ଶଙ୍ଖନଦୀରେ ବୁଡ଼ି ୩ ଶିଶୁକନ୍ୟାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଜଣେ ନାବାଳକ

ବୀରମିତ୍ରପୁରରୁ : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସଳଙ୍ଗାବାହାଲ ପଞ୍ଚାୟତର ମାଝାଟୋଲୀ ଏବଂ ଡିପାପୋଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ/ଜଳ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ହାଫିନ୍ଦର ସାହୁଙ୍କ ପୁଅ ପ୍ରତାପ ସାହୁ (୯), ରାଜକୁମାର ସାହୁଙ୍କ ଝିଅ ସୃତି କୁମାରୀ ସାହୁ (୭), ଜୋଶପାଳ ସାହୁଙ୍କ ଝିଅ ସେବିକା ସାହୁ (୭) ଏବଂ ରାଜକୁମାର ସାହୁଙ୍କ ଅନ୍ୟ ଜଣେ ଝିଅ ଗୀତିକା ସାହୁ (୬) ଏକାଠି ଶଙ୍ଖ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ।

​ନଦୀରେ ଗାଧୋଉଥିବା ବେଳେ ପ୍ରବଳ ସ୍ରୋତ ଯୋଗୁଁ ସେମାନେ ଭାସିଯାଇ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସେହି ସମୟରେ ନିକଟରେ ଛେଳି ଚରାଉଥିବା ତାରିଣୀ ସାହୁ (୧୩) ଏହା ଦେଖି ତୁରନ୍ତ ପ୍ରତାପଙ୍କୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ଅନ୍ୟ ୩ ଜଣ ଶିଶୁ କନ୍ୟା ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

​ପରେ ଗ୍ରାମବାସୀମାନେ ପହଞ୍ଚି ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେବିକା ସାହୁ, ଗୀତିକା ସାହୁ ଓ ସୃତି କୁମାରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ରାଏବଗା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ad-week
Leave A Reply

Your email address will not be published.