କ୍ଷତିପୂରଣ ଦାବିରେ ଗୋନା-ରାଇଘର ମୁଖ୍ୟ ରାସ୍ତା ଅବରୋଧ….
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ଘୁମୁରାପଦର ଗ୍ରାମରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ଚାଷୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀଜଣକ ହେଉଛନ୍ତି ଘୁମୁରାପଦର ଗ୍ରାମର ହରିଶ୍ଚନ୍ଦ୍ର କନ୍ଧଗୌଡ।
ପ୍ରାପ୍ତ ସୂଚନା ଅନୁଯାୟୀ, ହରିଶ୍ଚନ୍ଦ୍ର ନିଜ ଧାନ ଚାଷ ଦେଖିବା ପାଇଁ ଜମିକୁ ଯାଉଥିବା ସମୟରେ, ପୂର୍ବରୁ ତଳକୁ ଓହଳି ରହିଥିବା ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟୁତ ବିଭାଗର ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ମୃତକଙ୍କ ପରିବାର ବର୍ଗ ସନ୍ଧ୍ୟା ସମୟରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆନ୍ଦୋଳନକାରୀମାନେ ଗୋନା-ରାଇଘର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଛି।
ଏହି ଖବର ପାଇ ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯତୀନ୍ଦ୍ରନାଥ ଗଣ୍ଡ ଏବଂ କଂଗ୍ରେସ ନେତା ଶ୍ରୀ ସନରାଜ ଗଣ୍ଡ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ନ୍ୟାଯ୍ୟ ଦାବିକୁ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଖବର ପାଇ ରାଇଘର ପୋଲିସ ପ୍ରଶାସନ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଶେଷ ସୂଚନା ସୁଦ୍ଧା ଘଟଣା ସ୍ଥଳରେ ଚପା ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଘଟଣା ଉପରେ ନଜର ରଖିଛି।
