ସକାଳେ ଯୋଗଦାନ, ଅପରାହ୍ନରେ ପୁଣି ବଦଳି: ମାଲକାନଗିରିରେ ଶିକ୍ଷୟିତ୍ରୀଙ୍କ ୧୭ ଦିନିଆ ନାଟକୀୟ ଫେରନ୍ତା ଯାତ୍ରାକୁ ନେଇ ଚର୍ଚ୍ଚା

puja26

ଜଏନ୍ କଲେ, ଅପରାହ୍ନରେ ଚାଲିଗଲେ! ୧୭ ବର୍ଷରେ ଯାହା ସମ୍ଭବ ହୋଇପାରି ନଥିଲା, ତାହା ମାତ୍ର ୧୭ ଦିନରେ କିପରି ସମ୍ଭବ ହେଲା? ୧୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଦୁଇ ଦୁଇଥର ବଦଳି ଆଦେଶ ପ୍ରକାଶ ପାଇବା ପରେ ପୁଣି ନିଜ ପୁରୁଣା ବ୍ଲକ୍ ଚିତ୍ରକୋଣ୍ଡାକୁ ଫେରିଲେ ଶିକ୍ଷୟିତ୍ରୀ! ସକାଳେ ନୂଆ ବିଦ୍ୟାଳୟରେ ଯୋଗଦାନ ଏବଂ ଅପରାହ୍ନରେ ପୁଣି ପୁରୁଣା କାର୍ଯ୍ୟସ୍ଥଳକୁ ଫେରିବା ଭଳି ଅଭାବନୀୟ ଘଟଣାକୁ ନେଇ ଏବେ ସ୍ଥାନୀୟ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ହଠାତ୍ ଏହି ବଦଳି ଆଦେଶ ପରିବର୍ତ୍ତନ ହେବାର ପ୍ରକୃତ କାରଣ କ’ଣ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାଲକାନଗିରି: ୧୭ ବର୍ଷ ଧରି ଯାହା ସମ୍ଭବ ହୋଇପାରି ନଥିଲା, ତାହା ମାତ୍ର ୧୭ ଦିନ ମଧ୍ୟରେ କିପରି ସମ୍ଭବ ହେଲା? ଜିଲ୍ଲାପାଳଙ୍କ ଦୁଇଟି ବଦଳି ଆଦେଶ ମଧ୍ୟରେ ଏପରି କେଉଁ ପରିସ୍ଥିତି ସୃଷ୍ଟି ହେଲା ଯେ, ଜଣେ ଶିକ୍ଷୟିତ୍ରୀ ନୂତନ ବିଦ୍ୟାଳୟରେ ଯୋଗଦାନ କରିବାର କିଛି ଘଣ୍ଟା ପରେ ପୁଣି ନିଜ ପୁରୁଣା ବ୍ଲକ୍ ଚିତ୍ରକୋଣ୍ଡାକୁ ଫେରିଆସିଲେ? ଏହି ରହସ୍ୟଜନକ ଘଟଣା ଏବେ ସମଗ୍ର ମାଲକାନଗିରି ଜିଲ୍ଲାରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଗତ ୨୯ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାପାଳଙ୍କ ଆଦେଶ ପତ୍ର ସଂଖ୍ୟା-୩୬୭୯ ଅନୁଯାୟୀ ଦୀର୍ଘ ବର୍ଷ ଧରି ଚିତ୍ରକୋଣ୍ଡା ବ୍ଲକ୍‌ରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଲିପିକା ସାମନ୍ତରାୟଙ୍କ ବଦଳି ନିର୍ଦ୍ଦେଶ ଜାରି ହୋଇଥିଲା। ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ (ମଙ୍ଗଳ) ବିଭାଗ ଅଧୀନସ୍ଥ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ, ଚିତ୍ରକୋଣ୍ଡାରେ କାର୍ଯ୍ୟରତ ଥିଲେ।

କିନ୍ତୁ ସମଗ୍ର ଘଟଣାରେ ନାଟକୀୟ ମୋଡ଼ ଆସିଥିଲା ୧୬ ଅକ୍ଟୋବର ୨୦୨୬ରେ। ଉପଲବ୍ଧ ସୂଚନା ଅନୁଯାୟୀ, ସେହିଦିନ ପୂର୍ବାହ୍ନରେ ସେ ନିର୍ଦ୍ଧାରିତ ପାଟ୍ରେଲ୍ ଏସ୍‌ଏସ୍‌ଡି (SSD) ବିଦ୍ୟାଳୟରେ ଯାଇ କାର୍ଯ୍ୟରେ ଯୋଗଦାନ କରିଥିଲେ। ମାତ୍ର ସେହିଦିନ ଅପରାହ୍ନରେ ହିଁ ଜିଲ୍ଲାପାଳଙ୍କ ଅନ୍ୟ ଏକ ଆଦେଶ ପତ୍ର ସଂଖ୍ୟା-୩୯୭୨ ଅନୁସାରେ ତାଙ୍କୁ ପୁନର୍ବାର ସେହି ଚିତ୍ରକୋଣ୍ଡା ବ୍ଲକ୍‌ର ବଡ଼ପଡ଼ାସ୍ଥିତ ମଙ୍ଗଳ ବିଭାଗ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟକୁ ପଠାଯାଇଥିବା ଜଣାପଡ଼ିଛି।

ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଯଦି ବଦଳି ଆଦେଶ ଅନୁଯାୟୀ ଶିକ୍ଷୟିତ୍ରୀଜଣକ ନୂତନ ବିଦ୍ୟାଳୟରେ ଯୋଗଦାନ କଲେ, ତେବେ ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ପୁନର୍ବାର ସେହି ବ୍ଲକ୍‌କୁ ଫେରାଇ ଆଣିବାର ମୂଳ କାରଣ କ’ଣ? ଏହି ତରବରିଆ ନିଷ୍ପତ୍ତି ପଛରେ କେଉଁ ପ୍ରଶାସନିକ ଆଧାର ବା ଯୁକ୍ତି ରହିଛି? ଏହା କ’ଣ ସାଧାରଣ ନିୟମିତ ବଦଳି ପ୍ରକ୍ରିୟାର ଏକ ଅଂଶ, ନା କୌଣସି ଅଦୃଶ୍ୟ ବିଶେଷ ପରିସ୍ଥିତି କିମ୍ବା ବ୍ୟକ୍ତିଗତ ଅନୁକମ୍ପା ଯୋଗୁଁ ଏପରି ନିଷ୍ପତ୍ତି ନିଆଗଲା?

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଉକ୍ତ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଏ., ସି.ଟି. ହୋଇଥିବା ବେଳେ ସେ ଦୀର୍ଘ ପ୍ରାୟ ୧୭ ବର୍ଷ ଧରି ଗୋଟିଏ ବ୍ଲକ୍ ଅର୍ଥାତ୍ ଚିତ୍ରକୋଣ୍ଡାରେ ହିଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା କୁହାଯାଉଛି। ସାଧାରଣତଃ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପରେ ସରକାରୀ କର୍ମଚାରୀଙ୍କ ବଦଳି ହୋଇଥାଏ। ତେବେ ଏତେ ଦୀର୍ଘ ସମୟ ଧରି କେବଳ ଗୋଟିଏ ବ୍ଲକ୍‌ରେ କାର୍ଯ୍ୟ କରିବା ଏବଂ ବଦଳି ହେବାର ମାତ୍ର କେଇ ଘଣ୍ଟା ପରେ ପୁଣି ସେହି ବ୍ଲକ୍‌କୁ ଫେରିବାର ପ୍ରଶାସନିକ ରହସ୍ୟ କ’ଣ, ତାହା ନିଶ୍ଚିତ ଭାବେ ସ୍ପଷ୍ଟ ହେବା ନିତାନ୍ତ ଆବଶ୍ୟକ।

ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବଦଳି ଖବର ପ୍ରସାରିତ ହେବା ପରେ ଏବେ ଏହି ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ଯୋଗଦାନ ଓ ତୁରନ୍ତ ପୁନଃ ବଦଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ଦୁଇଟି ପରସ୍ପର ବିରୋଧୀ ଆଦେଶ ଏବଂ ଦୁଇଟି ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଥିବା ଏହି ଦ୍ୱନ୍ଦ୍ୱ ଏବେ ବିଭାଗୀୟ କାର୍ଯ୍ୟଶୈଳୀ ଉପରେ ଅନେକ ଗୁରୁତର ପ୍ରଶ୍ନ ଚିହ୍ନ ଲଗାଇଦେଇଛି।

ଜିଲ୍ଲା ପ୍ରଶାସନ ଏହାର ଉତ୍ତର ଦେବ କି?

ଏହି ସମ୍ପୂର୍ଣ୍ଣ ସନ୍ଦିଗ୍ଧ ଘଟଣାରେ ଜିଲ୍ଲାପାଳଙ୍କ ଦୁଇଟି ଭିନ୍ନ ଭିନ୍ନ ଆଦେଶର ମୂଳ ଆଧାର, ତୁରନ୍ତ ପୁନଃ ବଦଳିର କାରଣ, ଏବଂ ଏଥିରେ ସମ୍ପୃକ୍ତ ଥିବା ବିଭାଗୀୟ ଅଧିକାରୀମାନଙ୍କ ଭୂମିକା ନେଇ ଏକ ନିରପେକ୍ଷ ତଥା ଉଚ୍ଚସ୍ତରୀୟ ତଦନ୍ତ ହେବା ନିହାତି ଜରୁରୀ। କୌଣସି ରାଜନୈତିକ ଚାପ, ବ୍ୟକ୍ତିଗତ ପ୍ରଭାବ ବା ବିଶେଷ ସୁପାରିସ ବଳରେ ଏପରି ଅସ୍ୱାଭାବିକ ନିଷ୍ପତ୍ତି ନିଆଯାଇଛି କି ନାହିଁ, ତାହା ମଧ୍ୟ ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟ ହେବା ଦରକାର।

ସର୍ବୋପରି ଜିଲ୍ଲାପାଳଙ୍କ ସରକାରୀ ଆଦେଶର ଗାରିମା ଓ ମର୍ଯ୍ୟାଦା ରକ୍ଷା କରିବା ପ୍ରଶାସନର ମୁଖ୍ୟ ଦାୟିତ୍ୱ। ତେଣୁ ଏହି ବଦଳି ରହସ୍ୟର ପର୍ଦ୍ଦାଫାଶ କେବେ ହେବ ଏବଂ ଜିଲ୍ଲା ମଙ୍ଗଳ ବିଭାଗରେ ଏପରି ନିଷ୍ପତ୍ତି ନିଆଯିବାର ପ୍ରକୃତ କାରଣ କ’ଣ, ତାହା ଉପରୁ ପରଦା ହଟିବା ଦେଖିବାକୁ ସମଗ୍ର ଜିଲ୍ଲାବାସୀ ଏବେ ଚାହିଁ ରହିଛନ୍ତି।

ad-week
Leave A Reply

Your email address will not be published.