ଟାଙ୍ଗୀସାହି ମୌଜାରେ ଅନ୍ୟ ପଞ୍ଚାୟତର କାର୍ଯ୍ୟକୁ ବିରୋଧ : ଜମିର ପ୍ରକୃତ ସ୍ଥିତି ଯାଞ୍ଚ ପରେ ନିର୍ମାଣ କାର୍ଯ୍ୟ କରିବାକୁ ଦାବି
ରାଜସୁନାଖଳା: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧୀନ ରାଜସୁନାଖଳା ଗ୍ରାମପଞ୍ଚାୟତର ନୃସିଂହପୁର ଟାଙ୍ଗୀସାହି ମୌଜାସ୍ଥିତ କଙ୍କାଳି ପୀଠରେ ଅନ୍ୟ ଏକ ପଞ୍ଚାୟତ ପକ୍ଷରୁ କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ବଧିପାଟଣା ଗ୍ରାମ ନାମରେ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରି ଟାଙ୍ଗୀସାହି ବାସିନ୍ଦା ଏହାକୁ ବିରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ନିର୍ମାଣାଧୀନ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଥିଲେ। ଏହି ସମୟରେ ନିର୍ମାଣସ୍ଥଳରେ ଥିବା କିଛି ସାମଗ୍ରୀ ଓ ନିର୍ମାଣାଧୀନ ଅଂଶ ଭଙ୍ଗାଭଙ୍ଗି ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଜମିର ପ୍ରକୃତ ସ୍ଥିତି ଯାଞ୍ଚ ପରେ ହିଁ ନିର୍ମାଣ କାର୍ଯ୍ୟ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଟାଙ୍ଗୀସାହି ବାସିନ୍ଦାଙ୍କ ଦାବି ଅନୁଯାୟୀ, ଯେଉଁ ସ୍ଥାନରେ କମ୍ୟୁନିଟି ସେଣ୍ଟର ନିର୍ମାଣ ହେଉଛି, ଉକ୍ତ ଜମି ରାଜସୁନାଖଳା ଗ୍ରାମପଞ୍ଚାୟତ ଅଧୀନ ଟାଙ୍ଗୀସାହି ମୌଜାରେ ରହିଛି। ସେମାନଙ୍କ ପକ୍ଷରୁ ଦିଆଯାଇଥିବା ରାଜସ୍ୱ ରେକର୍ଡ ଅନୁଯାୟୀ, ଜମିଟି ଖାତା ନମ୍ବର ୪୮୯ ଓ ପ୍ଲଟ୍ ନମ୍ବର ୧୩୨୩ ଅଧୀନରେ ଥିବା ଦାବି କରାଯାଇଛି। ଏପରି ସ୍ଥିତିରେ ଅନ୍ୟ ପଞ୍ଚାୟତର ବଧିପାଟଣା ଗ୍ରାମ ନାମରେ ଏଠାରେ ନିର୍ମାଣ କାର୍ଯ୍ୟ କରାଯିବାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଉଛି, ଜମିର ପ୍ରକୃତ ସ୍ଥିତି ଓ ରାଜସ୍ୱ ରେକର୍ଡ ଯାଞ୍ଚ ନକରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେଣୁ ପ୍ରଥମେ ରାଜସୁନାଖଳା ଆର୍.ଆଇ.ଙ୍କ ମାଧ୍ୟମରେ ଘଟଣାସ୍ଥଳ ଯାଞ୍ଚ କରାଯାଇ ସମ୍ପୃକ୍ତ ଖାତା ଓ ପ୍ଲଟ୍ର ଭେରିଫିକେସନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିସହ ରାଜସୁନାଖଳା ପଞ୍ଚାୟତ ଅଧୀନ ଟାଙ୍ଗୀସାହି ମୌଜାର ଜମିରେ ଅନ୍ୟ ପଞ୍ଚାୟତ କିମ୍ବା ଅନ୍ୟ ଗ୍ରାମର ନାମ ବ୍ୟବହାର ନକରିବାକୁ ମଧ୍ୟ ନିବେଦନ କରାଯାଇଛି।
ଏହି ଘଟଣାକୁ ନେଇ ନୃସିଂହପୁର ଟାଙ୍ଗୀସାହି ବାସିନ୍ଦାଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯାଇଥିବା କୁହାଯାଇଛି। ଅଭିଯୋଗରେ ଜମିର ରାଜସ୍ୱ ରେକର୍ଡ ଯାଞ୍ଚ ସହ ନିର୍ମାଣ କାର୍ଯ୍ୟର ବୈଧତା ଓ ସ୍ଥାନ ସମ୍ପର୍କରେ ତଦନ୍ତ କରିବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ, ଘଟଣାକୁ ନେଇ ଆଗାମୀ ଦିନରେ ଯେପରି କୌଣସି ବଡ଼ ବିବାଦ ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଜମିର ପ୍ରକୃତ ସ୍ଥିତି ସ୍ପଷ୍ଟ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ରାଜସ୍ୱ ରେକର୍ଡ ଓ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ବୋଲି ଟାଙ୍ଗୀସାହି ବାସିନ୍ଦାମାନେ ନିବେଦନ କରିଛନ୍ତି।
