ପୋଲାଭରମ୍ : ବିକାଶର ପ୍ରସଙ୍ଗ ନା ବିନାଶର ପଦଧ୍ୱନି?

(ନେଡିଗୁଡ଼ କହୁଣୀକୁ ବୋହୁଥିବା ସମୟରେ ପୋଲାଭରମ୍ କୁ ନେଇ ସମୀକ୍ଷା)

ପ୍ରସ୍ତୁତି: ଦେବବ୍ରତ ବେହେରା

ଏକ ବୃହତ୍ ନଦୀବନ୍ଧ ପ୍ରକଳ୍ପକୁ କେବଳ ଜଳସେଚନ, ବିଦ୍ୟୁତ୍, ପାନୀୟଜଳ ଓ ବନ୍ୟା ନିୟନ୍ତ୍ରଣର ଦୃଷ୍ଟିରୁ ଦେଖିଲେ ଏହାର ସମ୍ପୂର୍ଣ୍ଣ ଚିତ୍ର ଆମ ସମ୍ମୁଖକୁ ଆସିପାରେନାହିଁ। ଏପରି ପ୍ରକଳ୍ପର ପ୍ରକୃତ ମୂଲ୍ୟାୟନ କରିବାକୁ ହେଲେ ଆମକୁ ଏକାସାଙ୍ଗେ ଜଳସମ୍ପଦ, ଜଙ୍ଗଲ, ଜୈବବିବିଧତା, ନଦୀର ସ୍ୱାଭାବିକ ପ୍ରବାହ, ଆଦିବାସୀ ଜୀବନ, ଜମି, ଜୀବିକା, ସାଂସ୍କୃତିକ ଐତିହ୍ୟ, ସମ୍ବିଧାନିକ ଅଧିକାର, ପୁନର୍ବାସ ଓ ଆନ୍ତଃରାଜ୍ୟ ନଦୀ ବିବାଦ ଭଳି ସମସ୍ତ ଦିଗକୁ ଏକାଠି ବିଚାର କରିବା ଆବଶ୍ୟକ।
ପୋଲାଭରମ ପ୍ରକଳ୍ପ ଏହି ଦୃଷ୍ଟିରୁ ଭାରତର ଏକ ଅତ୍ୟନ୍ତ ଜଟିଳ ଆନ୍ତଃରାଜ୍ୟ ନଦୀବନ୍ଧ ପ୍ରକଳ୍ପ। ଏହାର ପ୍ରଭାବ ମୁଖ୍ୟତଃ ଆନ୍ଧ୍ରପ୍ରଦେଶରେ ଥିଲେ ମଧ୍ୟ ଏହାର ଜଳବିଜ୍ଞାନୀୟ ଓ ପରିବେଶୀୟ ପ୍ରଭାବ ଓଡ଼ିଶା ସମେତ ଛତିଶଗଡ଼ ପର୍ଯ୍ୟନ୍ତ ପହଞ୍ଚେ। ବିଶେଷକରି ମାଲକାନଗିରି ଜିଲ୍ଲାର ସାବେରୀ ଓ ସିଲେରୁ ନଦୀ ଉପତ୍ୟକା, ଜଙ୍ଗଲ, ଗ୍ରାମ ଓ ଆଦିବାସୀ ଜନଜୀବନ ନେଇ ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ ପାଇଆସିଛି।
୨୦୦୬ ମସିହାରେ ସଂସଦରେ ଉଠିଥିବା ଏକ ପ୍ରଶ୍ନରେ ସାବେରୀ ଓ ସିଲେରୁ ନଦୀ ମାର୍ଗରେ ମାଲକାନଗିରିର ମୋଟୁ ଅଞ୍ଚଳରେ ଗ୍ରାମ, ଜଙ୍ଗଲ ଓ ଆଦିବାସୀ ପରିବାର ପ୍ରଭାବିତ ହେବା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ତେଣୁ ପୋଲାଭରମକୁ ନେଇ ମୂଳ ପ୍ରଶ୍ନ କେବଳ ; “ପ୍ରକଳ୍ପ ହେବ କି ହେବ ନାହିଁ?” ମଧ୍ୟରେ ସୀମିତ ନୁହେଁ ବରଂ ପ୍ରକୃତ ପ୍ରଶ୍ନ ହେଉଛି ; “କାହା ପାଇଁ ଉନ୍ନତି? କାହା ମୂଲ୍ୟରେ ଉନ୍ନତି? ଏବଂ ଉନ୍ନତିର ଲାଭ ଓ କ୍ଷତି କିପରି ନ୍ୟାୟସଙ୍ଗତ ଭାବରେ ବଣ୍ଟନ ହେବ?”

ପୋଲାଭରମ ପ୍ରକଳ୍ପ କ’ଣ?
ପୋଲାଭରମ ହେଉଛି ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ଏକ ବହୁମୁଖୀ ଜଳସମ୍ପଦ ପ୍ରକଳ୍ପ। ଏହାକୁ ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପ ନାମରେ ମଧ୍ୟ ଉଲ୍ଲେଖ କରାଯାଏ। ସରକାରୀ ଭାବେ ଉପଲବ୍ଧ ଯୁକ୍ତି ଆଧାରରେ ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ ଭାବେ ଜଳସେଚନ, ପାନୀୟଜଳ ଯୋଗାଣ, ଶିଳ୍ପ ଓ ନଗରୀୟ ଜଳ ଯୋଗାଣ, ଜଳବିଦ୍ୟୁତ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଗୋଦାବରୀ ଜଳର ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରଣ ଇତ୍ୟାଦି ଦାବି କରାଯାଇଛି। ତେବେ ଗୋଦାବରୀ ନଦୀର ଜଳବଣ୍ଟନକୁ ନେଇ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଓ ଅନ୍ୟାନ୍ୟ ଗୋଦାବରୀ ଅବବାହିକା ରାଜ୍ୟମାନଙ୍କ ମଧ୍ୟରେ ଦୀର୍ଘ ଇତିହାସ ରହିଛି। ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ରାୟ ୧୯୮୦ ମସିହାରେ ଆସିଥିଲା। ପୋଲାଭରମ ପ୍ରକଳ୍ପର ଡିଜାଇନ୍, ଜଳସ୍ତର ଓ ଅନ୍ୟାନ୍ୟ ବିଷୟ ସେହି ଜଳବଣ୍ଟନ ବ୍ୟବସ୍ଥା ସହିତ ଜଡ଼ିତ। ଓଡ଼ିଶାର ମୁଖ୍ୟ ଚିନ୍ତା ଥିଲା, ଗୋଦାବରୀର ଉପନଦୀ ସାବେରୀ ଓ ସିଲେରୁ ଉପତ୍ୟକାରେ ପଛୁଆ ଜଳ ବା ବ୍ୟାକ୍‌ୱାଟର ପ୍ରଭାବ ଫଳରେ ଓଡ଼ିଶାର ଭୂଭାଗ ପ୍ରଭାବିତ ହେବ କି ନାହିଁ! ସୁତରାଂ ବର୍ତ୍ତମାନ ଏହା କେବଳ ଏକ ସାଧାରଣ ଜଳସେଚନ ପ୍ରକଳ୍ପର ପ୍ରଶ୍ନ ନୁହେଁ। ଏହା ଏକ ଆନ୍ତଃରାଜ୍ୟ ନଦୀ, ଆନ୍ତଃରାଜ୍ୟ ପରିବେଶ ଓ ଆନ୍ତଃରାଜ୍ୟ ଅଧିକାରର ପ୍ରଶ୍ନ।
ଅନ୍ୟ ପକ୍ଷରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ଅନୁସାରେ ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ପ୍ରକଳ୍ପର ନିୟନ୍ତ୍ରଣ ନେଇ ଆବଶ୍ୟକ ପରିବେଶ, ବନ ଏବଂ ପୁନର୍ବାସ–ପୁନଃସ୍ଥାପନ ଅନୁମତି ସୁନିଶ୍ଚିତ କରିବାର ଦାୟିତ୍ୱ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ମାଲକାନଗିରି ପ୍ରସଙ୍ଗ କାହିଁକି ଗୁରୁତ୍ୱପୂର୍ଣ୍ଣ?
ମାଲକାନଗିରି କେବଳ ଓଡ଼ିଶାର ଏକ ଜିଲ୍ଲା ନୁହେଁ। ଏହା ଦକ୍ଷିଣ ଓଡ଼ିଶାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ପରିବେଶୀୟ ଓ ଆଦିବାସୀ ଭୂଭାଗ। ଯେଉଁଠାରେ ଘନ ଜଙ୍ଗଲ, ପାହାଡ଼, ନଦୀ, ଝରଣା, ଉପତ୍ୟକା, ଆଦିବାସୀ ଗ୍ରାମ, ପାରମ୍ପରିକ କୃଷି, ଜଙ୍ଗଲ ଆଧାରିତ ଜୀବିକା, ଅଣକାଠ ଜଙ୍ଗଲଜାତ ଦ୍ରବ୍ୟ, ପାରମ୍ପରିକ ସାମାଜିକ ବ୍ୟବସ୍ଥା, ପରସ୍ପର ସହ ଅବିଚ୍ଛିନ୍ନ ଭାବେ ଜଡ଼ିତ। ଏଠାରେ ଜମିର ଅର୍ଥ କେବଳ “ସମ୍ପତ୍ତି” ନୁହେଁ। ଜଙ୍ଗଲ କେବଳ “ବନ ବିଭାଗର ଭୂମି” ନୁହେଁ। ନଦୀ କେବଳ “ଜଳର ଉତ୍ସ” ନୁହେଁ। ଏଗୁଡ଼ିକ ଆଦିବାସୀ ସମାଜର ଜୀବନ, ଜୀବିକା, ସଂସ୍କୃତି, ପରମ୍ପରା, ଆସ୍ଥା ତଥା ସାମାଜିକ ଅସ୍ତିତ୍ୱର ଅଂଶ। ସେଥିପାଇଁ ମାଲକାନଗିରିରେ ସମ୍ଭାବ୍ୟ ବୁଡ଼ିବାକୁ କେବଳ “କେତେ ହେକ୍ଟର ଜମି” ଭାବରେ ମାପିବା ଯଥେଷ୍ଟ ବୋଲି ଗ୍ରହଣ କରାଯାଇନପାରେ ।

ପୋଲାଭରମ ଓ ମାଲକାନଗିରିର ପରିବେଶ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ:
ସର୍ବପ୍ରଥମ ଓ ସବୁଠାରୁ ସ୍ପଷ୍ଟ ଚିନ୍ତା ହେଉଛି ଭୂ-ଭାଗର ଜଳମଗ୍ନତା। ବନ୍ଧ ଅବା ଜଳାଶୟର ଜଳସ୍ତର ବୃଦ୍ଧି ପାଇଲେ ନିମ୍ନ ଅଞ୍ଚଳର ଭୂମି ଜଳମଗ୍ନ ହୋଇପାରେ। ଯେଉଁ କାରଣରୁ କୃଷିଜମି, ଗ୍ରାମ, ଜଙ୍ଗଲ, ଚାରଣ ଭୂମି, ନଦୀତଟ ସମେତ ଜୀବିକାର ସ୍ଥାନ ମଧ୍ୟ ପ୍ରଭାବିତ ହୋଇପାରେ। ୨୦୦୬ ମସିହାରେ ସଂସଦରେ ଉଠାଯାଇଥିବା ପ୍ରଶ୍ନରେ ମାଲକାନଗିରିର ମୋଟୁ ଅଞ୍ଚଳରେ ସାବେରୀ ଓ ସିଲେରୁ ନଦୀ ସମ୍ପର୍କିତ ଜଳମଗ୍ନତା ନେଇ ଉଲ୍ଲେଖ କରାଯାଇଥିଲା।
ଏହା ଛଡ଼ା ବୃହତ୍ ବନ୍ଧ ପ୍ରକଳ୍ପର ସବୁଠାରୁ ଗମ୍ଭୀର ପରିବେଶୀୟ କ୍ଷତି ହେଉଛି ବନାଞ୍ଚଳର ହ୍ରାସ, ଯେଉଁ ହ୍ରାସ ପ୍ରକୃତରେ ପ୍ରକଳ୍ପ ଗିଳି ଦେଇ ହଜମ କରିପାରିନଥିବା ଭୂ-ଭାଗ ଯାହା ସମୟେ ସମୟେ ଜଳାଶୟରୁ ଜଳର ସ୍ତର କମିବା ପରେ ଆତ୍ମପ୍ରକାଶ କରେ ଏବଂ ଦୃଷ୍ଟିଗୋଚର ହୁଏ। ପୋଲାଭରମ ସମ୍ପର୍କିତ ସରକାରୀ ତଥ୍ୟରେ ପ୍ରକଳ୍ପ ପାଇଁ ବନଭୂମି ବିଚ୍ଛେଦ ସମ୍ପର୍କରେ ଉଲ୍ଲେଖ ରହିଛି। ୨୦୨୧ର ଏକ ଯୁଗ୍ମ କମିଟି ରିପୋର୍ଟ ସମ୍ପର୍କିତ ଏନଜିଟି ରେକର୍ଡରେ ପ୍ରକଳ୍ପର ମୋଟ ଭୂମି ଆବଶ୍ୟକତା ୪୬,୦୬୦ ହେକ୍ଟର ଏବଂ ବନଭୂମି ସମ୍ପର୍କିତ ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି। ସେପଟେ ଜଙ୍ଗଲ ହରାଇବାର ଅର୍ଥ କେବଳ ଗଛ ହରାଇବା ନୁହେଁ। ଯାହାର ଅର୍ଥ ଗଛ ଛଡ଼ା ମାଟି, ମାଟି ଛଡ଼ା ପାଣି ପାଣି ଛଡ଼ା ପ୍ରାଣୀ, ପ୍ରାଣୀ ଛଡ଼ା ପକ୍ଷୀ, ପକ୍ଷୀ ଛଡ଼ା କୀଟପତଙ୍ଗ, କୀଟପତଙ୍ଗ ଛଡ଼ା ଔଷଧୀୟ ଉଦ୍ଭିଦ, ଔଷଧୀୟ ଉଦ୍ଭିଦ ଛଡ଼ା ଖାଦ୍ୟ ଶୃଙ୍ଖଳ, ଖାଦ୍ୟ ଶୃଙ୍ଖଳ ଛଡ଼ା ଆଦିବାସୀ ଜୀବିକା ସବୁକିଛିର କ୍ଷତି। ଜୈବବିବିଧତା ଉପରେ ପଡ଼ିବାକୁ ଥିବା ପ୍ରଭାବ ଦୃଷ୍ଟିରୁ ଅନୁଶୀଳନ କରାଯାଇପାରେ ଯେ, ମାଲକାନଗିରିର ଜଙ୍ଗଲ ଅନେକ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀଙ୍କର ଆବାସସ୍ଥଳୀ। ବୃହଦାକାର ଜଳାଶୟ ସୃଷ୍ଟି ହେଲେ ଉକ୍ତ ପ୍ରାଣୀଙ୍କ ଆବାସସ୍ଥଳୀ ନିଶ୍ଚିହ୍ନ ଯାଇପାରେ, ସେମାନଙ୍କ ଚଳାଚଳ ପଥ ବିଚ୍ଛିନ୍ନ ହୋଇପାରେ, ଏତଦ୍ ଭିନ୍ନ ଖାଦ୍ୟ ଶୃଙ୍ଖଳ ପ୍ରଭାବିତ ହୋଇପାରେ।
ସ୍ଥଳବିଶେଷରେ ନଦୀର ସ୍ୱାଭାବିକ ଜଳପ୍ରବାହ ମଧ୍ୟ ସ୍ଥାନେ ସ୍ଥାନେ ବଦଳିପାରେ। ବୃହତ୍ ନଦୀବନ୍ଧ ନଦୀର ସ୍ୱାଭାବିକ ଚରିତ୍ରକୁ ବଦଳାଇବାର ଉଦାହରଣ ବି ବେଳେ ବେଳେ ଦେଖିବାକୁ ମିଳେ। ପ୍ରାକୃତିକ ଉପାୟରେ ନଦୀ ଯେଉଁଠାରେ ଋତୁ ଅନୁଯାୟୀ ବଢ଼େ କିମ୍ୱା କମେ, ଏକ ବୃହତ୍ ନଦୀବନ୍ଧ ନିର୍ମାଣ ପରେ ତାହାର ପ୍ରବାହ ସମ୍ପୂର୍ଣ୍ଣ ଭାବେ ମାନବ ନିୟନ୍ତ୍ରିତ ହୋଇଯାଏ। ଯାହା ନଦୀର ପାରିପାର୍ଶ୍ଵିକ ସନ୍ତୁଳନକୁ ନିଶ୍ଚିତ ପ୍ରଭାବିତ କରିପାରେ। ଗୋଟିଏ ସ୍ୱାଭାବିକ ନଦୀ କେବଳ ପାଣି ବହାଏ ନାହିଁ, ବରଂ ପଙ୍କ, ବାଲି, ପୋଷକ ତତ୍ତ୍ୱ ଓ ଜୈବ ପଦାର୍ଥ ମଧ୍ୟ ବହନ କରିଥାଏ। ବନ୍ଧ ଏହି ପ୍ରବାହକୁ ବାଧା ଦେଲେ ଜଳାଶୟ ଭିତରେ ଉପରୋକ୍ତ ତତ୍ତ୍ୱ ଗୁଡ଼ିକର ଅବସାଦ ଜମିବା ଓ ନଦୀର ତଳଭାଗକୁ ଯାଉଥିବା ଅବସାଦ କମିବା ଭଳି ପରିବର୍ତ୍ତନ ହୋଇପାରେ। ଯାହାର ଦୀର୍ଘମିଆଦି ପ୍ରଭାବ ନଦୀତଟ, ମାଛ ଓ ନିମ୍ନ ଅବବାହିକାର ପରିସ୍ଥିତି ଉପରେ ନିର୍ଭରଶୀଳ ମାନଙ୍କ ଉପରେ ପଡ଼ିପାରେ।
ଜଳାଶୟ ନିର୍ମାଣରେ ସ୍ଥାନୀୟ ଭୂଗର୍ଭରେ ଗଚ୍ଛିତ ହେଉଥିବା ଜଳ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ହୋଇପାରେ। କେତେକ ଅଞ୍ଚଳରେ ଜଳସ୍ତର ବଢ଼ିବା ବେଳେ ଅନ୍ୟପକ୍ଷରେ ଜଳ ନିଷ୍କାସନ ବ୍ୟବସ୍ଥା ଅପର୍ଯ୍ୟାପ୍ତ ହେଲେ ଜଳାବଦ୍ଧତା, ମାଟିର ଗୁଣମାନ ହ୍ରାସ ଓ କୃଷି ଉତ୍ପାଦନରେ ପ୍ରଭାବ ନିହାତି ଦେଖାଦେଇପାରେ। ଅର୍ଥାତ୍ ଅଧିକ ପାଣି ଯେ ସବୁବେଳେ ଅଧିକ ଉର୍ବରତାର ପ୍ରଦାନ କରିବାରେ ସକ୍ଷମ ତାହା ଗ୍ରହଣଯୋଗ୍ୟ ନୁହେଁ ।

ସର୍ବାଗ୍ରେ ଚିନ୍ତାଜନକ ଆଦିବାସୀ ଧନ ଜୀବନ ଓ ବିସ୍ଥାପନ:
ଏହି ପ୍ରକଳ୍ପକୁ ନେଇ ମାଲକାନଗିରିର ସବୁଠାରୁ ସମ୍ବେଦନଶୀଳ ପ୍ରଶ୍ନ ହେଉଛି ଆଦିବାସୀ ବିସ୍ଥାପନ, ଚୁମ୍ବକରେ କୁହାଯାଇପାରେ ସିଂହଭାଗ କୋୟା ଆଦିବାସୀ ସମୂହର ବିସ୍ଥାପନ। ଜଣେ ଆଦିବାସୀ ପରିବାରର ଜୀବନ ଅନେକ ସମୟରେ ନିମ୍ନଲିଖିତ ଉତ୍ସ ସହ ଜଡ଼ିତ, ଯଥା; ନିଜ ଜମି, ସ୍ଥାନୀୟ ଜଙ୍ଗଲ, ନଦୀ, ଝରଣା, ଗୋଷ୍ଠୀଗତ ଭୂମି, ଦେବସ୍ଥଳୀ, ଶ୍ମଶାନ, ପାହାଡ଼, ପାରମ୍ପରିକ ଶିକାର କ୍ଷେତ୍ର, ଜଙ୍ଗଲଜାତ ଦ୍ରବ୍ୟ, ତଥା ସାମୁଦାୟିକ ସମ୍ପଦ। ତେଣୁ ତାଙ୍କୁ ଅନ୍ୟ ଏକ ସ୍ଥାନରେ ଘର ଦେଇଦେଲେ ମାତ୍ର ପୁନର୍ବାସ ସମ୍ପୂର୍ଣ୍ଣ ହୋଇଯାଏ ନାହିଁ ତାହା କେବଳ ଏକ ଭ୍ରମ । ବାସଗୃହ ହରାଇବା ହୁଏତ କେବଳ ସମ୍ପତ୍ତିର କ୍ଷତି ଭାଵେ ବିଚାର କରାଯାଇପାରେ ; କିନ୍ତୁ ବାସ୍ତବରେ ଉପରୋକ୍ତ ପ୍ରତ୍ୟେକ ବିନ୍ଦୁକୁ ହରାଇବା ହେଉଛି ଆଦିବାସୀ ସମାଜର ଅସ୍ମିତାକୁ ନିଶ୍ଚିହ୍ନ କରିବାର ଏକ ସୁନିୟୋଜିତ ଷଡ଼ଯନ୍ତ୍ର। ଆତ୍ମଘୋଷିତ ସଭ୍ୟ ସମାଜ ଏଠାରେ “ପୁନର୍ବାସ” ଓ “ପୁନଃସ୍ଥାପନ” ଯୁକ୍ତିକୁ ଖୁବ୍ ପ୍ରାସଙ୍ଗିକ ମନେ କରନ୍ତି କିନ୍ତୁ “ପୁନର୍ବାସ” ଓ “ପୁନଃସ୍ଥାପନ” ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟ ବୁଝିବା ଆବଶ୍ୟକ ଯେ, ପୁନର୍ବାସର ଆକ୍ଷରିକ ଅର୍ଥ ନୂଆ ସ୍ଥାନରେ ଘର ବସାଇବା। କିନ୍ତୁ ପୁନଃସ୍ଥାପନ ଅର୍ଥାତ୍ ଜୀବିକାର ପୁନଃସ୍ଥାପନ, ସାମାଜିକ ସମ୍ପର୍କର ପୁନଃସ୍ଥାପନ, ସାଂସ୍କୃତିକ ପରିଚୟର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଆୟ, ଜମି, ସାମୁଦାୟିକ ସମ୍ପଦ, ପୁନଶ୍ଚ ସୁନିଶ୍ଚିତ କରିବା। ଏକ ଗ୍ରାମକୁ ଭାଙ୍ଗି ଦେଇ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଘର ଦେବା ହୁଏତ ସହଜ। କିନ୍ତୁ, “ଗ୍ରାମ” ନାମକ ସାମାଜିକ ଏକକକୁ ପୁନଃସୃଷ୍ଟି କରିବା ନିହାତି କଠିନ।
ଏଠାରେ ଉଠୁଥିବା ସମ୍ବିଧାନିକ ପ୍ରଶ୍ନ ମଧ୍ୟ ଖୁବ୍ ସମିଚୀନ ଯେ, ମାଲକାନଗିରିର ଅନେକ ଅଞ୍ଚଳ ଅନୁସୂଚିତ ଅଞ୍ଚଳ ଓ ଆଦିବାସୀ ଜନସଂଖ୍ୟା ସହ ଜଡ଼ିତ। ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ, ଅନୁସୂଚିତ ଅଞ୍ଚଳ ଓ ଅନୁସୂଚିତ ଜନଜାତିଙ୍କର ପ୍ରଶାସନ ତଥା ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପ୍ରାବଧାନ ରହିଛି। ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଞ୍ଚଳରେ ବୃହତ୍ ଭୂମି ଅଧିଗ୍ରହଣ, ଜଙ୍ଗଲ ବ୍ୟବହାର ଓ ବିସ୍ଥାପନକୁ କେବଳ ସାଧାରଣ ପ୍ରଶାସନିକ ପ୍ରଶ୍ନ ଭାବରେ କଦାପି ଦେଖିହେବ ନାହିଁ। ଅନ୍ୟ ଦିଗରୁ ପେସା ଆଇନ ଓ ଗ୍ରାମସଭାର ଅଧିକାର ଦୃଷ୍ଟିକୋଣରୁ ଦେଖିଲେ ସ୍ପଷ୍ଟ ଅନୁମେୟ କରିହୁଏ ଯେ, ଅନୁସୂଚିତ ଅଞ୍ଚଳ ପାଇଁ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ବିସ୍ତାର) ଆଇନ, ୧୯୯୬, ଅର୍ଥାତ୍ ପେସା ଆଇନ, ଗ୍ରାମସଭାର ଭୂମିକାକୁ ସର୍ବାଦୌ ପ୍ରାଧାନ୍ୟ ଦିଏ। ଯାହାର ମୂଳ ଦର୍ଶନ ହେଉଛି; ଆଦିବାସୀ ଅଞ୍ଚଳର ବିକାଶ ଆଦିବାସୀ ସମୁଦାୟଙ୍କ ଅଂଶଗ୍ରହଣ ବିନା ହେବା ଅନୁଚିତ୍। ତେଣୁ ବୃହତ୍ ନଦୀବନ୍ଧ ପ୍ରକଳ୍ପ ଯଦି ଆଦିବାସୀ ଅଞ୍ଚଳରେ ଜମି, ଜଙ୍ଗଲ ଓ ଜୀବିକାକୁ ପ୍ରଭାବିତ କରେ, ତେବେ ଗ୍ରାମସଭାର ଭୂମିକାକୁ କେବଳ ଔପଚାରିକତାରେ ସୀମିତ କରିଦେବା ଆଇନର ଗଳାଚିପି ହତ୍ୟା ସହ ସମତୁଲ୍ୟ।
ଅନ୍ୟପଟେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ଅନୁଶୀଳନ କଲେ ଜଣାପଡ଼େ ଯେ, ଅନୁସୂଚିତ ଜନଜାତି ଓ ଅନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬ ଭାରତର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଅଧିକାରକୁ ଆଇନଗତ ମାନ୍ୟତା ତଥା ସ୍ୱୀକୃତି ପ୍ରଦାନ କରିଛି। ଏହି ଆଇନର ମୂଳ ଧାରଣା ହେଉଛି ଯେ, ଜଙ୍ଗଲ ଉପରେ ନିର୍ଭର କରୁଥିବା ସମୁଦାୟଙ୍କ ଐତିହାସିକ ଅଧିକାରକୁ ଚିହ୍ନଟ ଓ ସ୍ୱୀକୃତ କରାଯିବା ଆବଶ୍ୟକ। ତେଣୁ କୌଣସି ବୃହତ୍ ପ୍ରକଳ୍ପ ପାଇଁ ବନଭୂମି ହସ୍ତାନ୍ତର ପୂର୍ବରୁ; ଜଙ୍ଗଲ ଅଧିକାରର ଦାବି, ସାମୁଦାୟିକ ଅଧିକାର, ପାରମ୍ପରିକ ଅଧିକାର, ଯଥାଯଥ ଭାବରେ ଚିହ୍ନଟ ଓ ନିରାକରଣ ହେବା ଅନିବାର୍ଯ୍ୟ।
ଏହାଛଡ଼ା ବୃହତ୍ ନଦୀ ବନ୍ଧ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଭାରତୀୟ ପରିବେଶ ଆଇନର ଏକ କେନ୍ଦ୍ରୀୟ ଆବଶ୍ୟକତା। ପୋଲାଭରମ ପାଇଁ ୨୫ ଅକ୍ଟୋବର ୨୦୦୫ରେ ପରିବେଶୀୟ ଅନୁମୋଦନ ଦିଆଯାଇଥିବା ଏବଂ ପରେ ୯ ମାର୍ଚ୍ଚ ୨୦୦୯ରେ ସଂଶୋଧନ କରାଯାଇଥିବା ସରକାରୀ ରେକର୍ଡରେ ଯଦିଓ ଉଲ୍ଲେଖ ଅଛି। କିନ୍ତୁ ପ୍ରଶ୍ନ ଉଠୁଛି, ପ୍ରକଳ୍ପର ଡିଜାଇନ୍ କିମ୍ବା ପରିସରରେ ମୂଳଗତ ବା ଢାଞ୍ଚାଗତ ପରିବର୍ତ୍ତନ ହେଲେ ନୂତନ ପରିବେଶୀୟ ଅନୁମୋଦନ ଆବଶ୍ୟକ ନୁହଁ କି? ଏହି ପ୍ରଶ୍ନ ଜାତୀୟ ସବୁଜ ଅଧିକରଣରେ ମଧ୍ୟ ଉଠିଛି। ୨୦୨୨ର ଏକ ମାମଲାରେ ପ୍ରକଳ୍ପର ପରିସରରେ ପରିବର୍ତ୍ତନ ସତ୍ତ୍ୱେ ନୂତନ ପରିବେଶୀୟ ଅନୁମୋଦନ ବିନା ନିର୍ମାଣ ଜାରି ରହିଥିବା ଅଭିଯୋଗ ଉଠାଯାଇଥିଲା। ଯାହା ଏକ ଅତ୍ୟନ୍ତ ଗମ୍ଭୀର ଆଇନଗତ ପ୍ରଶ୍ନକୁ ଜନ୍ମ ଦେଇଛି। ପରିବେଶ ପ୍ରଭାବ ଆକଳନ ପ୍ରକ୍ରିୟାର ମୂଳ ଦର୍ଶନ ହେଉଛି; ଯେଉଁ ଲୋକମାନେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେ, ସେମାନଙ୍କର କଥା ଶୁଣାଯିବ। ହେଲେ ବିଡ଼ମ୍ବନା ହେଉଛି, ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା ଓ ଛତିଶଗଡ଼ରେ ଆବଶ୍ୟକ ସାର୍ବଜନୀନ ଶୁଣାଣି ନ ହୋଇଥିବା ବିଷୟରେ ୨୦୧୧ରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଉଲ୍ଲେଖ ଥିଲା। ମନ୍ତ୍ରଣାଳୟ ୨୦୧୦ରେ ଏହି ବିଷୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍ ମଧ୍ୟ ଦେଇଥିଲା। ଏଠାରେ ଏକ ମୌଳିକ ଲୋକତାନ୍ତ୍ରିକ ପ୍ରଶ୍ନ ଉଭା ହୋଇଛି ଯେ, ଯଦି ପ୍ରଭାବିତ ଲୋକଙ୍କୁ ଶୁଣାଗଲା ନାହିଁ, ତେବେ “ଲୋକଙ୍କ ପାଇଁ ବିକାଶ” ବୋଲି କହିବା କେତେ ଯୁକ୍ତିସଙ୍ଗତ?
ଇତିମଧ୍ୟରେ ପୋଲାଭରମ ବିବାଦ ସୁପ୍ରିମକୋର୍ଟରେ ମୃତବତ୍ ପଡ଼ି ରହିଛି। ଓଡ଼ିଶା ବନାମ ଆନ୍ଧ୍ରପ୍ରଦେଶ ସମ୍ପର୍କିତ ମାମଲାରେ କିଛି ମୌଳିକ ପ୍ରଶ୍ନ ଉଠିଥିଲା। ସେଗୁଡ଼ିକ ହେଲା; ପ୍ରକଳ୍ପର ଡିଜାଇନ୍ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ରାୟ ସହ ସାମଞ୍ଜସ କି? ବ୍ୟାକ୍‌ୱାଟର ପ୍ରଭାବ ସମ୍ପର୍କରେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଯଥାଯଥ ଅଧ୍ୟୟନ ହୋଇଛି କି? ସ୍ପିଲୱେର କ୍ଷମତା ବୃଦ୍ଧି ଏକ ମୂଳଗତ ଡିଜାଇନ୍ ପରିବର୍ତ୍ତନ କି? ଏହା ପାଇଁ ନୂତନ ପରିବେଶୀୟ ଅନୁମୋଦନ ଆବଶ୍ୟକ କି? ଜଙ୍ଗଲଭୂମି ଉପରେ ପ୍ରଭାବ ପାଇଁ ବନ ଅନୁମୋଦନ ଆବଶ୍ୟକ କି? ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଉପରେ ପ୍ରକଳ୍ପର ପରିବେଶୀୟ ପ୍ରଭାବ କ’ଣ? ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକ ସାର୍ବଜନୀନ ଶୁଣାଣି ହୋଇଛି କି? ଯେଉଁ ପ୍ରଶ୍ନଗୁଡ଼ିକ ସୁପ୍ରିମକୋର୍ଟ ରେକର୍ଡରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି। ଏଥିରୁ ଜଣାପଡ଼େ ଯେ, ପୋଲାଭରମ ବିବାଦ କେବଳ ରାଜନୈତିକ ବିବାଦ ନୁହେଁ; ଏହା ଏକ ଗମ୍ଭୀର ସମ୍ବିଧାନିକ, ପରିବେଶୀୟ ତଥା ଆନ୍ତଃରାଜ୍ୟ ଆଇନଗତ ପ୍ରଶ୍ନ। ଏଠାରେ ପୋଲାଭରମ ପ୍ରକଳ୍ପର ଆଇନଗତ ଅନୁଶୀଳନ ପରିପ୍ରେକ୍ଷୀରେ ସୂଚନାଯୋଗ୍ୟ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ୧୯୮୦ ରାୟ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆନ୍ତଃରାଜ୍ୟ ନଦୀର ଜଳ ବ୍ୟବହାରରେ ଏକ ରାଜ୍ୟର ପଦକ୍ଷେପ ଅନ୍ୟ ରାଜ୍ୟର ଭୂମି, ଜଳ, ପରିବେଶ ଓ ଲୋକଙ୍କ ଅଧିକାରକୁ କୌଣସି ଦିଗରୁ ଅବହେଳା କରିପାରେ ନାହିଁ। ଓଡ଼ିଶା ପକ୍ଷରୁ ଏହି ଯୁକ୍ତି ଦୀର୍ଘଦିନ ଧରି ଉଠାଯାଇଛି ଯେ, ପ୍ରକଳ୍ପର ଡିଜାଇନ୍ ଓ ପ୍ରଭାବ ଟ୍ରିବ୍ୟୁନାଲ ରାୟ ଦୃଷ୍ଟିକୋଣରୁ ପ୍ରାସଙ୍ଗିକ ହେବା ଦରକାର।
ଏହା ସମେତ ଭାରତୀୟ ନ୍ୟାୟବ୍ୟବସ୍ଥା, ପରିବେଶୀୟ ମାମଲାରେ କିଛି ମୌଳିକ ସିଦ୍ଧାନ୍ତକୁ ଗୁରୁତ୍ୱ ଦେଇଛି। ସେଗୁଡ଼ିକ ମଧ୍ୟରେ; ସତର୍କତାମୂଳକ ସିଦ୍ଧାନ୍ତ ଅର୍ଥାତ୍ ଯଦି ଏକ ପ୍ରକଳ୍ପ ଗମ୍ଭୀର କିମ୍ବା ଅପରିବର୍ତ୍ତନୀୟ ପରିବେଶୀୟ କ୍ଷତି କରିପାରେ, ତେବେ “କ୍ଷତି ହେଲା ପରେ ଦେଖିବା” ନୀତି ଗ୍ରହଣ କରାଯାଇନପାରେ। ପ୍ରଦୂଷକ ଦେୟ ସିଦ୍ଧାନ୍ତ ଅର୍ଥାତ୍ ଯିଏ ପରିବେଶୀୟ କ୍ଷତି କରେ, କ୍ଷତିର ପ୍ରତିକାର ଓ ପୁନରୁଦ୍ଧାରର ଖର୍ଚ୍ଚ ବହନ କରିବା ଉଚିତ୍। ସାର୍ବଜନୀନ ଆସ୍ଥା ସିଦ୍ଧାନ୍ତ ଅର୍ଥାତ୍ ପ୍ରାକୃତିକ ସମ୍ପଦ ସରକାରଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ରାଜ୍ୟ ସେଗୁଡ଼ିକର ରକ୍ଷକ। ସ୍ଥାୟୀ ତଥା ଦୀର୍ଘ ମିଆଦୀ ବିକାଶ ଅର୍ଥାତ୍ ବିକାଶ ହେବ କିନ୍ତୁ ଏହି ବିକାଶ ଯେପରି ଆଗାମୀ ପିଢ଼ିର ଅଧିକାରକୁ ନଷ୍ଟ ନକରେ।
କେବଳ ସେତିକି ନୁହେଁ, ଭାରତୀୟ ସୁପ୍ରିମକୋର୍ଟ ବିଭିନ୍ନ ରାୟରେ ଅନୁଚ୍ଛେଦ ୨୧ ଅଧୀନରେ ଜୀବନର ଅଧିକାରକୁ କେବଳ ଶାରୀରିକ ଅସ୍ତିତ୍ୱରେ ସୀମିତ ରଖିନାହାନ୍ତି। ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ମଧ୍ୟ ମାନବୀୟ ଜୀବନର ଗୁଣମାନ ସହ ଜଡ଼ିତ ଥିବା ସ୍ପଷ୍ଟ କରିଛନ୍ତି। ତେଣୁ ଯଦି କୌଣସି ବୃହତ୍ ପ୍ରକଳ୍ପ ଜଙ୍ଗଲ, ଜଳ, ବାୟୁ, ଜୀବିକା ଓ ଜୀବନର ଗୁଣମାନକୁ ଗମ୍ଭୀର ଭାବେ ପ୍ରଭାବିତ କରେ, ତେବେ ଏହାକୁ କେବଳ “ବିକାଶ” ନାମରେ ନ୍ୟାୟସଙ୍ଗତ ବୋଲି ଗ୍ରହଣଯୋଗ୍ୟ କରାଯାଇନପାରେ।
ଭୂମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃସ୍ଥାପନରେ ଉଚିତ କ୍ଷତିପୂରଣ ଓ ସ୍ୱଚ୍ଛତାର ଅଧିକାର ଆଇନ, ୨୦୧୩ ଅନୁସାରେ ଭୂମି ଅଧିଗ୍ରହଣରେ କ୍ଷତିପୂରଣ ଓ ପୁନର୍ବାସ–ପୁନଃସ୍ଥାପନ ପାଇଁ ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ରହିଛି। ପୋଲାଭରମ ପ୍ରକଳ୍ପର କେତେକ ଭୂମି ଅଧିଗ୍ରହଣ ଏହି ଆଇନର ବ୍ୟବସ୍ଥା ଅନୁସାରେ ହୋଇଥିବା ସମ୍ପର୍କିତ ତଥ୍ୟ ମଧ୍ୟ ଏନଜିଟି ରେକର୍ଡରେ ରହିଛି। କିନ୍ତୁ ଏଠାରେ ମୂଳ ପ୍ରଶ୍ନ ହେଉଛି; କ୍ଷତିପୂରଣର ମୂଲ୍ୟ କେବଳ ଜମିର ବଜାର ଦରରେ ନିର୍ଣ୍ଣୟ ହେବ କି? ଏକ ଆଦିବାସୀ ପରିବାର ଯଦି ଜମି ସହିତ; ମହୁ, ତେନ୍ତୁଳି, ବାଉଁଶ, ଜଙ୍ଗଲୀ ଫଳ, ଔଷଧୀୟ ଉଦ୍ଭିଦ, ମାଛ, ଜାଳେଣି, ପଶୁଚାରଣ ଭଳି ଅନେକ ସୁବିଧା ସୁଯୋଗ ପାଇଥାଏ, ତେବେ ଜମିର ମୂଲ୍ୟ ସହ ଏହି ସମସ୍ତ ପାରିପାର୍ଶ୍ୱିକ ସେବାର ମୂଲ୍ୟ ମଧ୍ୟ ବିଚାର ହେବା ଆବଶ୍ୟକ ନା ନାହିଁ ତାହା ବିଚାର୍ଯ୍ୟ।

ମାଲକାନଗିରିର କ୍ଷତି ଓ ଆନ୍ଧ୍ରପ୍ରଦେଶର ଲାଭ – ଏହା କେତେ ଦୂର ଯୁକ୍ତି ତଥା ନ୍ୟାୟସଙ୍ଗତ:
ଆନ୍ତଃରାଜ୍ୟ ପ୍ରକଳ୍ପରେ ଏକ ରାଜ୍ୟର ପ୍ରକଳ୍ପ ଅନ୍ୟ ରାଜ୍ୟର ଭୂମିକୁ ପ୍ରଭାବିତ କଲେ ପ୍ରଭାବିତ ରାଜ୍ୟର ଅଂଶଗ୍ରହଣ ଅତ୍ୟନ୍ତ ଆବଶ୍ୟକ। ୨୦୦୯ର ଏକ ସଂସଦୀୟ ରେକର୍ଡରେ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ର ପ୍ରଭାବକୁ ପ୍ରକଳ୍ପର ପରିବେଶୀୟ ମୂଲ୍ୟାୟନରେ ଯଥାପ୍ରକାର ସାମିଲ କରାଯାଇନଥିବା ନେଇ ଅଭିଯୋଗ ଦର୍ଶାଯାଇଥିଲା। ପୋଲାଭରମ୍ ନଦୀ ବନ୍ଧ ଯୋଜନା କ୍ଷେତ୍ରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଲେ, ସିଧାସଳଖ ବ୍ୟାକ୍ ୱାଟର୍ ପ୍ରଭାବରେ ମାଲକାନଗିରି ଜିଲ୍ଲାର ଏକ ବୃହତ୍ ଅଞ୍ଚଳକୁ ଜଳମଗ୍ନ କରିବା ଭଳି ସମ୍ଭାବ୍ୟ ଦିଗକୁ ଆଦୌ ଅଣଦେଖା କରାଯାଇନପାରେ। ଗ୍ରାମାଞ୍ଚଳ ଜୀବନଯାପନ ଭିତରେ ଖୁବ୍ ପ୍ରଚଳିତ ଏକ ଲୋକୋକ୍ତି ଏଠାରେ ଖୁବ୍ ପ୍ରଣିଧାନଯୋଗ୍ୟ ଲାଗେ ଯେ, “କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା”! ଅର୍ଥାତ୍ ଏଠାରେ ଏକ ମୌଳିକ ପରିବେଶୀୟ ନ୍ୟାୟର ପ୍ରଶ୍ନ ଉଠେ ଯେ, ଯଦି ଗୋଟିଏ ଅଞ୍ଚଳ ପ୍ରାକୃତିକ ସଂଶାଧନ ହରାଏ, ଜମି ହରାଏ, ଗ୍ରାମ ହରାଏ, ଜୀବିକା ହରାଏ ଏବଂ ଅନ୍ୟ ଅଞ୍ଚଳ ସେଚନ, ପାଣି, ବିଦ୍ୟୁତ୍ ଓ ଅର୍ଥନୈତିକ ଲାଭ ପାଏ, ତେବେ ପ୍ରଶ୍ନ ଉଠିବା ସମ୍ପୂର୍ଣ୍ଣ ସ୍ୱାଭାବିକ ଯେ, କ୍ଷତି ଓ ଲାଭର ବଣ୍ଟନ ନ୍ୟାୟସଙ୍ଗତ କି? ଯାହାକୁ ପରିବେଶୀୟ ନ୍ୟାୟର ଭାଷାରେ କ୍ଷତିର ନ୍ୟାୟସଙ୍ଗତ ବଣ୍ଟନ ବୋଲି କୁହାଯାଇପାରେ। ଏହା ସହିତ ଅନ୍ଯ ଏକ ମୌଳିକ ପ୍ରଶ୍ନ ସାଧାରଣ ଜନମାନସରେ ଉଠୁଛି ଯେ, “ଜାତୀୟ ପ୍ରକଳ୍ପ” ହେଲେ କ’ଣ ସମସ୍ତ ଆଇନ ଅପ୍ରସଙ୍ଗିକ ହୋଇଯାଏ? ଯାହାର ଉତ୍ତର ସାମ୍ବିଧାନିକ ପ୍ରକ୍ରିୟାରେ ବିଶ୍ୱାସ ରଖୁଥିବା ଯେକୌଣସି ବ୍ୟକ୍ତି ନା ହିଁ କହିବେ। ପୋଲାଭରମକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଇଥିବାର ଅର୍ଥ ହେଉଛି କେନ୍ଦ୍ର ସରକାର ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଆବଶ୍ୟକ ଅନୁମୋଦନ ସମ୍ପର୍କରେ ପ୍ରମୁଖ ଭୂମିକା ନେବେ। କିନ୍ତୁ ଏହା ଏପରି ଅର୍ଥ ନୁହେଁ ଯେ; ପରିବେଶ ଆଇନ, ଜଙ୍ଗଲ ଅଧିକାର ଆଇନ, ପୁନର୍ବାସ ଆଇନ, ଆଦିବାସୀ ଅଧିକାର ଓ ନ୍ୟାୟିକ ନିରୀକ୍ଷଣ ଅପ୍ରାସଙ୍ଗିକ ହୋଇଗଲା। ସରକାରୀ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାର ଆବଶ୍ୟକ ପରିବେଶ, ଜଙ୍ଗଲ ଓ ପୁନର୍ବାସ–ପୁନଃସ୍ଥାପନ ମାନଦଣ୍ଡ ସୁନିଶ୍ଚିତ କରିବାର ଦାୟିତ୍ୱ ନେଇଛନ୍ତି।
ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏନଜିଟିର ଭୂମିକାକୁ ନେଇ ଗମ୍ଭୀର ସନ୍ଦେହ ସୃଷ୍ଟି ହୋଇଛି। ଜାତୀୟ ସବୁଜ ଅଧିକରଣ ପରିବେଶ ଆଇନ ସମ୍ପର୍କିତ ବିବାଦରେ ଏକ ପ୍ରମୁଖ ନ୍ୟାୟିକ ସଂସ୍ଥା। ପୋଲାଭରମ ସମ୍ପର୍କିତ ମାମଲାରେ ମଧ୍ୟ ପରିବେଶୀୟ ଅନୁମୋଦନ, ପ୍ରକଳ୍ପ ପରିସରର ପରିବର୍ତ୍ତନ ଓ ପରିବେଶୀୟ କ୍ଷତି ସମ୍ପର୍କରେ ଅଭିଯୋଗ ଉଠିଛି। ୨୦୨୨ର ଏକ ଆଦେଶରେ ମୂଳ ପ୍ରକଳ୍ପର ପରିସରରେ ପରିବର୍ତ୍ତନ ହୋଇଥିଲେ ନୂତନ କିମ୍ବା ସଂଶୋଧିତ ପରିବେଶୀୟ ଅନୁମୋଦନ ଆବଶ୍ୟକ କି ନାହିଁ; ଏହାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏନଜିଟିରେ ଉଠିଥିବା ଅନ୍ୟାନ୍ୟ ପରିବେଶୀୟ ଅଭିଯୋଗ ମାମଲା ଗୁଡ଼ିକ ମଧ୍ୟରେ ବିଶାଳ ବନଭୂମି ଜଳମଗ୍ନତା, ବିକଳ୍ପ ବନଭୂମି ସମ୍ପର୍କିତ ପ୍ରଶ୍ନ, ପୁନର୍ବାସ ବିନା ଉପରି ଅଞ୍ଚଳ ଜଳମଗ୍ନତା, ପ୍ରକଳ୍ପର ପରିବର୍ତ୍ତିତ ପରିସର, ପରିବେଶୀୟ ଅନୁମୋଦନର ପ୍ରଶ୍ନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିସରଭୁକ୍ତ ହୋଇଥିଲା ସତ । କିନ୍ତୁ ଏନଜିଟିର ଉଦାସୀନତା ତଥା ନୀରବଦ୍ରଷ୍ଟା ନୀତି କାରଣରୁ ଏହି ବୃହତ୍ ନଦୀବନ୍ଧ ପ୍ରକଳ୍ପ ବର୍ତ୍ତମାନ୍ ନିର୍ମାଣର ଅନ୍ତିମ ପର୍ଯ୍ୟାୟରେ ଉପନୀତ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ, ପ୍ରକଳ୍ପର ପରିବେଶୀୟ ପ୍ରଭାବ ନେଇ ଆଇନଗତ ନିରୀକ୍ଷଣ ଏଯାବତ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ।

ପ୍ରକଳ୍ପ ସପକ୍ଷରେ ଏବଂ ବିପକ୍ଷରେ ଉଠୁଥିବା ସାଧାରଣ ଯୁକ୍ତି:
ନିରପେକ୍ଷ ଭାବେ ଦେଖିଲେ ପ୍ରକଳ୍ପ ସପକ୍ଷରେ ପ୍ରାୟ ତିନୋଟି ପ୍ରମୁଖ ଯୁକ୍ତି ରହିଛି। ଯଥା; ବନ୍ୟା ସମୟରେ ସମୁଦ୍ରକୁ ବହିଯାଉଥିବା ବିପୁଳ ଜଳକୁ ଧରି ରଖି କୃଷି ଓ ମଣିଷଙ୍କ ଉପକାରରେ ବିନିଯୋଗ ଦ୍ୱାରା ଜଳର ବୈଜ୍ଞାନିକ ବ୍ୟବହାର, ଜଳସେଚନ ବଢ଼ିଲେ କୃଷି ଉତ୍ପାଦନ ହୁଏତ ବୃଦ୍ଧି ପାଇପାରେ ଫଳତଃ ଖାଦ୍ୟ ସୁରକ୍ଷା ଏବଂ ଶେଷରେ ଜଳର ଉପଲବ୍ଧତା ବଢ଼ିଲେ ଶିଳ୍ପ, କୃଷି ଓ ରୋଜଗାରରେ ବୃଦ୍ଧି ହୋଇପାରେ ଯଦ୍ଦ୍ୱାରା ସ୍ଥାନୀୟ ବିକାଶ ହୋଇପାରିବ ବୋଲି ଉପସ୍ଥାପନ କରାଯାଉଛି।
ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ପ୍ରକଳ୍ପର ସପକ୍ଷ ଗୋଟିଏ ପାର୍ଶ୍ୱରେ ଥିବା ବେଳେ ଅନ୍ୟ ପକ୍ଷରେ ପ୍ରକଳ୍ପ ବିରୋଧରେ ମଧ୍ୟ କିଛି ଦୃଢ଼ ଯୁକ୍ତି ପ୍ରତିଭାତ ହେଉଛି। ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ଯୁକ୍ତି ହେଲା ଗୋଟିଏ ଅଞ୍ଚଳର ଉନ୍ନତି ପାଇଁ ଅନ୍ୟ ଅଞ୍ଚଳର ଲୋକଙ୍କୁ ଅନ୍ୟାୟସଙ୍ଗତ ଭାବେ ବିସ୍ଥାପିତ କରିହେବ ନାହିଁ। ଏହାଛଡ଼ା ଯଦି ପରିବେଶୀୟ କ୍ଷତି ଅପରିବର୍ତ୍ତନୀୟ ହୁଏ, ତେବେ କେବଳ କେତେକ ଅନୁକମ୍ପା ମୂଳକ ଅର୍ଥରାଶି ଦ୍ୱାରା ତାହାର କ୍ଷତିପୂରଣ ସମ୍ଭବ ନୁହେଁ। ଉଦାହରଣସ୍ୱରୂପ – ୧୦୦ ବର୍ଷର ଏକ ଜଙ୍ଗଲକୁ କାଟି ଦେଇ ପରେ ୧୦୦୦ଟି ଚାରା ଲଗାଇଲେ ମଧ୍ୟ ସେହି ପୁରୁଣା ଜଙ୍ଗଲ ଫେରିଆସେ ନାହିଁ।
ସେହିପରି, ଶତାବ୍ଦୀର ଏକ ଆଦିବାସୀ ସାମାଜିକ–ସାଂସ୍କୃତିକ ପରିବେଶକୁ ଅନ୍ୟ ସ୍ଥାନରେ ଘର ଦେଇ ପୁନର୍ନିର୍ମାଣ କରାଯାଇପାରେ ଯାହାକୁ “ବିକାଶ ପାଇଁ ବିନାଶ” ହିଁ କୁହାଯାଇପାରେ। ପୋଲାଭରମ ବିବାଦରେ “ପରିବେଶ ବନାମ ବିକାଶ” ଧାରଣା ଆଲୋଚନା ପୂର୍ବରୁ ହିଁ କାହିଁକି ଭୁଲ ପ୍ରତୀତ ହୁଏ? କାରଣ, ପ୍ରାୟତଃ ଏପରି ବିବାଦରେ କୁହାଯାଏ, “ବିକାଶ ଚାହୁଁଛ ନା ପରିବେଶ?” ଯାହା ସମ୍ପୂର୍ଣ୍ଣ ରୂପେ ଏକ ଭୁଲ ଦ୍ୱନ୍ଦ୍ୱ। ପ୍ରକୃତ ପ୍ରଶ୍ନ ହେଉଛି, “କେଉଁ ପ୍ରକାରର ବିକାଶ?” ଯଦି ବିକାଶ- ଜଙ୍ଗଲ ପରିସଂସ୍ଥା/ପରିବେଶ ନଷ୍ଟ କରେ, ନଦୀ ଝରଣାକୁ ନଷ୍ଟ କରେ, ବନ୍ୟ ପ୍ରାଣୀ ବନ୍ୟ ଉଦ୍ଭିଦ ସମେତ ସମ୍ପୂର୍ଣ୍ଣ ଜୀବଜଗତକୁ ଆତ୍ମସାତ୍ କରିଦିଏ, ଜୈବବିବିଧତା ହ୍ରାସ କରେ, ଆଦିବାସୀଙ୍କୁ ନିଜ ଭିଟାମାଟିରୁ ବେଦଖଲ୍ କରି ବିସ୍ଥାପିତ କରେ, ସେମାନଙ୍କୁ ନିଜ ପ୍ରକୃତିରୁ ସଂସ୍କୃତିର ଦୂରେଇ ଦିଏ, ସେମାନଙ୍କ ଜୀବନ ଜୀବିକା ନଷ୍ଟ କରେ, ପୂର୍ବପୁରୁଷଙ୍କ ସ୍ମୃତିରୁ ସମାଧିରୁ ବଞ୍ଚିତ କରି ପୀଢ଼ି ପୀଢ଼ିର ସମ୍ପର୍କକୁ ନିମିଷକେ ତୁଟେଇ ତା’ର ଧର୍ମୀୟ ଭାବନାକୁ କୁଠାରଘାତ କରିପାରେ, ତେବେ ଏହାକୁ ଦୀର୍ଘମିଆଦି ସ୍ଥାୟୀ ବିକାଶ ବୋଲି ଯୁକ୍ତି ବାଢ଼ିବା ମାନବତା ବିରୋଧୀ ନୁହଁ କି? “ଝିଣ୍ଟିକା ମାରି ବଣି ପୋଷିବା” ନୀତି କଦାପି ସୁସ୍ଥ ମସ୍ତିଷ୍କରୁ ନିର୍ଗତ ଏକ ପନ୍ଥା ବୋଲି ଗ୍ରହଣ କରାଯାଇନପାରେ।
ପୋଲାଭରମ ପ୍ରକଳ୍ପ ଭାରତର ଜଳସମ୍ପଦ ଇତିହାସର ଏକ ବୃହତ୍ ପ୍ରକଳ୍ପ। ପୋଲାଭରମକୁ ନେଇ ଆଲୋଚନା କେବଳ “ହଁ” କିମ୍ବା “ନା”ରେ ସୀମିତ ନ ରହି ବରଂ ବିକଳ୍ପ ଭାବେ; ଛୋଟ କିମ୍ବା ମଧ୍ୟମ ଜଳସେଚନ ପ୍ରକଳ୍ପ, ନଦୀ ଜଳ ସଂରକ୍ଷଣ, ଜଳାଶୟ ପୁନରୁଦ୍ଧାର, ବର୍ଷାଜଳ ସଂରକ୍ଷଣ, ମାଇକ୍ରୋ ଇରିଗେସନ, ଡ୍ରିପ୍ ଓ ସ୍ପ୍ରିଙ୍କଲର୍, ଭୂଗର୍ଭଜଳ ପୁନର୍ଭରଣ, ବନ୍ୟାଜଳର ବୈଜ୍ଞାନିକ ବ୍ୟବସ୍ଥାପନ ଭଳି ବିକଳ୍ପଗୁଡ଼ିକୁ ମଧ୍ୟ ତୁଳନାତ୍ମକ ବିକଳ୍ପର ପନ୍ଥା ଭାବେ ଆପଣାଇବା ନିହାତି ଆବଶ୍ୟକ ରହିଥିଲା। କିନ୍ତୁ ବର୍ତ୍ତମାନ “ନେଡି ଗୁଡ଼ ପ୍ରକୃତରେ କହୁଣୀକୁ ବୋହି ସାରିଛି।”
ତେବେ ପୋଲାଭରମ ପ୍ରକଳ୍ପର ବିବାଦ ଆମକୁ ବିକାଶର ପ୍ରକୃତ ପରିଭାଷାକୁ ପୁଣିଥରେ ଅନୁଶୀଳନ କରିବା ପାଇଁ ବାଧ୍ୟ କରୁଛି ଯେ, ବିକାଶର ଅର୍ଥ; କେବଳ ବଡ଼ ବଡ଼ ବନ୍ଧ, ସୁଉଚ୍ଚ ନଭାଶ୍ଚୁମ୍ଭୀ ଅଟ୍ଟାଳିକା, ୪/୪ ପ୍ରଶସ୍ତ କଳାମଚମଚ ପିଚୁରାସ୍ତା, ବଡ଼ ବଡ଼ କଳକାରଖାନା, ବଡ଼ ବଡ଼ ଶିଳ୍ପ କିମ୍ବା ଖୁବ୍ ମୋଟା ଅଙ୍କର ବିଦେଶୀ ନିବେଶ ନୁହେଁ। ବରଂ ବିକାଶର ଅର୍ଥ ହେଉଛି; ସୁରକ୍ଷିତ ଜୀବନ, ସୁସ୍ଥ ପରିବେଶ, ନ୍ୟାୟସଙ୍ଗତ ଜୀବିକା, ସାମାଜିକ ସମ୍ମାନ ସମେତ ଉତ୍ତରପିଢ଼ିର ସୁରକ୍ଷା। ଯେଉଁ ବିକାଶରେ କିଛି ଲୋକ ଲାଭ ପାଆନ୍ତି ଏବଂ ଅନ୍ୟମାନେ ନିଜ ଘର, ଜମି, ଜଙ୍ଗଲ ଓ ପରିଚୟ ହରାନ୍ତି, ସେହି ବିକାଶର ନ୍ୟାୟସଙ୍ଗତତା ପ୍ରଶ୍ନର ସମ୍ମୁଖୀନ ହେବା ଅବଶ୍ୟମ୍ଭାବୀ। ସେହିଭଳି ବୃହତ୍ ପ୍ରକଳ୍ପର ମୂଲ୍ୟାୟନ ସମୟରେ ବ୍ୟବସ୍ଥା ତରଫରୁ ସାଧାରଣତଃ ପ୍ରଶ୍ନ ଆସେ, “କେତେ କୋଟି ଟଙ୍କା ଖର୍ଚ୍ଚ ହେବ?” ଓ “କେତେ ହେକ୍ଟର ଜମି ବୁଡ଼ିବ?” କିନ୍ତୁ ଆଉ ଏକ ପ୍ରଶ୍ନ ବର୍ତ୍ତମାନ୍ ସମୟରୁ ସେଥିରେ ଯୋଡ଼ି ଦେବା ପ୍ରଯୁଜ୍ୟ ହେବ ଯେ, “କେତେ ପିଢ଼ିର ଜୀବନ ଉକ୍ତ ବିନାଶ ଦ୍ୱାରା ପରିବର୍ତ୍ତିତ ହେବ?”
ଆମେ ଆଜି ଯେଉଁ ନିଷ୍ପତ୍ତି ନେଉଛୁ, ତାହାର ପ୍ରଭାବ ଆଗାମୀ ପିଢ଼ି ଉପରେ ନିଶ୍ଚିତ ପଡ଼ିବାକୁ ଯାଉଛି। ଯଦି ଆଜି ଆମେ ନଦୀକୁ ବାନ୍ଧିଦେବା, ଜଙ୍ଗଲ କାଟିଦେବା, ଜୈବବିବିଧତା ନଷ୍ଟ କରିଦେବା ତେବେ ଆଗାମୀ ପିଢ଼ି ଏହାର ମୂଲ୍ୟ ଦେବ। ସେଥିପାଇଁ ସ୍ଥାୟୀ ବିକାଶର ମୂଳ ମନ୍ତ୍ରକୁ ସମସ୍ତେ ଦୋହରାଇବାଆବଶ୍ୟକ ଯେ, “ଆଜିର ବିକାଶ ଆଗାମୀ ପିଢ଼ିର ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିବା ଅନୁଚିତ୍।” ସୁତରାଂ ଆନ୍ତଃପିଢ଼ି ନ୍ୟାୟ ସୁନିଶ୍ଚିତ ନିମନ୍ତେ ଆମେ ସମସ୍ତେ ପ୍ରତିବଦ୍ଧ ହେବା ଓ ସ୍ଥାୟୀ ବିକାଶ ଉପଭୋଗ କରିବାକୁ ବଦ୍ଧପରିକର ହେବା।
ସମ୍ପ୍ରତି ମାଲକାନଗିରି ଜିଲ୍ଲାରେ ପୋଲାଭରମ୍ ପ୍ରକଳ୍ପ ପ୍ରଭାବରେ ପରିବର୍ତ୍ତିତ ହେଉଥିବା ଅସ୍ତିତ୍ୱ କାରଣରୁ ଏବଂ ଅଧିକାର ସାବ୍ୟସ୍ତ ଦୃଷ୍ଟିରୁ ନିମ୍ନୋକ୍ତ କେତେକ ଦାବି ଗୁରୁତ୍ୱପୂର୍ଣ୍ଣ ତଥା ଆଲୋଚନା ସାପେକ୍ଷ ବୋଲି ମନେହୁଏ। ଯଥା; ପ୍ରତିଟି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଅବିଳମ୍ବେ ଗ୍ରାମସଭା ଯାହା କେବଳ କାଗଜରେ ନୁହେଁ ବରଂ ଗ୍ରାମସଭାର ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଜରିଆରେ ନିଶ୍ଚିତ କରାଯାଉ। ଜଙ୍ଗଲ ଅଧିକାରର ସମ୍ପୂର୍ଣ୍ଣ ସ୍ୱୀକୃତି କ୍ରମେ ପ୍ରଭାବିତ ପରିବାର ଓ ସମୁଦାୟଙ୍କ ଦାବିର ନିରାକରଣ ତଥା ପ୍ରତିକାର କରାଯାଉ। ବିକଳ୍ପ ଡିଜାଇନ୍ ଅଧ୍ୟୟନ ଜରିଆରେ ଶୂନ୍ୟ କିମ୍ବା ସର୍ବନିମ୍ନ ବିସ୍ଥାପନ ବାବଦରେ ଅଧିକ ଗବେଷଣା କରାଯାଉ। ନିରପେକ୍ଷ ଭାବେ ପ୍ରତ୍ୟେକ ପ୍ରଭାବିତ ଗ୍ରାମର ତଥ୍ୟ ସାର୍ବଜନୀନ ହେଉ। କେବଳ ଜମିର ଦାମ ନୁହେଁ ବରଂ ଜୀବିକା ଆଧାରିତ କ୍ଷତିପୂରଣ ପ୍ରଦାନ ନିମନ୍ତେ ବନ୍ଦୋବସ୍ତ କରାଯାଉ। କେନ୍ଦ୍ରୀୟ କିମ୍ବା ପ୍ରକଳ୍ପ ପକ୍ଷୀୟ ସଂସ୍ଥା ନୁହେଁ ବରଂ ସ୍ୱାଧୀନ ବିଶେଷଜ୍ଞଙ୍କ ଦ୍ୱାରା ନୂତନ ସ୍ୱାଧୀନ ପରିବେଶୀୟ ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଜାରିହେଉ। ବିଭିନ୍ନ ବନ୍ୟା ପରିସ୍ଥିତିରେ ବ୍ୟାକ୍‌ୱାଟରର ପୁନଃମୂଲ୍ୟାୟନ ପ୍ରତି ସମୟରେ ନିଶ୍ଚିତ କରାଯାଉ। ଲାଭାଂଶ ପାଇବା ପାଇଁ କେବଳ କ୍ଷତିପୂରଣ ନୁହେଁ ବରଂ ଜାତୀୟ ସମ୍ପଦ ଦୃଷ୍ଟିରୁ ଉକ୍ତ କ୍ଷେତ୍ରରେ ରାଷ୍ଟ୍ର ନିଜର ଉତ୍ତରଦାୟିତ୍ୱ ମଧ୍ୟ ଗ୍ରହଣ କରୁ। ନିର୍ମାଣ ଶେଷ ହେବା ପରେ ଦୀର୍ଘମିଆଦି ପରିବେଶୀୟ ନିରୀକ୍ଷଣ ବ୍ୟବସ୍ଥାକୁ ସ୍ଥିର କରାଯାଉ। ତଥା ସର୍ବୋପରି ଓଡ଼ିଶାର ପ୍ରତିନିଧି, ଆଦିବାସୀ ପ୍ରତିନିଧି ଓ ପରିବେଶ ବିଶେଷଜ୍ଞଙ୍କ ସହ ଏକ ସ୍ୱାଧୀନ ନିରୀକ୍ଷଣ କମିଟି ଗଠନ କରି ସମସ୍ତ ଦାବି ଗୁଡ଼ିକ ହାସଲ ଦିଗରେ ସହାୟ ହେବା ଆବଶ୍ୟକ ।


ବାଲିମେଳା, ମାଲକାନଗିରି
ମୋବାଇଲ୍ ନମ୍ବର୍: ୮୨୬୦୯୭୬୦୭୬

ad-week
Leave A Reply

Your email address will not be published.