ସୁନ୍ଦରଗ଼ଡ଼ : ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ନିଆଳିପାଲି ସ୍ଥିତ ୧୯୬୭ ମସିହାରେ ପ୍ରତିଷ୍ଠିତ ଲବଣୀଧର ଉଚ୍ଚ ବିଦ୍ୟାଳୟରେ ନବନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ଯୋଷୀଙ୍କୁ ଏକ ଭବ୍ୟ ସ୍ୱାଗତ ସମାରୋହ ମାଧ୍ୟମରେ ସ୍ୱାଗତ ଜଣାଯାଇଛି। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ ପରେ ପ୍ରଧାନ ଶିକ୍ଷକ ପଦ ଦୀର୍ଘଦିନ ଧରି ଖାଲି ପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଯୋଷୀ ବିଦ୍ୟାଳୟର ପ୍ରଥମ ମହିଳା ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟା, ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ସଦସ୍ୟ, ଅଭିଭାବକ, ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ଅଞ୍ଚଳର ବହୁ ଶିକ୍ଷାନୁରାଗୀ ଉପସ୍ଥିତ ରହି ନବନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ।
ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ ଯେ, ଶ୍ରୀମତୀ ଯୋଷୀଙ୍କ ନେତୃତ୍ୱରେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ଶିକ୍ଷାନୁକୂଳ ପରିବେଶର ସୁଦୃଢ଼ୀକରଣ ଏବଂ ଶିକ୍ଷାର ଗୁଣାତ୍ମକ ମାନର ଉନ୍ନତି ଘଟିବ। ଦୀର୍ଘଦିନ ଧରି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ବିଦ୍ୟାଳୟ ନୂତନ ସଫଳତାର ଶିଖର ସ୍ପର୍ଶ କରିବ ବୋଲି ସେମାନେ ଆଶାବାଦୀ ମତ ପ୍ରକାଶ କରିଥିଲେ।
ଶ୍ରୀମତୀ ସୁସ୍ମିତା ଯୋଷୀ ଜଣେ ଅଭିଜ୍ଞ, ଦକ୍ଷ ଓ ସୁନାମଧନ୍ୟ ଶିକ୍ଷୟିତ୍ରୀ ଭାବେ ପରିଚିତ। ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ ନିଷ୍ଠା ପାଇଁ ସେ ବହୁ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ନିଜ ବକ୍ତବ୍ୟରେ ସେ ସମସ୍ତଙ୍କ ସହଯୋଗ କାମନା କରି କହିଥିଲେ ଯେ, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ, ଏସଏମସି, ଏସଏଚଜି ଓ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସମ୍ମିଳିତ ପ୍ରୟାସରେ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ। ସମସ୍ତଙ୍କ ସହଯୋଗ ଓ ସମର୍ଥନରେ ବିଦ୍ୟାଳୟ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମଟି ନୂତନ ଆଶା, ବିଶ୍ୱାସ ଓ ଉତ୍ସାହର ପରିବେଶ ସୃଷ୍ଟି କରିଥିବା ବେଳେ ବିଦ୍ୟାଳୟର ଉତ୍ତରୋତ୍ତର ପ୍ରଗତି ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।
