ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଓ ନବସୃଜନଙ୍କୁ ଅକ୍ଟୋବର ୩୧ ସୁଦ୍ଧା ପଞ୍ଜୀକରଣ ପାଇଁ ଅନୁରୋଧ
ବ୍ରହ୍ମପୁର : ଯୁବପିଢ଼ି, ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍, ଉଦ୍ୟୋଗୀ, ଏମ୍ଏସ୍ଏମ୍ଇ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ନବସୃଜନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଓଡ଼ିଶା ସେବା ଫାଷ୍ଟ ନବସୃଜନ ଆହ୍ୱାନ’ (ଓଏସଏଫଆଇସି) ଆରମ୍ଭ ହୋଇଛି। ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବାସ୍ତବ ଜୀବନର ସମସ୍ୟାର ନୂତନ ଓ ପ୍ରାୟୋଗିକ ସମାଧାନ ପାଇଁ ନବପ୍ରତିଭାଙ୍କୁ ସୁଯୋଗ ଦିଆଯାଉଛି।

ଗଞ୍ଜାମରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଇତିମଧ୍ୟରେ ଜିଲ୍ଲାର ୨୪ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ହୋଇସାରିଛି। ଏଥିରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ନିଷ୍ଟ୍, ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ ଇଞ୍ଜିନିୟରିଂ କଲେଜ, ଆଇଟିଆଇ, ପଲିଟେକନିକ ଓ ପିଏମ୍ ଶ୍ରୀ ବିଦ୍ୟାଳୟ ସାମିଲ ରହିଛି।
ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନୂଆ ଚିନ୍ତାଧାରା ପ୍ରସ୍ତୁତ କରି ପୋର୍ଟାଲରେ ପଞ୍ଜୀକରଣ ପାଇଁ ଅନୁରୋଧ କରାଯାଇଛି। ବିଶେଷଜ୍ଞ ଓ ଶିଳ୍ପ ବିଭାଗର ଅଧିକାରୀମାନେ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି। ଅକ୍ଟୋବର ୧୬ ସୁଦ୍ଧା ୪୦ଟି ଶିକ୍ଷାନୁଷ୍ଠାନରେ ଏହି ଅଭିଯାନ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।
ଓଏସଏଫଆଇସିରେ ଛାତ୍ର ନବସୃଜନ, ଯୁବ ନବସୃଜନ ଓ ତୃଣମୂଳ ନବସୃଜନ—ଏହି ତିନିଟି ବର୍ଗରେ ଅଂଶଗ୍ରହଣର ସୁଯୋଗ ରହିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, କାରିଗର, ପ୍ରଗତିଶୀଳ ଚାଷୀ, ଏସ୍ଏଚ୍ଜି, ଏଫ୍ପିଓ ଓ ସାଧାରଣ ନାଗରିକ ଏଥିରେ ଭାଗ ନେଇପାରିବେ।
ଆଗ୍ରହୀମାନେ ଅକ୍ଟୋବର ୩୧ ସୁଦ୍ଧା osfic.startupodisha.org ପୋର୍ଟାଲରେ ପଞ୍ଜୀକରଣ କରି ନିଜର ନୂଆ ଚିନ୍ତାଧାରା ଓ ସମାଧାନ ଦାଖଲ କରିବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆହ୍ୱାନ କରାଯାଇଛି।
