମିରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ବର୍ତ୍ତମାନ ଉଭୟ ନାବାଳକ ସୁସ୍ଥ ଥିବା ଜଣାପଡ଼ିଛି।
