ଆସିକାରେ ବନ୍ୟାଜଳରେ ଭାସି ଯୁବକଙ୍କ ମୃତ୍ୟୁ ଓ ଉଦ୍ଧାର କାର୍ଯ୍ୟରେ ପ୍ରଶାସନିକ ଅବହେଳା ଅତ୍ୟନ୍ତ ନିନ୍ଦନୀୟ: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ…

ବ୍ରହ୍ମପୁର, ୦୩/୧୧. ଗଞ୍ଜାମ ଜିଲ୍ଲାର ଆସିକାଠାରେ ଋଷିକୂଲ୍ୟା ନଦୀର ବନ୍ୟାଜଳରେ ଭାସିଯାଇ ୨୩ ବର୍ଷୀୟ ଯୁବକ ସଞ୍ଜୟ ବେହେରାଙ୍କ ମୃତ୍ୟୁ ଏବଂ ଏହାପରେ ତାଙ୍କ ମୃତଦେହକୁ ବାଇକ୍ରେ ବୋହି ନେବା ଘଟଣା ଅତ୍ୟନ୍ତ ହୃଦୟବିଦାରକ, ଲଜ୍ଜାଜନକ ଓ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାର ଚରମ ବିଫଳତାକୁ ପଦାରେ ପକାଇଛି।
ଆସିକା କୁମ୍ଭାର ସାହିର ବାସିନ୍ଦା ସଞ୍ଜୟ ବେହେରା ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ପ୍ରବଳ ଜଳସ୍ରୋତରେ ଭାସିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଓ ସ୍ଥାନୀୟ ଲୋକେ ଫାୟାର ସର୍ଭିସ୍ ଏବଂ ଓଡ୍ରାଫ୍ ଟିମ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ଉଦ୍ଧାରକାରୀ ଦଳ ଠିକ୍ ସମୟରେ ପହଞ୍ଚି ନଥିଲେ। ଶେଷରେ ଆସିକା ମେଡିକାଲରେ କାର୍ଯ୍ୟରତ ଫାୟାର ସର୍ଭିସ୍ କର୍ମଚାରୀଙ୍କୁ ଅନୁରୋଧ କରିବା ପରେ ସେମାନେ ଘଟଣାସ୍ଥଳକୁ ଯାଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାଠାରୁ ଅଧିକ ଦୁଃଖଦ ଓ ଅମାନବୀୟ ଘଟଣା ଆଉ କ’ଣ ହୋଇପାରେ ଯେ, ଜଣେ ଯୁବକଙ୍କ ମୃତଦେହକୁ ହସ୍ପିଟାଲରୁ ନେବା ପାଇଁ ମଧ୍ୟ ପରିବାର ଓ ସ୍ଥାନୀୟ ଲୋକଙ୍କୁ ବାଇକ୍ର ଆଶ୍ରୟ ନେବାକୁ ପଡ଼ିଲା! ମୃତଦେହକୁ ବାଇକ୍ରେ ବୋହି ବିନାୟକ ବଜାରରେ ରଖି ଲୋକେ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ। ପରେ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବା ସହ ଯୁବକ ଜଣକ ବଞ୍ଚିଥିବା ଆଶଙ୍କାରେ ପୁନର୍ବାର ମେଡିକାଲକୁ ନେଇଥିବା ଜଣାପଡ଼ିଛି। ଏହି ସମଗ୍ର ଘଟଣା ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱହୀନତାକୁ ପ୍ରତିଫଳିତ କରୁଛି। ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା କରିବା ସରକାର ଓ ପ୍ରଶାସନର ପ୍ରଥମ କର୍ତ୍ତବ୍ୟ। ଏଭଳି ଜରୁରୀ ପରିସ୍ଥିତିରେ ଉଦ୍ଧାରକାରୀ ଦଳ ଠିକ୍ ସମୟରେ ପହଞ୍ଚି ନପାରିବା ଏବଂ ମୃତକଙ୍କ ପରିବାରକୁ ମୃତଦେହ ପରିବହନ ପାଇଁ ଆବଶ୍ୟକ ସୁବିଧା ନମିଳିବା କେବଳ ପ୍ରଶାସନିକ ଅବହେଳା ନୁହେଁ, ଏହା ମାନବିକତା ପ୍ରତି ମଧ୍ୟ ଏକ ଅପମାନ। ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ଏହି ଘଟଣାକୁ ତୀବ୍ର ଭାଷାରେ ନିନ୍ଦା କରୁଛି। ସେହିସହିତ ଏହି ଘଟଣାରେ ଦାୟୀ ପ୍ରଶାସନିକ ଅବହେଳାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମୃତ ଯୁବକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ତୁରନ୍ତ କ୍ଷତିପୂରଣ ଓ ଆବଶ୍ୟକ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରୁଛି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଆସିକା ସମେତ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ମୃତଦେହ ପରିବହନ ପାଇଁ ଯଥେଷ୍ଟ ସୁବିଧା ସୁନିଶ୍ଚିତ କରାଯାଉ। ଜନସାଧାରଣଙ୍କ ଜୀବନ ସହିତ ଏଭଳି ଖେଳ ଓ ପ୍ରଶାସନିକ ଅବହେଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।
