
ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର୍ ଉପରେ ବୋମା ଆକ୍ରମଣ ହୋଇଛି । କିନ୍ତୁ ଏହି ଆକ୍ରମଣରେ ୨୭ ଭାରତୀୟ ନାବିକ ସୁରକ୍ଷିତ ଥିବା ଜଣାପଡିଛି । ଆମେରିକା-ଇରାନ ଯୁଦ୍ଧ ପରେ ହର୍ମୁଜ୍ ପ୍ରଣାଳୀରେ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା । ପାନାମା ପତାକା ବହନ କରୁଥିବା ତେଲ ଟ୍ୟାଙ୍କର୍ MT LOUIS 1 ଉପରେ ଲିମ୍ପେଟ୍ ମାଇନ୍ ବା ଚୁମ୍ବକୀୟ ବୋମା ଆକ୍ରମଣ ହୋଇଛି । ଅକ୍ଟୋବର ୩୦ ତାରିଖରେ ଘଟିଥିବା ଏହି ଆକ୍ରମଣରେ ଜାହାଜର ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିଯାଇଥିଲା । ତେବେ ଜାହାଜରେ ଥିବା ସମସ୍ତ ୨୭ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ।
ସୂଚନା ଅନୁଯାୟୀ, ଏକ ଛୋଟ ଡଙ୍ଗାରେ ଆସିଥିବା କିଛି ଦୁର୍ବୃତ୍ତ ଟ୍ୟାଙ୍କର୍ ନିକଟରେ ପହଞ୍ଚି ଜାହାଜର ବାହ୍ୟ ଭାଗରେ ଦୁଇଟି ଲିମ୍ପେଟ୍ ମାଇନ୍ ଲଗାଇ ଚାଲିଯାଇଥିଲେ । ପରେ ହୋଇଥିବା ବିସ୍ଫୋରଣରେ ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିଥିଲା । ତେବେ ଜାହାଜର କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହି ଘଟଣାରେ କୌଣସି ନାବିକ ଆହତ ହୋଇନାହାନ୍ତି କିମ୍ବା ସମୁଦ୍ରରେ ତେଲ ଲିକ୍ ହୋଇଥିବା ରିପୋର୍ଟ ମିଳିନାହିଁ। ନିଆଁ ଲିଭିବା ପରେ ଟ୍ୟାଙ୍କର୍ ପୁଣି ଯାତ୍ରା ଆରମ୍ଭ କରିଥିଲା । ଏହା ସହ ଅକ୍ଟୋବର ୨୯ ତାରିଖରେ ଲାଇବେରିଆ ପତାକା ବହନ କରୁଥିବା ଅନ୍ୟ ଏକ ବଡ଼ ତେଲ ଟ୍ୟାଙ୍କର୍ MT ARZANAH ଉପରେ ମଧ୍ୟ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଜାହାଜରେ ଦୁଇଜଣ ଭାରତୀୟ ନାଗରିକ ଥିଲେ । ଉଭୟ ଜାହାଜରେ ମୋଟ ୨୯ ଜଣ ଭାରତୀୟ ରହିଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଜାହାଜ ପରିଚାଳନା କମ୍ପାନୀଗୁଡ଼ିକ ସହ ନିୟମିତ ଯୋଗାଯୋଗ ରଖାଯାଇଛି । ବ୍ରିଟିଶ ନୌସେନା ସହ ଜଡ଼ିତ ସାମୁଦ୍ରିକ ସୁରକ୍ଷା ସଂସ୍ଥା UKMTO ଅନୁଯାୟୀ, ଏହି ଘଟଣା ଓମାନର ଖାସାବଠାରୁ ପ୍ରାୟ ୨୫ ନଟିକାଲ୍ ମାଇଲ୍ ବା ୪୬ କିଲୋମିଟର ଉତ୍ତର-ପୂର୍ବରେ ଘଟିଛି । ତେବେ ଏହି ଆକ୍ରମଣ ପଛରେ କେଉଁ ଗୋଷ୍ଠୀ କିମ୍ବା ଦେଶର ହାତ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହର୍ମୁଜ୍ ପ୍ରଣାଳୀରେ ଲଗାତାର ଆକ୍ରମଣ ଘଟଣା ସାମୁଦ୍ରିକ ବାଣିଜ୍ୟ ଓ ତୈଳ ପରିବହନର ସୁରକ୍ଷାକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଛି ।
