ଭୁବନେଶ୍ୱରରେ CEMCର ବଡ଼ ଆକ୍ସନ, ରବି ଟକିଜରୁ ଟଙ୍କପାଣି ରୋଡ୍‌ରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର: ଭୁବନେଶ୍ୱରରେ CEMCର ବଡ଼ ଆକ୍ସନ। ସକାଳ ୧୦ଟାରୁ ରବି ଟକିଜରୁ ଟଙ୍କପାଣି ରୋଡ୍ ଅର୍ଥାତ୍ ଦିବାକର ମାର୍ଗରେ ଗର୍ଜିଲା ବୁଲଡୋଜର। BDAର ଜଏଣ୍ଟ କମିଶନରଙ୍କ ଚିଠି , CEMCର ମିଳିତ ଟିମ୍ ପକ୍ଷରୁ କରାଯାଇଛି ଉଚ୍ଛେଦ ଅଭିଯାନ। ଡ୍ରେନ୍ ନିର୍ମାଣରେ ବାଧା ସାଜୁଥିବା ଜବରଦଖଲ ହଟାଇବାକୁ ଚାଲିଛି ଏହି କାର୍ଯ୍ୟାନୁଷ୍ଠାନ।
ଭୁବନେଶ୍ୱରରେ ପୁଣି ଚାଲିଲା ବୁଲଡୋଜର। ରବି ଟକିଜ୍ରୁ ଟଙ୍କପାଣି ରୋଡ୍ ଅର୍ଥାତ୍ ଦିବାକର ମାର୍ଗରେ ହୋଇଛି ଜବରଦଖଲ ଉଚ୍ଛେଦ। ସକାଳ ପ୍ରାୟ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୦ରୁ ଅଧିକ ଦୋକାନ ଭଙ୍ଗାଯାଇଥିବା ସୂଚନା ରହିଛି। ଦୀର୍ଘଦିନ ଧରି ଏହି ରାସ୍ତାରେ ଡ୍ରେନ୍ ନିର୍ମାଣ କାମ ବାଧାପ୍ରାପ୍ତ ହେଉଥିଲା। ଡ୍ରେନ୍ ନିର୍ମାଣ ପାଇଁ ଚିହ୍ନଟ ସ୍ଥାନରେ ଦୋକାନ ଓ ବ୍ୟବସାୟିକ ସଂରଚନା ଥିବାରୁ ନିର୍ମାଣକାରୀ ସଂସ୍ଥାକୁ କାମ କରିବାରେ ସମସ୍ୟା ହେଉଥିବା କୁହାଯାଇଛି।
ସୂଚନା ଅନୁସାରେ, ଏହି ପ୍ରକଳ୍ପର କାମ ୨୦୨୫ ଫେବୃଆରୀରୁ ଆରମ୍ଭ ହୋଇ ୨୦୨୫ ଅଗଷ୍ଟରେ ଶେଷ ହେବାର ଯୋଜନା ଥିଲା। ତେବେ ଜବରଦଖଲ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ କାମ ଆଗକୁ ବଢ଼ିପାରୁନଥିବା ଅଭିଯୋଗ ରହିଥିଲା। ଏହି ସ୍ଥାନରେ ପୂର୍ବରୁ ମଧ୍ୟ ତିନିଥର ଉଚ୍ଛେଦ କରାଯାଇଥିବା ବେଳେ ପୁଣିଥରେ ସେଠାରେ ଦୋକାନ ଖୋଲି ବ୍ୟବସାୟ ଚାଲୁଥିବା କୁହାଯାଇଛି। ଏଥର ବଡ଼ ଧରଣର ଉଚ୍ଛେଦ ଅଭିଯାନ ଚଳାଇ ଜବରଦଖଲକାରୀଙ୍କୁ ସ୍ଥାନରୁ ହଟାଯାଇଛି।
ରାସ୍ତା ପ୍ରଶସ୍ତୀକରଣ ଓ ଡ୍ରେନ୍ ନିର୍ମାଣ ପାଇଁ BDAର ଚିଠି ନମ୍ବର ୧୯୫୬୩ ଅନୁଯାୟୀ CEMCର ମିଳିତ ଟିମ୍ ଏହି ଅଭିଯାନ ଚଳାଇଥିଲା। ଅଭିଯାନରେ ବରଗଡ଼ ଥାନାର ପୋଲିସ ଫୋର୍ସ, ଲେଡି ପୋଲିସ ଓ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ମଧ୍ୟ ସାମିଲ ହୋଇଥିଲେ। ଉଚ୍ଛେଦ ପରେ ଏବେ ଏହି ସ୍ଥାନରେ ପ୍ରାୟ ୪ ଫୁଟ ଓସାରର ଡ୍ରେନ୍ ନିର୍ମାଣ କରାଯିବାର ଯୋଜନା ରହିଛି। ଏହା ସହିତ ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୪ କୋଟି ୮୨ ଲକ୍ଷ ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି। ତେବେ ଦୀର୍ଘଦିନ ଧରି ଅଟକି ରହିଥିବା ଡ୍ରେନ୍ ଓ ରାସ୍ତା ନିର୍ମାଣ କାମ ଏହି ଉଚ୍ଛେଦ ପରେ କେତେ ଶୀଘ୍ର ଆଗକୁ ବଢ଼ିବ, ଏବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ad-week
Leave A Reply

Your email address will not be published.