ସାଉଦି ଆରବରେ ଯୁଦ୍ଧ ଆତଙ୍କ, ନଭେମ୍ବର ୧୪ ଯାଏଁ ୩ ସହରକୁ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

puja26

ନୂଆଦିଲ୍ଲୀ: ସାଉଦି ଆରବରେ ଯୁଦ୍ଧ ଆତଙ୍କ । ୩ ସହରକୁ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ । ସାଉଦି ଆରବରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍। ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ଜେଦ୍ଦା, ରିୟାଦ ଓ ଦମ୍ମାମକୁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି ଉଭୟ ବିମାନ କମ୍ପାନୀ। ଏହାଦ୍ୱାରା ଏହି ରୁଟ୍‌ରେ ଯାତ୍ରା କରିବାକୁ ଥିବା ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇପାରନ୍ତି।

ତେବେ ପ୍ରଭାବିତ ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସ ପକ୍ଷରୁ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ପୂର୍ବରୁ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଥରେ ମାଗଣାରେ ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ। ନଚେତ୍ ଟିକେଟ୍ ବାତିଲ୍ କରି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇପାରିବେ । ଏହି ସୁବିଧା ଅକ୍ଟୋବର ୩୦, ୨୦୨୬ କିମ୍ବା ତା’ ପୂର୍ବରୁ ଟିକେଟ୍ ଜାରି ହୋଇଥିବା ଏବଂ ନଭେମ୍ବର ୧୪ ତାରିଖ ସୁଦ୍ଧା ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ଲାଗୁ ହେବ। ଯାତ୍ରୀମାନେ ସିଟ୍ ଉପଲବ୍ଧତା ଅନୁସାରେ ନଭେମ୍ବର ୨୯, ୨୦୨୬ ପର୍ଯ୍ୟନ୍ତ ନିଜର ଯାତ୍ରା ପୁନଃନିର୍ଦ୍ଧାରଣ କରିପାରିବେ । ଏୟାର ଇଣ୍ଡିଆର ଯାତ୍ରୀମାନେ ସାଉଦି ଆରବର ଅନ୍ୟ କାର୍ଯ୍ୟକ୍ଷମ ଷ୍ଟେସନ୍‌କୁ ଯାତ୍ରା ପାଇଁ ବିକଳ୍ପ ପାଇପାରିବେ । ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଯାତ୍ରୀମାନେ ସାଉଦି ଆରବ ସହ ବାହାରିନର ଅନ୍ୟ କାର୍ଯ୍ୟକ୍ଷମ ଷ୍ଟେସନ୍‌କୁ ମଧ୍ୟ ପୁନଃବୁକିଂ କରିପାରିବେ। ଏଥିପାଇଁ ଯାତ୍ରୀମାନେ ଏୟାରଲାଇନ୍ସର କଷ୍ଟମର କେୟାର, ସ୍ଥାନୀୟ ଟିକେଟ୍ ବୁକିଂ ଅଫିସ୍ କିମ୍ବା ଅଫିସିଆଲ୍ ୱେବସାଇଟ୍‌ରେ ଥିବା କଲ୍ ସେଣ୍ଟର ସହ ଯୋଗାଯୋଗ କରିପାରିବେ ।

ସୂଚନା ଅନୁସାରେ, ସାଉଦି ଆରବର ବିଭିନ୍ନ ବିମାନବନ୍ଦର ଓ ସାଧାରଣ ଜନବସତିକୁ ଟାର୍ଗେଟ୍ କରି ଗତ କିଛି ଦିନ ମଧ୍ୟରେ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି। ରିୟାଦ ଓ ଦମ୍ମାମ ବିମାନବନ୍ଦର ମଧ୍ୟ ଆକ୍ରମଣର ଶିକାର ହୋଇଛି । ଦମ୍ମାମ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହାସହ ଶାୟବା ତୈଳ କ୍ଷେତ୍ର ଉପରେ ଆକ୍ରମଣରେ ମଧ୍ୟ ଜଣେ ଭାରତୀୟ ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିମାନ ସେବା ସ୍ଥଗିତ ରଖିଛନ୍ତି ଉଭୟ ଏୟାରଲାଇନ୍ସ। ତେଣୁ ସାଉଦି ଆରବ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ବିମାନବନ୍ଦରକୁ ଯିବା ପୂର୍ବରୁ ନିଜ ବିମାନର ସ୍ଥିତି ନିଶ୍ଚିତ ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି ।

ad-week
Leave A Reply

Your email address will not be published.