ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬

puja26

‘ସାଧୁତାରୁ ସମୃଦ୍ଧି’ର ବାର୍ତ୍ତା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ

ଛତ୍ରପୁର, ତା ୨୬/୧୦: ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସାଧୁତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଆରମ୍ଭ ହୋଇଛି। ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ସପ୍ତାହର ମୁଖ୍ୟ ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’।

ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଏଥିସହ ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଅନୁରୂପ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ସାଜିଥିବାରୁ ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ଓ ସକ୍ରିୟ ସହଯୋଗ ଏକାନ୍ତ ଜରୁରୀ। ଏହି ଶପଥ ପାଠ ଅବସରରେ ଲାଞ୍ଚ ନ ଦେବା ଓ ନ ନେବା ସହିତ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନରେ ସର୍ବଦା ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନେ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଡ. ଅରୁଣ କୁମାର ଖଣ୍ଡା, କସ୍ତୁରୀ ସ୍ୱାଇଁ, ସୁଚିସ୍ମିତା ପାଣି, ଲଳିତ ଦେବୀଦାନ, ଶିକ୍ଷିତା ଗୌଡ଼, ସହକାରୀ କଲେକ୍ଟର ଅଦିତି ଆଚାର୍ଯ୍ୟ, ତାପସ କୁମାର ସାମଲ ଓ ସୁଦାମ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଚେତନତା ଶୋଭାଯାତ୍ରା କରାଯିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯିବ।

— ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ

ad-week
Leave A Reply

Your email address will not be published.