କେଏଫ୍ସି ବିରୋଧରେ ଆଇନଗତ ଲଢ଼େଇ: ପଚା ଚିକେନ୍ ଖାଇ ଶିଶୁ ଅସୁସ୍ଥ, ଗ୍ରାହକ ଅଦାଲତରେ ୪.୫ ଲକ୍ଷ ଟଙ୍କାର କ୍ଷତିପୂରଣ ମାମଲା
ବ୍ରହ୍ମପୁର : ବ୍ରହ୍ମପୁର ସହରର ଜନତା ସିଟି ସେଣ୍ଟରସ୍ଥିତ ପ୍ରସିଦ୍ଧ ଫାଷ୍ଟଫୁଡ୍ ଆଉଟଲେଟ୍ କେଏଫ୍ସି (ମେସର୍ସ ଦେବଯାନୀ ଇଣ୍ଟରନ୍ୟାସନାଲ ଲିମିଟେଡ୍)ର ଅବହେଳା ଓ ନିମ୍ନମାନର ଖାଦ୍ୟ ପରିବେଷଣ ଯୋଗୁଁ ଜଣେ ୮ ବର୍ଷର ଶିଶୁ ଗୁରୁତର ଫୁଡ୍ ପଏଜନିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଶିଶୁଟିର ପରିବାର ପକ୍ଷରୁ ଗଞ୍ଜାମ ଜିଲ୍ଲା ଗ୍ରାହକ ବିବାଦ ରେଡ୍ରେସାଲ କମିଶନଙ୍କ ନିକଟରେ ଏକ ମାମଲା (ସିସି ନଂ: ୧୧୬/୨୦୨୬) ଦାୟର କରାଯାଇଛି।
ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୧୩ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବାସିନ୍ଦା ଶ୍ରୀମତୀ ଖୁସବୁ ସେଠୀ ନିଜ ସ୍ୱାମୀ ଓ ୮ ବର୍ଷର ପୁଅ ପାର୍ଷିକଙ୍କ ସହ ଉକ୍ତ କେଏଫ୍ସି ଆଉଟଲେଟ୍କୁ ଯାଇ ୧,୦୭୬.୨୫ ଟଙ୍କା ବିନିମୟରେ ବର୍ଗର ଓ କ୍ରିସପି ଫ୍ରାଇଡ୍ ଚିକେନ୍ କିଣିଥିଲେ। ମାତ୍ର ଶିଶୁଟି ଖାଇବା ଆରମ୍ଭ କରିବା କ୍ଷଣି ଚିକେନ୍ ସମ୍ପୂର୍ଣ୍ଣ ପଚା ଓ ଦୁର୍ଗନ୍ଧଯୁକ୍ତ ଥିବା ଜଣାପଡ଼ିଥିଲା। ଏ ବାବଦରେ ତୁରନ୍ତ କାଉଣ୍ଟର କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସେମାନେ କୌଣସି କର୍ଣ୍ଣପାତ ନକରି ଚରମ ବେପରୁଆ ମନୋଭାବ ପ୍ରଦର୍ଶନ କରିଥିଲେ। ପରଦିନ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାକୁ ତୁରନ୍ତ ଗୋପାଳପୁରସ୍ଥିତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଏହି ଅଭାବନୀୟ ଘଟଣା ସମ୍ପର୍କରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ଏବଂ ରାଜ୍ୟ ଖାଦ୍ୟ କମିଶନଙ୍କୁ ଇମେଲ୍ ଯୋଗେ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।
ଶେଷରେ ଉପଭୋକ୍ତା ସଂରକ୍ଷଣ ଆଇନ-୨୦୧୯ର ଧାରା ୩୫(୧) ଅନୁଯାୟୀ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେଏଫ୍ସିର ସେବାରେ ଚରମ ତ୍ରୁଟି ଏବଂ ଶିଶୁଟିକୁ ମାନସିକ ତଥା ଶାରୀରିକ ଯନ୍ତ୍ରଣା ଦେଇଥିବା ଦର୍ଶାଇ ୪ ଲକ୍ଷ ଟଙ୍କାର ଦଣ୍ଡାତ୍ମକ କ୍ଷତିପୂରଣ ଏବଂ ୫୦ ହଜାର ଟଙ୍କାର ଆଇନଗତ ଖର୍ଚ୍ଚ ସହ ସର୍ବମୋଟ ୪.୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅଦାଲତରେ ଦାବି କରାଯାଇଛି। ଅଭିଯୋଗକାରିଣୀଙ୍କ ପକ୍ଷରୁ ଆଡଭୋକେଟ୍ ଅସିତ୍ ଶତପଥୀ ଏବଂ ସୂର୍ଯ୍ୟ ମହାପାତ୍ର ଏହି ମାମଲା ପରିଚାଳନା କରୁଛନ୍ତି। ଗ୍ରାହକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ଖେଳୁଥିବା ଏପରି ବହୁରାଷ୍ଟ୍ରୀୟ ସଂସ୍ଥା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନଜୀବୀ ଦ୍ୱୟ ପ୍ରକାଶ କରିଛନ୍ତି।
