ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ ଶୁଣାଣି ୨୨ରେ

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ଓ ନିଯୁକ୍ତିକୁ ନେଇ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨୨ ତାରିଖ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଡିଜି ଦୌଡ଼ରେ ଥିବା ସୁଶାନ୍ତ ନାଥ ସୁପ୍ରିମ୍‌କୋର୍ଟରେ ନିଜର ପକ୍ଷ ରଖିଥିଲେ। ସୁଶାନ୍ତ ନାଥଙ୍କ ଆଇନଜୀବୀ କହିଥିଲେ ଯେ ପୂର୍ବରୁ ଡିଜିପି ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ତାଲିକାରେ ସୁଶାନ୍ତଙ୍କ ନାମ ଥିଲା। ହେଲେ କେଉଁ ପରିସ୍ଥିତିରେ ତାଙ୍କ ନାମକୁ ରାଜ୍ୟ ସରକାର କାଟିଦେଲେ? ଏହାପଛରେ ଯଥାର୍ଥତା କ’ଣ ରହିଛି? ଯେଉଁଭଳି ଭାବେ ତାଙ୍କ ନାମକୁ କଟାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଦାବି କରିଛନ୍ତି। ତେଣୁ ତାଙ୍କ ଦାବି ସମ୍ପର୍କରେ ମତ ଓ ତଥ୍ୟ ପ୍ରଦାନ ପାଇଁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିଥିଲେ।
ସେହିପରି ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ପକ୍ଷରୁ ଦାଖଲ ରିପୋର୍ଟ ପରେ ଜନସ୍ୱାର୍ଥ ମାମଲାର ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ପୁଣିଥରେ ନିଜର ସତ୍ୟପାଠ ଦାଖଲ କରିଥିଲେ। ଓଡ଼ିଶା ସରକାର ଦାଖଲ କରିଥିବା ସତ୍ୟପାଠରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଡ଼ାଇ ଯାଇଥିବା ଅଭିଯୋଗ ଆଣି ସେ ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ୟୁପିଏସ୍‌ସି ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେତା ଆମିକସ୍ କ୍ୟୁରିଙ୍କ ରିପୋର୍ଟ ସମେତ ମାମଲାରେ ଦାଖଲ ହୋଇଥିବା ବିଭିନ୍ନ ସତ୍ୟପାଠରେ ଉଲ୍ଲେଖିତ ଆପତ୍ତି ଓ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ଖଣ୍ଡପୀଠଙ୍କ ନିକଟରେ ୭ ଦିନ ସମୟ ମାଗିଥିଲେ। ତୁଷାର ମେହତାଙ୍କ ଅନୁରୋଧକୁ ବିଚାରକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୧୬ ତାରିଖ ଧାର୍ଯ୍ୟ କରିଥିଲେ।

ad-week
Leave A Reply

Your email address will not be published.