ବିଶ୍ବ ଦକ୍ଷତା କେନ୍ଦ୍ରକୁ ନିତି ଆୟୋଗର ପ୍ରଶଂସା

ଭୁବନେଶ୍ବର: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଲକ୍ଷ୍ୟ ହାସଲରେ ଦକ୍ଷତା ବିକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ଏ ଦିଗରେ ଏକ ଉଲ୍ଲେଖନୀୟ ମଡେଲ ଭାବେ ଉଭା ହୋଇଛି। ଭାରତର ଏହି ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ରର ପଦକ୍ଷେପକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି।
ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ବିକଶିତ ଭାରତ ୨୦୪୭ ପାଇଁ ‘ରିଇମାଜିନିଂ ସ୍କିଲିଂ’ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଏକ ମଡେଲ ଭାବେ ଉଲ୍ଲେଖ କରାଯିବା ସହ ଏହା ଯୁବପିଢ଼ିଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଦର୍ଶାଯାଇଛି। ନୀତି ଆୟୋଗଙ୍କ ଏହି ରିପୋର୍ଟକୁ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ମଡେଲ୍‌କୁ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଗାମୀ ଦିନରେ ସମ୍ବଲପୁର ଓ ବ୍ରହ୍ମପୁରରେ ଆଉ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକରେ ସ୍ଥାନୀୟ ଶିଳ୍ପର ଆବଶ୍ୟକତା ଓ ନିଯୁକ୍ତି ସୁଯୋଗକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦିଆଯିବ। ସମ୍ବଲପୁର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଆଗ୍ରିଟେକ୍‌, ଅକ୍ଷୟ ଶକ୍ତି ଏବଂ ରିଟେଲିଂ ଆଦି ବିଷୟରେ ତାଲିମ ଦିଆଯିବ। ସେହିପରି, ବ୍ରହ୍ମପୁର କ୍ୟାମ୍ପସରେ ମରିନ୍ ଟେକ୍ନୋଲୋଜି, ଅଣ୍ଡରୱାଟର୍ ୱେଲ୍ଡିଂ ଏବଂ ହେଲ୍‌ଥକେୟାର ଆସିଷ୍ଟାଣ୍ଟ ବିଷୟରେ ତାଲିମ ପାଠ୍ୟକ୍ରମ ରହିବ। ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେମିକଣ୍ଡକ୍ଟର ଓ ଆଭିଏସନ୍ କ୍ଷେତ୍ରରେ ପ୍ରଶିକ୍ଷଣ ଆରମ୍ଭ କରିବା ନେଇ ମଧ୍ୟ ଯୋଜନା ରହିଛି ବୋଲି ସେ କହିଛନ୍ତି। ନୀତି ଆୟୋଗଙ୍କ ରିପୋର୍ଟରେ ଶିକ୍ଷା ସହ ଶିଳ୍ପର ଆବଶ୍ୟକତାକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରମୁଖ ଶିଳ୍ପ ସଂସ୍ଥାର ସହଭାଗିତାରେ ପ୍ରଶିକ୍ଷଣ, ଆପ୍ରେଣ୍ଟିସ୍‌ସିପ୍‌ ଏବଂ ‘ଶିଖିବା ସହ ରୋଜଗାର’ ଭଳି ମଡେଲକୁ ପ୍ରୋତ୍ସାହନ ଦେବାକୁ ସୁପାରିସ୍‌ କରାଯାଇଛି। ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ଘୋଷିତ ଷ୍ଟେଟ୍‌ ସ୍କିଲ୍ସ ଟ୍ରାନ୍ସଫର୍ମେସନ ପାଇଲଟ୍‌ ପାଇଁ ମନୋନୀତ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଭାରତର ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମକୁ ନୀତି ଆୟୋଗ ଏକ ଉଲ୍ଲେଖନୀୟ ରାଜ୍ୟସ୍ତରୀୟ ପଦକ୍ଷେପ ଭାବେ ଦର୍ଶାଇଛନ୍ତି।

ad-week
Leave A Reply

Your email address will not be published.