ଅସରପାକୁ ମଣିଷ ସବୁବେଳେ ଘୃଣା କରେ । ଏଗୁଡିକ ଘରେ ବଢିଗଲେ ଘରେ ରହିବା କଷ୍ଟକର ହୋଇପଡ଼େ । ତେଣୁ ଅସରପାଙ୍କୁ ମାରିବାକୁ ଏବେ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ବିକ୍ରି ହେଉଛି । ଏଭିଳିକି ସେମାନଙ୍କ ବଂଶ ନିପାତ କରିବାକୁ କିଛି ସଂସ୍ଥା ମଧ୍ୟ ଗଢି ଉଠିଛନ୍ତି । କିନ୍ତୁ ଏବେ ସମୟ ବଦଳିବାକୁ ଆରମ୍ଭ ହୋଇଛି । ଅସରପା ଏବେ ମଣିଷର ଶତ୍ରୁ ନୁହେଁ ବରଂ ମଣିଷର ଜୀବନଦାତା ହେବାକୁ ଯାଉଛି! ଅବିଶ୍ୱାସ ଲାଗିଲେ ବି କଥାଟା ସତ । ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏବେ ଅସରପାକୁ ପ୍ରାକୃତିକ ବିପର୍ଯ୍ୟୟ ପରବର୍ତୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିବାକୁ ଯାଉଚନ୍ତି । ଏହା ସଫଳ ହେଲେ ଅସରପା ସାଜିବେ ବିପଦ ବେଳର ସବୁଠୁ ବଡ଼ ବନ୍ଧୁ ।
ଆସନ୍ତୁ ଜାଣିବା କଣ କେମିତି ଅସରପା କରିବେ ମଣିଷଙ୍କୁ ରକ୍ଷା:
ବାତ୍ୟା, ବନ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନେକ ବଡ଼ବଡ଼ ଅଟ୍ଟାଳିକା ଭୁଶୁଡି ପଡେ । ପାହାଡ ଧସିଯାଏ । ତା ତଳେ ଚାପି ହୋଇ ରହିଯାଏ ଅନେକ ଜୀବନ । ଏହି ବିପର୍ଯ୍ୟୟରୁ ଯେଉଁ କିଛି ଜଣଙ୍କ ଜୀବନ ବଂଚି ଯାଏଥାଏ, ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ସଂସ୍ଥାମାନ ପ୍ରାଣପଣେ ଉଦ୍ୟମ କରନ୍ତି । ତେବେ ଗଦାଗଦା ପାହାଡ ପଥର ଆବର୍ଜନା ଭିତରୁ ସେମାନଙ୍କୁ ଖୋଜି ବାହାର କରିବାକୁ କଷ୍ଟ ହୋଇଥାଏ । ଅନେକ ସମୟରେ ପଥର ଖୋଳି ଖୋଳି ଠିକଣା ଯାଗାରେ ପହଂଚିଲା ବେଳକୁ ପୀଡିତ ଜଣକ ମୃତ୍ୟୁବରଣ କରିସାରିଥାଏ । ଏବେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଯାଉଚନ୍ତି ଅସରପା । ଅଷ୍ଟ୍ରେଲିଆର ୟୁନିଭରସିଟି ଅଫ କ୍ୱିନ୍ସଲ୍ୟାଣ୍ଡ ଏବଂ ୟୁନିଭରସିଟି ଅଫ ନ୍ୟୁ ସାଉଥୱେଲସର ଗବେଷକମାନେ ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ରଜାତିର ଅସରପା ଠାବ କରିଛନ୍ତି । ଏହି ଅସରପାର ଲମ୍ବ ୩.୫ ଇଂଚ ହୋଇଥିବା ବେଳେ ଓଜନ ପ୍ରାୟ ୪୦ ଗ୍ରାମ । ଏହାର ନାମ ରଖାଯାଇଛି ପାରାବଗ୍ । ଅସରପାମାନଙ୍କର ବିଶେଷତ୍ୱ ହେଲା ସେମାନେ ନିଜ ଆକାରଠାରୁ ବି ଛୋଟ ସ୍ଥାନ ଦେଇ ଯାଆଆସ କରିପାରନ୍ତି ଓ ମାଟିର ଅନେକ ଗଭୀରତମ ସ୍ଥାନକୁ ଜୀବିତ ଅବସ୍ଥାରେ ଯାଇ ପହଂଚିପାରନ୍ତି । ଆହୁରି ମଧ୍ୟ ଏମାନେ ନିଜ ଓଜନଠାରୁ ଦେଢଗୁଣ ଅଧିକ ଓଜନ ନିଜ ପିଠିରେ ବହନ କରିପାରନ୍ତି । ଏହାକୁ ଲକ୍ଷ୍ୟ କରି ବୈଜ୍ଞାନିକମାନେ ଦୁଇପ୍ରକାର ପ୍ରଜାତିର ଏହି ଧରଣର ଅସରପାଙ୍କୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ପ୍ରଥମ ଶ୍ରେଣୀର ଅସରପାଙ୍କ ପିଠିରେ କ୍ଷୁଦ୍ର କ୍ୟାମେରା ସଂଯୋଗ କରିଦିଆଯିବ । ଯାହାଫଳରେ ଯେଉଁଠି ଯେଉଁଠି ପୀଡିତମାନେ ପୋତି ହୋଇଯାଇଥିବେ, ତାହା ଉଦ୍ଧାରକାରୀ ଦଳ ଜାଣିଯିବେ । ଅନ୍ୟ ଗୋଷ୍ଠୀର ଅସରପାରଙ୍କ ପିଠିରେ ଏକ ପ୍ରକାର ଇଂଜେକ୍ସନ ଲଦି ଦିଆଯିବ । ଏହା ଯେତେବେଳେ ପୀଡିତଙ୍କ ପାଖରେ ପହଂଚିବ, ସେତେବେଳେ ଆପେ ଆପେ ଜୀବନ ରକ୍ଷାକାରୀ ଇଂଜେକ୍ସନଟି ତାଙ୍କ ଦେହରେ ଫୋଡି ହୋଇଯିବ । ଫଳରେ ବହୁମୂଲ୍ୟ ଜୀବନଟିଏ ରକ୍ଷା ପାଇଯିବ । ପ୍ରକୃତରେ ଯଦି ଅଷ୍ଟ୍ରେଲିଆର ବୈଜ୍ଞାନିକମାନଙ୍କ ଏହି ଗବେଷଣା ସଫଳ ହେବ, ତେବେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇଯିବା ସହ ମାନବ ଜାତିର ଅଶେଷ କଲ୍ୟାଣ ସାଧିତ ହୋଇପାରିବ ।
