
କର୍ଣ୍ଣାଟକ: ମୋବାଇଲ୍ ପାଇଁ ମର୍ଡର । ମୋବାଇଲ୍ କୁ କେନ୍ଦ୍ର କରି ଝଗଡ଼ା । ପରେ ପିକଅପ୍ ଭ୍ୟାନ୍ ମାଡ଼ିଦେଇ କର୍ଣ୍ଣାଟକରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ସୋମବାର ସନ୍ଧ୍ୟାରେ କର୍ଣ୍ଣାଟକ ମାଙ୍ଗାଲୁରୁର ଏକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଘଟଣା ଘଟିଛି । ଦୁଇ ମୃତକ ହେଲେ ମହମ୍ମଦ ଜୁନୈଦ୍, ମହମ୍ମଦ ଅଫ୍ରାଜ୍ । ଉଭୟଙ୍କ ବସୟ ୨୩ ବର୍ଷ । ଜଣେ ବନ୍ଧୁଙ୍କ ମୋବାଇଲ୍ କୁ ନେଇ ଅଭିଯୁକ୍ତ ହାଫିଜ୍ ସହ ପାଟିତୁଣ୍ଡ ଓ ମାରପିଟ୍ ହୋଇଥିଲା । ଝଗଡ଼ା ପରେ ଉଭୟ ସ୍କୁଟରରେ ଫେରୁଥିବା ବେଳେ ଅଭିଯୁକ୍ତ ହାଫିଜ୍ ରାଗରେ ନିଜ ପିକଅପ୍ ଟ୍ରକ୍ ରେ ସେମାନଙ୍କୁ ପିଛା କରିଥିଲା । ଏହାପରେ ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କ ସ୍କୁଟରକୁ ଜୋରଦାର ଧକ୍କା ଦେଇଥିଲା ।
ଧକ୍କା ଏତେ ଜୋରଦାର ଥିଲା ଯେ ସ୍କୁଟରଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟଟି ଦୁଇ ଗଡ଼ ହୋଇ ଭାଙ୍ଗି ଯାଇଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ଏହା ଏକ ସାଧାରଣ ସଡ଼କ ଦୁର୍ଘଟଣା ଭଳି ଜଣାପଡ଼ୁଥିଲେ ମଧ୍ୟ ସିସିଟିଭି CCTV ଫୁଟେଜ୍ ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ଏହା ପୂର୍ବପ୍ରସ୍ତୁତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ମାଙ୍ଗାଲୁରୁ ସିଟି ପୋଲିସ୍ BNS ର ଧାରା ୧୦୩(୧) ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରିଛି । ଅଭିଯୁକ୍ତ ହାଫିଜକୁ ପୋଲିସ ଗିରଫ କରିଛି ଏବଂ ସେ ନିଜର ଅପରାଧ ସ୍ୱୀକାର କରିଛି ।
