ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ସୁରକ୍ଷିତ ବଚପନ୍ ଅଭିଯାନ’: ପୋକ୍ସୋ ଆଇନ ଓ ଶିଶୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର:
କୋମଳମତି ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ଆଇନଗତ ଅଧିକାର ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରରେ “ସୁରକ୍ଷିତ ବଚପନ୍ ଅଭିଯାନ” ଆରମ୍ଭ ହୋଇଛି। ସର୍ବଭାରତୀୟ ସ୍ତରୀୟ ବିଦ୍ୟାଳୟ ସଚେତନତା ଅଭିଯାନର ଅଂଶବିଶେଷ ସ୍ୱରୂପ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA)ର ନିର୍ଦ୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ଖୋର୍ଦ୍ଧା (ଭୁବନେଶ୍ୱର) ପକ୍ଷରୁ ସ୍ଥାନୀୟ ୟୁନିଟ୍-୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ‘ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ, ୨୦୧୨’ (POCSO Act) ଉପରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା କେତେ ଜଘନ୍ୟ ଅପରାଧ ଏବଂ ଏଥିପାଇଁ ଆଇନରେ କିଭଳି କଠୋର ଦଣ୍ଡବିଧାନ ରହିଛି, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶେଷ କରି ‘ଗୁଡ୍ ଟଚ୍’ ଓ ‘ବ୍ୟାଡ୍ ଟଚ୍’ ମଧ୍ୟରେ ଥିବା ପ୍ରଭେଦ ଏବଂ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ବିନା ସଂକୋଚରେ କିପରି ସ୍ୱର ଉତ୍ତୋଳନ କରିବେ, ସେନେଇ ପିଲାମାନଙ୍କୁ ଉତ୍ସାହିତ ଓ ସଚେତନ କରାଯାଇଥିଲା।
ଶିଶୁ ଅଧିକାର, ସୁରକ୍ଷା ଏବଂ ଆଇନଗତ ପ୍ରତିକାର ବିଷୟରେ ଆଲୋଚନା କରିବା ସହ ‘ଲିଗାଲ୍ ସର୍ଭିସେସ୍ ଅଥରିଟି’ର ଭୂମିକା ଉପରେ ବୁଝାଯାଇଥିଲା। ଏଥିସହ ନାଲସା (NALSA)ର ‘ଶିଶୁ-ଅନୁକୂଳ ଆଇନ ସେବା ଯୋଜନା, ୨୦୨୪’, ନାଲସା ହେଲ୍ପଲାଇନ୍ ଟୋଲ୍-ଫ୍ରି ନମ୍ବର ୧୫୧୦୦ ଏବଂ NCPCRର ‘ପୋକ୍ସୋ ଇ-ବକ୍ସ’ (POCSO e-box) ମାଧ୍ୟମରେ କିପରି ଅଭିଯୋଗ ଦାୟର କରାଯାଇପାରିବ, ସେନେଇ ଉପସ୍ଥିତ ଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।
ଏହି ସଚେତନତା ଶିବିରରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶ୍ରୀ ଏସ୍. କେ. ସାହୁ, ପ୍ୟାନେଲ୍ ଆଇନଜୀବୀ ଶ୍ରୀମତୀ ରାଜଲକ୍ଷ୍ମୀ ମହାପାତ୍ର, ପାରା ଲିଗାଲ୍ ଭଲ୍ୟୁଣ୍ଟିଅର୍ (PLV) ରୂପଶ୍ରୀ ସାହୁ ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ପିଙ୍କି ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସେମାନଙ୍କ ନ୍ୟାୟିକ ଓ ସାମ୍ବିଧାନିକ ଅଧିକାର ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ‘ସମସ୍ତଙ୍କ ପାଇଁ ନ୍ୟାୟ ସୁଲଭ’ ବାର୍ତ୍ତା ସହ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।
