
ବ୍ରହ୍ମପୁର, ନଭେମ୍ବର ୨, ୨୦୨୬: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା ଯଥା ବୌଦ୍ଧ, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସମସ୍ତ ପ୍ରଭାବିତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ କରାଯାଇଛି।
ଅନ୍ୟ ଦୁଇଟି ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଗଞ୍ଜାମରେ ୯୮.୪୮% ଏବଂ କନ୍ଧମାଳରେ ୯୯.୭୮% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇସାରିଛି। ଟିପିଏସ୍ଓଡିଏଲ୍ର ଆଠଟି ଜିଲ୍ଲାର ମୋଟ ୧୭,୮୮,୯୪୨ ଜଣ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୭,୭୫,୯୭୫ ଜଣଙ୍କୁ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରାଯାଇଛି, ଯାହାକି ମୋଟ ପ୍ରଭାବିତ କ୍ଷେତ୍ରର ୯୯.୨୮% ଅଟେ।
ଏହା ସହିତ କ୍ଷତିଗ୍ରସ୍ତ ହୋଇଥିବା ୪୬ଟି ୩୩ କେଭି ଫିଡର୍, ୧୩୦ଟି ୩୩/୧୧ କେଭି ସବ୍ଷ୍ଟେସନ୍ ଏବଂ ୬୫୮ଟି ୧୧ କେଭି ଫିଡର୍ର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ୟାପକ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୬,୫୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ ଏହି ଜରୁରୀକାଳୀନ କାର୍ଯ୍ୟରେ ପ୍ରାୟ ୪୦୦ଟି ଯାନବାହନ, ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍ ଏବଂ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ନିରବଚ୍ଛିନ୍ନ ସହାୟତା ଯୋଗାଇ ଆସୁଛି।
ଏହି ଉଲ୍ଲେଖନୀୟ ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇ ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଛଅଟି ଜିଲ୍ଲାରେ ଶତପ୍ରତିଶତ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କରିବା ଆମର ନିରନ୍ତର ପ୍ରୟାସର ଏକ ବଡ଼ ସଫଳତା। ଅତ୍ୟନ୍ତ ପ୍ରତିକୂଳ ତଥା କଠିନ ପରିସ୍ଥିତି ସତ୍ତ୍ୱେ ଆମର କ୍ଷେତ୍ର କର୍ମଚାରୀ, ଇଞ୍ଜିନିୟର ଏବଂ ସହାୟକ ଟିମ୍ର ଅକ୍ଲାନ୍ତ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ହିଁ ଏହା ସମ୍ଭବପର ହୋଇପାରିଛି। ଗଞ୍ଜାମ ଓ କନ୍ଧମାଳର ଅବଶିଷ୍ଟ କେତେକ ପ୍ରଭାବିତ ଉପଭୋକ୍ତାଙ୍କୁ ତୁରନ୍ତ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରିବା ପାଇଁ ଆମର ଟିମ୍ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ସମୟରେ କର୍ମଚାରୀ ଓ ଉପଭୋକ୍ତାମାନଙ୍କ ସୁରକ୍ଷାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛୁ।”
ଅବଶିଷ୍ଟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଥିବା ଉପଭୋକ୍ତାମାନଙ୍କ ନିକଟରେ ଯଥାଶୀଘ୍ର ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଟିପିଏସ୍ଓଡିଏଲ୍ର ଉତ୍ସର୍ଗୀକୃତ ଟିମ୍ଗୁଡ଼ିକ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି। ଏହି ବିପର୍ଯ୍ୟୟ ପରିସ୍ଥିତିରେ ଧୈର୍ଯ୍ୟ ଧରି ସହଯୋଗ କରିଥିବାରୁ ସଂସ୍ଥା ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଧନ୍ୟବାଦ ଜଣାଯାଇଛି।
