
ବ୍ରହ୍ମପୁର/କୁକୁଡ଼ାଖଣ୍ଡି, ୩୦/୧୦ : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ସୀମା ନଗର ଦ୍ୱିତୀୟ ଗଳିରେ ଚାଲିଥିବା ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ କରିଛି ପୁଲିସ୍। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ପୁଲିସର ଏକୀକୃତ ମାନବ ଚାଲାଣ ନିରୋଧ ୟୁନିଟ୍ (ଆଇଏଏଚ୍ଟିୟୁ) ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଟିମ୍ ଉକ୍ତ ଘରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ପୁଲିସ୍ ଘଟଣାସ୍ଥଳରୁ ଦୁଇ ଜଣ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିବା ସହ ଚାରି ଜଣ ଗ୍ରାହକଙ୍କୁ କାବୁ କରିଥିଲା। ଘଟଣାସ୍ଥଳରୁ ୧୭ଟି କଣ୍ଡୋମ୍, ୭ଟି ଟିସୁ ପେପର, ୭ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୧୨୦୦ ଟଙ୍କା ଜବତ କରାଯାଇଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପାଟପୁର ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳର ପିଣ୍ଟୁ ଡାକୁଆ ନାମକ ଜଣେ ଯୁବକ ଭଡ଼ା ଘର ନେଇ ଏହି ଦେହ ବ୍ୟବସାୟ ଚଳାଉଥିଲା। ପୁଲିସ୍ ମୁଖ୍ୟ ଅଭିଯୁକ୍ତ ପିଣ୍ଟୁକୁ ଗିରଫ କରିବା ସହ ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମର ଅଚ୍ୟୁତାନନ୍ଦ ଖଟୁଆ, ଅନ୍ତର୍ଯ୍ୟାମୀ ଖଟୁଆ, ସନ୍ତୋଷ ନାହାକ ଏବଂ ହିଞ୍ଜିଳିକାଟୁ ଥାନା ମୋହନାପଲ୍ଲୀ ଗ୍ରାମର ଇଂ ସଞ୍ଜୟ କୁମାରଙ୍କୁ ଗିରଫ କରିଛି। ଗିରଫ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମପୁର ଏସ୍ପି ଅଭିନବ ସୋନକର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ହୋଟେଲ ଓ ଲଜ୍ରେ ମଧ୍ୟ ଏଭଳି ବେଆଇନ କାରବାର ନିୟମିତ ଭାବେ ଚାଲୁଥିବା ଅଭିଯୋଗ ହେଉଛି। ବାହାର ରାଜ୍ୟ ତଥା ଅନ୍ୟ ଜିଲ୍ଲାରୁ ଯୁବତୀମାନଙ୍କୁ ଆଣି ସ୍ୱାମୀ-ସ୍ତ୍ରୀର ନକଲି ପରିଚୟ ଦେଇ ଦଲାଲମାନେ ହୋଟେଲରେ ରଖୁଛନ୍ତି। କିଛି ହୋଟେଲ ମାଲିକ ଅଧିକ ଟଙ୍କା ଲୋଭରେ ଅଳ୍ପ ସମୟ ପାଇଁ ରୁମ୍ ଭଡ଼ା ଦେଇ ଏହି ବ୍ୟବସାୟକୁ ପ୍ରୋତ୍ସାହିତ କରୁଛନ୍ତି। କେବଳ ସେକ୍ସ ରାକେଟ୍ ନୁହେଁ, ବରଂ ଅନେକ ସମୟରେ ଅପରାଧୀମାନେ ହୋଟେଲଗୁଡ଼ିକରେ ରହି ବିଭିନ୍ନ ଅପରାଧ ପାଇଁ ଯୋଜନା ବା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ତେଣୁ ସହରର ସମସ୍ତ ହୋଟେଲ ଓ ସନ୍ଦିଗ୍ଧ ଆଡ୍ଡାସ୍ଥଳୀ ଉପରେ କଡ଼ା ନଜର ରଖିବା ସହ ନିୟମିତ ଚଢ଼ାଉ କରିବାକୁ ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
