ବସ୍ତର : ପ୍ରାୟ ୧୩ ବର୍ଷ ତଳେ ଛତିଶଗଡ଼ ବସ୍ତର ଜିଲା ଝିରମ ଘାଟି ଅଂଚଳରେ ନକ୍ସଲ ଆକ୍ରମଣରେ ୨୯ ଜଣଙ୍କ ପ୍ରାଣହାନୀ ଘଟିଥିଲା । ବୁଧବାର ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଏହି ନରସଂହାରରେ ଛତିଶଗଡ଼ର ଛାମୁଆ କଂଗ୍ରେସ ନେତାମାନେ ମୃତ୍ୟୁବରଣ କରିଥିଲେ ।
୨୦୧୩ ମସିହା ମେ ୨୫ ତାରିଖରେ ଘଟିଥିଲା ନକ୍ସଲଙ୍କ ଏହି ବର୍ବର ନରସଂହାର । ରାଜ୍ୟ କଂଗ୍ରେସର ତତ୍କାଳୀନ ଛାମୁଆ ନେତାବୃନ୍ଦ ପରିବର୍ତନ ର୍ୟାଲି ସାରି ଫେରୁଥିବା ବେଳେ ବସ୍ତର ଜିଲା ଦରଭା ଥାନା ଅଧୀନସ୍ଥ ଝିରାମ ଘାଟିରେ ନକ୍ସଲ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦିନେଶ, ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି.ସି ଶୁକ୍ଳା, ପୂର୍ବତନ ବିଧାୟକ ଉଦୟ ମୁଦଲିୟାର ପ୍ରମୁଖଙ୍କ ସମେତ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୧୦୧ ଜଣ ସାକ୍ଷୀଙ୍କ ବୟାନ, ପାରିପାଶ୍ୱିର୍କ ପରିସ୍ଥିତି, ସ୍ଥଳବିଶେଷର ପ୍ରମାଣ ଆଦିକୁ ଗ୍ରହଣ କରି ଜଗଦଲପୁର ଏନଆଇଏ ସ୍ୱତନ୍ତ୍ର ଜଜ୍ ଏହି ରାୟ ପ୍ରଦାନ କରିବା ସହ ପ୍ରତ୍ୟେକଙ୍କୁ ୮୦୦ ଟଙ୍କା ଲେଖାଏ ଜରିମାନାରେ ଦଣ୍ଡିତ କରିଛନ୍ତି । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ରାୟ ବିରୁଦ୍ଧରେ ଅଭିଯୁକ୍ତମାନେ ୩୦ ଦିନ ମଧ୍ୟରେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ବିଚରାପତି ତାଙ୍କ ରାୟରେ କହିଛନ୍ତି ।
