ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆ‌ବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି। ସୂଚନାଥାଉକି, ୨୦୨୧ ମସିହା ଜୁଲାଇ ୧୩ ତାରିଖରେ ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ୨୦୨୦ ବ୍ୟାଚ୍‌ର ଓଡ଼ିଶା ବନ ସେବା ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିସ୍ଥିତ ତାଙ୍କ ସରକାରୀ ବାସଭବନରେ ରହସ୍ୟମୟ ପରିସ୍ଥିତିରେ 80% ପୋଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେ ମୃତ୍ୟୁବରଣ କରିଥିଲେ ।

ଏସିଏଫ୍‌ଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ଦାଖଲ କରାଯାଇଥିଲା । ହତ୍ୟା ଅଭିଯୋଗରେ ପୂର୍ବତନ ଡିଏଫ୍ଓ ବେହେରା, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ପରିବାର ଲୋକେ । ସୂଚନାଯୋଗ୍ୟ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପ୍ରସଂଗ ‌ନେଇ ବିଦ୍ୟାଭରତୀ ସିଆରପିସିର ଧାରା ୨୦୫ରେ ଦାୟର କରିଥିବା ଆବେଦନକୁ ଖାରଜ କରି ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଜୁନ ୨୩ ଓ ୨୦୨୪, ମାର୍ଚ୍ଚ ୧୧ରେ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଥିଲେ। ଏଥି ସହିତ ଏସଡିଜେଏମ ଅଦାଲତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ।

ଅକ୍ଟୋବର ୧ ତାରିଖ ବା ଏହା ପୂର୍ବରୁ ଏସଡିଜେଏମ ଅଦାଲତରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ବେଳେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ସିଆରପିସିର ଧାରା ୨୦୫ ବା ୩୧୭ରେ ସେ ଆବେଦନ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।ଅଦାଲତରେ ହାଜର ହେଲେ ତାଙ୍କୁ ହେପାଜତକୁ ନିଆଯିବାର ଆଶଙ୍କା ରହିଛି ବୋଲି ବିଦ୍ୟାଭାରତୀଙ୍କ ତରଫରୁ ଦର୍ଶାଯାଇଥିବା ବେଳେ ସେ ଜାମିନ ପାଇଁ ଆବେଦନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଏସଡିଜେଏମ ଅଦାଲତ ଜାମିନ ଖାରଜ କରନ୍ତି ତେବେ ସେହିଦିନ ବିଦ୍ୟାଭାରତୀ ଦୌରା ଅଦାଲତରେ ଏ ‌ନେଇ ଆବେଦନ କରିବେ। ବିଳମ୍ବ ନ କରି ସେହିଦିନ ଦୌରା ଅଦାଲତ ଏପରି ଜାମିନ ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନ ଖାରଜ ହେବା ପରେ ପୂର୍ବରୁ ବିଦ୍ୟାଭାରତୀଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ହଟିଯାଇଛି। ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଯଦି ପାରଳାଖେମୁଣ୍ଡି ଅଦାଲତରେ ଖାରଜ ହୁଏ ତେବେ ତତ୍କାଳୀନ ଡିଏଫଓଙ୍କ ଭଳି ତାଙ୍କୁ ଜେଲ ଯିବାକୁ ପଡ଼ିପାରେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ସୌମ୍ୟଙ୍କ ମୃତ୍ୟୁ ମାମଲାରେ ୨୦୨୬, ଜୁଲାଇ ୨୭ରେ ଏସଡିଜେଏମ ଅଦାଲତରେ ଆତ୍ମସମର୍ପଣ କରିବା ସହ ଜାମିନ ପାଇଁ ଆବେଦନ କରି ନିରାଶ ହେବା ପରେ ଦୌରା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ବେହେରାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ବେହେରାଙ୍କ ଜାମିନ ଆବେଦନ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ad-week
Leave A Reply

Your email address will not be published.