
ବାଂଶପାଳ: ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ୩ ଜଣ ଗୁରୁତର । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡ଼ଙ୍ଗ ଗାଁରେ ଏଭଳି ଅଘଟଣ ଘଟିଛି । ଗୁରୁତରଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ବାଂଶପାଳ ଡ଼ାକ୍ତରଖାନା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।
ଗାଁରେ ଲକ୍ଷ୍ମୀପୂଜା ଚାଲିଥିଲା । ଲାଇନ୍ ଚାଲିଯିବା ପରେ ଗତକାଲି ରାତିରେ ୫ଜଣ ପିଲା ଗୋଟିଏ ଘରେ ଜେନେରେଟର୍ ଲଗାଇ କବାଟ, ଝରକା ବନ୍ଦ କରି ଶୋଇ ପଡିଥିଲେ । ଆଜି ସକାଳୁ ୫ଜଣଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଲୋକେ ବାଂଶପାଳ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଅନ୍ୟ ୩ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
