୫ ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ’ ଉଦ୍‌ଘାଟିତ

puja26

ଭୁବନେଶ୍ୱର:  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ପ୍ରାକ୍ଟିସ୍ ଗ୍ରାଉଣ୍ଡଠାରେ ଆଜି (ମଙ୍ଗଳବାର) ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉଦ୍‌ଘାଟିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଯୋଗ ଦେଇଛନ୍ତି। 

ଆଜିର ଉଦ୍‌ଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆକାଶକୁ ବେଲୁନ୍ ଉଡ଼ାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଡ ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସହ ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ଅବସରରେ ବିଭାଗ ପକ୍ଷରୁ ପ୍ରସ୍ତୁତ ‘Orphan Survey Report 2025’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା। ସଭା ଆରମ୍ଭରେ, ଖୋର୍ଦ୍ଧାର ‘ଆଦୃତ ଶିଶୁ ଗୃହ’ର ପିଲାମାନଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଓଡ଼ିଶାର ୩୦ଗୋଟି ଜିଲ୍ଲାସ୍ତରୀୟ ଉତ୍ସବରୁ ବିଜୟୀ ହୋଇଥିବା ଶିଶୁମାନେ ଏହି ରାଜ୍ୟ ସ୍ତରୀୟ ମହୋତ୍ସବରେ ଅଂଶଗ୍ରହଣ କରୁଛନ୍ତି। ଆଗାମୀ ଦିନଗୁଡ଼ିକରେ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ବିତର୍କ ଏବଂ କୁଇଜ୍ ଭଳି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ନଭେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ମୋଟ ୫ ଦିନ ଧରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହାର ପ୍ରଥମ ୨ ଦିନ ‘ମହକ’ (ସୃଜନଶୀଳତା ଓ କଳାର ପର୍ବ) ଭାବେ ପାଳିତ ହେଉଥିବା ବେଳେ, ପରବର୍ତ୍ତୀ ୩ ଦିନ ‘ଉତ୍ସାହ’ (କ୍ରୀଡ଼ା, ଉତ୍ସାହ ଓ ପ୍ରତିଭାର ବିକାଶ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାଲି ‘ମହକ’ର ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

ad-week
Leave A Reply

Your email address will not be published.