ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ‘ଚକଅଖ ବନ୍ଦ’: ରାଜଗାଙ୍ଗପୁରରେ ଆଂଶିକ ପ୍ରଭାବ, ଜରୁରୀ ସେବା ବାଧାପ୍ରାପ୍ତ ହେବାରୁ ଲୋକେ ହନ୍ତସନ୍ତ
ରାଜଗାଙ୍ଗପୁର : ଦେଶବ୍ୟାପୀ ‘ଇଣ୍ଡିଆ’ (INDIA) ମେଣ୍ଟର ଆହ୍ୱାନ କ୍ରମେ ଆଜି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୧୨ ଘଣ୍ଟିଆ ‘ଚକଅଖ ବନ୍ଦ’ ଆନ୍ଦୋଳନ ପାଳିତ ହୋଇଛି। ସ୍ଥାନୀୟ ବିଧାୟକ ଡକ୍ଟର ସି.ଏସ୍. ରାଜେନ୍ ଏକ୍କାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଆନ୍ଦୋଳନକୁ ମିଶ୍ରିତ ତଥା ଆଂଶିକ ସଫଳତା ମିଳିଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଗତକାଲିଠାରୁ କଂଗ୍ରେସ ତଥା ମେଣ୍ଟର କର୍ମୀମାନେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୁଲି ଦୋକାନ ବଜାର ବନ୍ଦ ରଖିବା ସହ ବସ୍-ଟ୍ରକ୍ ଭଳି ଯାନବାହାନ ଚଳାଚଳ ସ୍ଥଗିତ ରଖିବାକୁ ବ୍ୟାପକ ପ୍ରଚାର କରିଥିଲେ। ତଥାପି ଆଜି ରାଜଗାଙ୍ଗପୁର ସହରର ବିଭିନ୍ନ ସ୍ଥାନରେ କେତେକ କଳକାରଖାନା ଓ ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ମେଣ୍ଟର କର୍ମୀମାନେ ରାଜ୍ୟ ରାଜପଥର ବିଭିନ୍ନ ଛକରେ ପିକେଟିଂ କରି ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ କରିଦେବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ନକରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟ ମାର୍ଗଦର୍ଶିକା (ଗାଇଡ୍ଲାଇନ୍) ଜାରି କରାଯାଇଥିଲା। ମାତ୍ର ଆନ୍ଦୋଳନକାରୀମାନେ ଏହାକୁ ଉଲ୍ଲଂଘନ କରି ରୋଗୀ ନେଇ ଯାଉଥିବା ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ, ଡାକ ସେବା ଗାଡ଼ି, ପନିପରିବା ବୋଝେଇ ଗାଡ଼ି ଏବଂ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଯାତ୍ରୀବାହୀ ବସ୍ଗୁଡ଼ିକୁ ଅଟକାଇଥିବା ଅଭିଯୋଗ ହୋଇଛି। ବିଶେଷ କରି ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ ହୋଇଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦ୍ର ସରକାରଙ୍କ ଏମ୍ଏମ୍ଡିଆର୍ (MMDR) ସଂଶୋଧିତ ଆଇନ, ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିବିଚ୍ୟୁତି ପ୍ରସଙ୍ଗରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ମେଣ୍ଟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୀବ୍ର ସରକାର ବିରୋଧୀ ନାରାବାଜି ଦେଇଥିଲେ।
